ଟେଷ୍ଟ୍‍ ଓ ଦିନିକିଆ ଲିଗ୍‌କୁ ସବୁଜ ସଙ୍କେତ

ଦୁବାଇ/ଅକଲାଣ୍ଡ୍‌: ଟେଷ୍ଟ୍‍ କ୍ରିକେଟ୍‌ ଓ ଦିନିକିଆ କ୍ରିକେଟ୍‌ର ରୋମାଞ୍ଚକୁ ସୁରକ୍ଷିତ ରଖିବା ଏବଂ ଏହାକୁ ଅଧିକ ଗ୍ରହଣୀୟ କରିବା ଲକ୍ଷ୍ୟରେ ଆଇସିସି ବଡ଼ ନିଷ୍ପତ୍ତି ନେଇଛି। ଏହି ଉଭୟ ଶ୍ରେଣୀୟ କ୍ରିକେଟ୍‌ରେ ଲିଗ୍‌ ଆରମ୍ଭ କରିବା ଲାଗି ଶୁକ୍ରବାର ନୀତିଗତ ନିଷ୍ପତ୍ତି ନେଇଛି ଆଇସିସି ବୋର୍ଡ। ଏ ସମ୍ପର୍କରେ ଅନେକ କିଛି ଚିନ୍ତା କରିବା ପରେ ଚୂଡାନ୍ତ ରୂପରେଖ ହେବାକୁ ଥିଲେ ମଧ୍ୟ ୨୦୧୯ ବିଶ୍ୱକପ୍‌ ପରେ ପରେ ଦୁଇ ବର୍ଷିଆ ଟେଷ୍ଟ୍‍ ଲିଗ୍‌ ଏବଂ ୨୦୨୧ ମସିହାରୁ ଦିନିକିଆ ଲିଗ୍‌ ଖେଳାଯିବ ବୋଲି ସୂଚନା ଦିଆଯାଇଛି। ଟେଷ୍ଟ୍‍ ଲିଗ୍‌ରେ ମାନ୍ୟତାପ୍ରାପ୍ତ ୧୨ ଦଳ ମଧ୍ୟରୁ ଜିମ୍ବାେଓ୍ଵ, ଆଫଗାନିସ୍ତାନ ଓ ଆୟର୍ଲାଣ୍ଡ୍‌କୁ ପ୍ରାରମ୍ଭିକ ଅବସ୍ଥାରେ ବାଦ୍‌ ଦେଇ ୯ ଦଳ ଭାଗନେବେ। ପ୍ରତ୍ୟେକ ଦଳ ନିର୍ଧାରିତ ୨ ବର୍ଷ ଭିତରେ ଘରେ-ବାହାରେ ଭିତ୍ତିରେ ୩-୩ ଟେଷ୍ଟ୍‍ ଶୃଙ୍ଖଳା ଖେଳିବେ। ୨୦୨୧ ଏପ୍ରିଲ୍‌ ବେଳକୁ ଶ୍ରେଷ୍ଠ ଦୁଇ ଦଳ ଫାଇନାଲ୍‌ ଖେଳିବେ। ସେହିଭଳି ୨୦୨୧ ମସିହାରୁ ଆରମ୍ଭ ହେବାକୁ ଥିବା ୩ ବର୍ଷିଆ ଦିନିକିଆ ଲିଗ୍‌ରେ ୧୩ ଦେଶ ଭାଗନେବେ। ବର୍ତମାନ ୧୨ ଦେଶ ଦିନିକିଆ ମାନ୍ୟତା ପାଇଥିବାବେଳେ ଦୁଇ ବର୍ଷ ପରେ କେଉଁ ଦଳ ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନ କରୁଛି ତାହା ତ୍ରୟୋଦଶ ଦଳ ନିର୍ଧାରିତ ହେବ। ଏଥି ସହ ଆଇସିସି ବୋର୍ଡ ମଧ୍ୟ ୪ ଦିନିଆ ଟେଷ୍ଟ୍‍ର ପରୀକ୍ଷା ନିରୀକ୍ଷା ପାଇଁ ସମ୍ମତି ଦେଇଛି। ଡିସେମ୍ବର ୨୬ରେ ଜିମ୍ବାେଓ୍ଵ ବିପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ୪ ଦିନିଆ ଟେଷ୍ଟ୍‍ ଖେଳିବ। ଶୁକ୍ରବାର ଅକ୍‌ଲାଣ୍ଡ୍‌ରେ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‌ ରିଚାର୍ଡସନ୍‌ କହିଛନ୍ତି, ଉଭୟ ଲିଗ୍‌ ସମ୍ପର୍କରେ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଟେଷ୍ଟ୍‍ ଶୃଙ୍ଖଳା ଗୁଡ଼ିକ ଅନ୍ୟୁନ ୨ ମ୍ୟାଚ୍‌ରୁ ସର୍ବାଧିକ ୫ ମ୍ୟାଚ୍‌ ବିଶିଷ୍ଟ ହେବ। ଆଇସିସି ବୋର୍ଡ ଖୁବ୍‌ ଶୀଘ୍ର ଖେଳସୂଚୀ ଚୂଡାନ୍ତ କରିବ। ପଏଣ୍ଟ ବ୍ୟବସ୍ଥା, ଆୟୋଜନ ଏବଂ ପ୍ରତିଯୋଗିତା ନିୟମ ଆଦି ଚୂଡାନ୍ତ ହେବ। ସେହିଭଳି ୪ ଦିନିଆ ଟେଷ୍ଟ୍‍ ବ୍ୟବସ୍ଥା ନୂଆ ମାନ୍ୟତା ପାଇଥିବା ଆଫଗାନିସ୍ତାନ ଓ ଆୟର୍ଲାଣ୍ଡ ଭଳି ଦେଶଗୁଡ଼ିକୁ ଦକ୍ଷତା ଦେଖାଇବାର ସୁଯୋଗ ଦେବ ବୋଲି ରିଚାର୍ଡସନ୍‌ କହିଥିଲେ। ଟେଷ୍ଟ୍‍ ଲିଗ୍‌ କିନ୍ତୁ ୫ ଦିନିଆ ବିଶିଷ୍ଟ ହେବ। ଟେଷ୍ଟ୍‍ କ୍ରିକେଟ୍‌ର ବିକାଶ, ବ୍ୟବସ୍ଥା, ଢ଼ାଞ୍ଚାକୁ ନେଇ ସବୁ କ୍ରିକେଟ ରାଷ୍ଟ୍ର ଏକମତ ହୋଇଥିବାରୁ ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହର ଖୁସୀ ଜାହିର କରିଛନ୍ତି। ନୂଆ ନୀତିଗତ ନିଷ୍ପତ୍ତି ଅନ୍ତର୍ଜାତୀୟ କ୍ରିକେଟ୍‌ର ଭବିଷ୍ୟତକୁ ଅଧିକ ଉଜ୍ୱଳ କରିବ ବୋଲି ମନୋହର ଆଶା ପ୍ରକାଶ କରିଛନ୍ତି। କିନ୍ତୁ ସମ୍ଭବ ହୋଇ ପାରୁନଥିବା ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ଶୃଙ୍ଖଳା ଭଳି ଅନେକ ପ୍ରସଙ୍ଗ ଉପରେ ଆଇସିସି କୌଣସି ଟିପ୍ପଣୀ ରଖିନାହିଁ।

ଅକଲାଣ୍ଡ୍‌ରେ ଅନୁଷ୍ଠିତ ଆଇସିସି ବୋର୍ଡ ବୈଠକରେ ଦୁଇ ଲିଗ୍‌ ବ୍ୟତୀତ ଅନ୍ୟ କିଛି ପ୍ରସଙ୍ଗରେ ମଧ୍ୟ ନିଷ୍ପତ୍ତି ହୋଇଥିଲା। ୨୦୧୮ରେ ମାର୍ଚରେ ଜିମ୍ବାେଓ୍ଵରେ ଆଇସିସି ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଖେଳାଯିବ। ସେହିଭଳି ୨୦୧୮ ଫେବ୍ରୁଆରିରେ ନାମ୍ବିଆରେ ଆଇସିସି ବିଶ୍ୱ କ୍ରିକେଟ୍‌ ଲିଗ୍‌ର ଡିଭିଜନ୍‌-୨ ଖେଳାଯିବ। ସମାନ ସମୟରେ ନେଦରଲାଣ୍ଡ୍‌ରେ ଆଇସିସି ମହିଳା ଟେ୍ଵଣ୍ଟି-୨୦ ଯୋଗ୍ୟତା ପର୍ଯ୍ୟାୟ ଖେଳାଯିବ। ଜାତୀୟ ଦଳରୁ ଖେଳିବାକୁ ଯୋଗ୍ୟତା ଲାଗି ପୂର୍ବରୁ ଥିବା ନିୟମରେ କୌଣସି ପରିବର୍ତନ କରାଯାଇ ନାହିଁ। ଉଭୟ ପୁରୁଷ ଓ ମହିଳା କ୍ରିକେଟ୍‌ ପାଇଁ ଏହାକୁ ସମ୍ପୃକ୍ତ ଦେଶରେ ଅନ୍ୟୁନ ୩ ବର୍ଷର ଆବାସିକ ପ୍ରମାଣ (ପାସପୋର୍ଟ/ଜନ୍ମ) ଦେବାକୁ ହେବ। ଥରେ କୌଣସି ଦେଶ ପାଇଁ ଯୋଗ୍ୟ ହୋଇଗଲେ ପରବର୍ତୀ ସମୟରେ ସେ ବିନା ପ୍ରତିବଂଧକରେ ସେ ଦେଶ ପାଇଁ ଖେଳିପାରିବେ। ସେହିଭଳି ପାକିସ୍ତାନ ବିପକ୍ଷରେ ଆୟର୍ଲାଣ୍ଡ୍‌ ନିଜ ଟେଷ୍ଟ୍‍ ପଦାର୍ପଣ କରିବ ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର