୪ ବର୍ଷ ପରେ ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ୍‌, ୬୭ ରନ୍‌ରେ ହାରିଲା ଶ୍ରୀଲଙ୍କା

କରାଚି: ପାକିସ୍ତାନ‌କୁ ୪ ବର୍ଷର ବ୍ୟବଧାନ‌ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ ଫେରିଛି। ସୋମବାର ଭମ୍ରଣକାରୀ ଶ୍ରୀଲଙ୍କା ବିପକ୍ଷରେ ନିଜ ମାଟିରେ ପାକିସ୍ତାନ ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଖେଳିଛି। ଏହି ତିନିଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଥିଲା ବେଳେ ସୋମବାର ଦ୍ବିତୀୟ ମୁକାବିଲାରେ ପାକିସ୍ତାନ ୬୭ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୭ ୱିକେଟ୍‌ ବିନିମୟରେ ୩୦୫ ରନ୍‌ କରିଥିଲା। ବାବର ଆଜମ (୧୧୫, ୧୦୫ ବଲ୍‌, ୮ ଚୌକା, ୪ ଛକା) ଶତକ ଏବଂ ଫକର ଜାମନ (୫୪, ୬୫ ବଲ୍‌, ୬ ଚୌକା, ୧ ଛକା) ଅର୍ଧଶତକ ହାସଲ କରିଥିଲେ। ଜବାବରେ ଶ୍ରୀଲଙ୍କା ୪୬.୫ ଓଭରରେ ୨୨୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ସିହାନ ଜୟସୂରିୟା ୯୬ ଓ ଦାସୁନ ସନକା ୬୮ ରନ୍‌ କରି କିଛିଟା ଲଢ଼ିଥିଲେ। ପାକିସ୍ତାନ ପକ୍ଷରୁ ଉସମାନ ସିନୱାରି ୫ ୱିକେଟ୍‌ ସଫଳତା ପାଇଥିଲେ। ସେ ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସୂଚନାଯୋଗ୍ୟ ଯେ ଶେଷ ଥର ଲାଗି ଜିମ୍ବାୱେ ୨୦୧୫ରେ ପାକିସ୍ତାନରେ ମ୍ୟାଚ୍‌ ଖେଳିଥିଲା। ଏହାପରଠୁ କୌଣସି ବିଦେଶୀ ଦଳ ପାକିସ୍ତାନରେ ଖେଳି ନଥିଲା। ‌୨୦୧୭ରେ ବିଶ୍ବ ଏକାଦଶ ଏଠାରେ ୩ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଥିଲା।

ସମ୍ବନ୍ଧିତ ଖବର