ପ୍ରତ୍ୟାବର୍ତ୍ତନ ପଥରେ ଅନ୍ତର୍ଜାତୀୟ କ୍ରିକେଟ୍: ଆଜିଠୁ ଅଭ୍ୟାସ

ସାଉଥମ୍ପଟନ୍: କୋଭିଡ୍-୧୯ ସଙ୍କଟ ପାଇଁ ଢେର କିଛି ମାସ ହେବ କ୍ରିକେଟ୍ ପଡ଼ିଆ ଶାନ୍ତ ରହିଛି। ନା ଖେଳ ହେଉଛି ନାଁ ଖେଳାଳିଙ୍କୁ ଦେଖିବାକୁ ମିଳୁଛି। ଘରୋଇ ସ୍ତରରେ କିଛି କିଛି ଖେଳାଳି ଅଭ୍ୟାସ ଆରମ୍ଭ କରିଥିଲେ ମଧ୍ୟ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଅନ୍ତର୍ଜାତୀୟ କ୍ରିକେଟ୍ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନି। ଏଭଳି ସ୍ଥିତିରେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ୍ ଶୃଙ୍ଖଳା କ୍ରି‌କେଟ୍ ପ୍ରେମୀଙ୍କ ପାଇଁ ନୂଆ ଆଶା ଓ ଉତ୍ସାହ ନେଇଆସିଛି। ଜୁଲାଇ ୮ ତାରିଖରୁ ସଂପୂର୍ଣ୍ଣ ଜୈବ ସୁରକ୍ଷିତ ପରିବେଶରେ ଏହି ଦୁଇ ଦେଶ ମଧ୍ୟରେ ତିନି ଟିକିଆ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ହେବ। ଯାହା କୋଭିଡ୍-୧୯ ପ୍ରକୋପ ଆରମ୍ଭ ହେବା ପରେ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳା ହେବ। ଏହା ପୂର୍ବରୁ ବୁଧବାରଠାରୁ ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡ ଏ’ ମଧ୍ୟରେ ତିନି ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଉଭୟ ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡ ଖେଳାଳିଙ୍କର କୋଭିଡ୍-୧୯ ପରୀକ୍ଷା କରାଯାଇଛି। ଇଂଲଣ୍ଡ ପହଞ୍ଚିବା ପରେ ୱେଷ୍ଟଇଣ୍ଡିଜ୍ ଖେଳାଳିମା‌ନେ ୧୪ ଦିନ ଧରି କ୍ବାରାଣ୍ଟାଇନରେ ମଧ୍ୟ ରହି ସାରିଛନ୍ତି। ଅଭ୍ୟାସ ମ୍ୟାଚ୍ ସହ ସଂପୂର୍ଣ୍ଣ ଶୃଙ୍ଖଳାରେ ‘ବ୍ଲାକ୍‌ ଲାଇଭ୍ସ ମ୍ୟାଟର’ ଅଭିଯାନକୁ ସମର୍ଥନ ଜଣାଇ ୱେଷ୍ଟଇଣ୍ଡିଜ୍ ଖେଳାଳିମାନେ ଏକ ସ୍ବତନ୍ତ୍ର ଲୋ‌ଗୋ ପିନ୍ଧିବେ ବୋଲି ଘୋଷଣା କରିଛନ୍ତି। ଦୁର୍ଭାଗ୍ୟଜନକ ଭାବେ କିନ୍ତୁ ସଂକ୍ରମଣ ଭୟ ପାଇଁ ଉଭୟ ଅଭ୍ୟାସ ମ୍ୟାଚ୍ ଓ ଶୃଙ୍ଖଳାରେ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାର ଅନୁମତି ମିଳିବ ନାହିଁ।

୨୦ ପାକ୍ ଖେଳାଳି କୋଭିଡ୍‌-୧୯ ମୁକ୍ତ
ଇଂଲଣ୍ଡ ପହଞ୍ଚିବା ପରେ ୨୦ ଜଣ ପାକିସ୍ତାନ ଖେଳାଳି ଓ ୧୧ ଜଣ ଅଧିକାରୀ କୋଭିଡ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି। ଏହି ଖେଳାଳିମାନେ ରବିବାର ପାକିସ୍ତାନରୁ ଯାଇ ଇଂଲଣ୍ଡ ପହଞ୍ଚିଥିଲେ। ମଙ୍ଗଳବାର ସେମାନଙ୍କର ‌କୋଭିଡ୍ ପରୀକ୍ଷା କରାଯାଇଥିଲା। ପାକିସ୍ତାନ ଖେଳାଳିମାନେ ସଂପ୍ରତି ୱର୍ସେଷ୍ଟରଠାରେ ୧୪ ଦିନିଆ କ୍ବାରାଣ୍ଟାଇନରେ ଅଛନ୍ତି। ଅଗଷ୍ଟ ମାସରେ ଯାଇ ଏହି ଦୁଇ ଦେଶ ମଧ୍ୟରେ ଶୃଙ୍ଖଳା ଖେଳାଯିବ। ସେପଟେ ଇଂଲଣ୍ଡ ଖେଳାଳି ଓ ଅଧିକାରୀଙ୍କ ନମୁନା ତୃତୀୟ ଥର ପାଇଁ ନେଗେଟିଭ୍ ଆସିଛି। ସେମାନେ ସାଉଥମ୍ପଟନଠାରେ ଅଭ୍ୟାସ ଚଳାଇଛନ୍ତି।

ସମ୍ବନ୍ଧିତ ଖବର