ଅନ୍ତଃମହାଦେଶୀୟ କପ୍‌: ଭାରତ-ଚାଇନିଜ୍‌ ତାଇପେ ପ୍ରଥମ ମୁକାବିଲା

ମୁମ୍ବାଇ: ଆସନ୍ତା ଜୁନ୍‌ ପହିଲାରୁ ମୁମ୍ବାଇ ଫୁଟ୍‌ବଲ୍‌ ଏରେନାରେ ଆରମ୍ଭ ହେବାକୁ ଯାଉଛି ଅନ୍ତମହାଦେଶୀୟ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା। ଏଥିରେ ଆୟୋଜକ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ରହିଛି ଚାଇନିଜ୍‌ ତାଇପେ। ଏହି ୪ ଦଳୀୟ ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ୍‌ ଭାରତ ଓ ଚାଇନିଜ୍‌ ତାଇପେ ମଧ୍ୟରେ ଖେଳାଯିବାକୁ ଥିଲାବେଳେ କେନିଆ ଓ ନ୍ୟୁଜିଲାଣ୍ଡ୍‌ ଅନ୍ୟ ଦୁଇ ଦଳ ଭାବେ ଭାଗ ନେବେ। କେନିଆ ଓ ନ୍ୟୁଜିଲାଣ୍ଡ୍‌ ଜୁନ୍‌ ୨ ତାରିଖରେ ପରସ୍ପର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ। ୟୁଏଇରେ ୨୦୧୯ରେ ଆୟୋଜିତ ହେବାକୁ ଥିବା ଏଏଫ୍‌ସି ଏସୀୟ କପ୍‌ର ପ୍ରସ୍ତୁତି ପାଇଁ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। ତେବେ ଏଏଫ୍‌ସି କପ୍‌ ପୂର୍ବରୁ ଆମ ପାଇଁ ଏହି ପ୍ରତିଯୋଗିତା ଗୁରୁତ୍ୱ ବହନ କରିବ ବୋଲି କହିଛନ୍ତି ଭାରତୀୟ ଫୁଟ୍‌ବଲ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍‌ କୋନ୍‌ଷ୍ଟାଣ୍ଟିନେ। ସମସ୍ତ ୪ ଦଳ ପରସ୍ପର ସହ ଥରେ ଲେଖାଏଁ ଖେଳିବେ। ଶ୍ରେଷ୍ଠ ଦୁଇ ଦଳ ହିଁ ଜୁନ୍‌ ୧୦ ତାରିଖରେ ଫାଇନାଲ୍‌ ଖେଳିବେ। ସଂପ୍ରତି ବିଶ୍ୱ ମାନ୍ୟତାର ୯୭ରେ ଥିବା ଭାରତୀୟ ଦଳ ଗତ ୧୨ ମ୍ୟାଚ୍‌ ଧରି ଅପରାଜେୟ ରହିଛି। ପ୍ରଥମ ଦୁଇଦିନ ପରେ ୪ ତାରିଖରେ ଭାରତ-କେନିଆ, ୫ରେ ଚାଇନିଜ୍‌ ତାଇପେ-ନ୍ୟୁଜିଲାଣ୍ଡ୍‌, ୭ରେ ଭାରତ-ନ୍ୟୁଜିଲାଣ୍ଡ୍‌ ଏବଂ ୮ରେ ଚାଇନିଜ୍‌ ତାଇପେ-କେନିଆ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର