ଜଣେ ସଫଳ ଟ୍ବେଣ୍ଟି-୨୦ ବ୍ୟାଟିଂ ପ୍ରଶିକ୍ଷକ ହେବାକୁ ଆନ୍ତର୍ଜାତିକ ଅଭିଜ୍ଞତା ଜରୁରି ନୁହେଁ: ଗମ୍ଭୀର

ନୂଆଦିଲ୍ଲୀ: ଜଣେ ସଫଳ ଟ୍ବେଣ୍ଟି-୨୦ ବ୍ୟାଟିଂ ପ୍ରଶିକ୍ଷକ ହେବା ପାଇଁ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିଥିବା ଅଭିଜ୍ଞତା ଜରୁରି ନୁହେଁ। ବ୍ୟାଟିଂ ପ୍ରଶିକ୍ଷକଙ୍କ କାମ ହେଲା ଜଣେ ଖେଳାଳିର ସକାରାତ୍ମକ ମା‌ନସିକତା ସାଙ୍ଗକୁ ଖେଳର ଉନ୍ନତିରେ ସାହାଯ୍ୟ କରିବା ବୋଲି ପୂର୍ବତନ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଗୌତମ ଗମ୍ଭୀର କହିଛନ୍ତି। ତାଙ୍କ ପାଇଁ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିଥିବାର କୌଣସି ସର୍ତ୍ତ ରଖାଯିବା କଥା ନୁହେଁ।

କ୍ରିକେଟର୍‌ରୁ ରାଜନେତା ବନିଥିବା ଗମ୍ଭୀରଙ୍କ କହିବା କଥା ହେଲା ବ୍ୟାଟିଂ ପ୍ରଶିକ୍ଷକ ସ୍ବତନ୍ତ୍ର ଭାବେ କ୍ରିକେଟ୍‌ର ଛୋଟ ଫର୍ମାଟ୍‌ ପାଇଁ ନିଯୁକ୍ତ ହେବା ଉଚିତ। ଏହାର ଅର୍ଥ ଟ୍ବେଣ୍ଟି-୨୦ ପାଇଁ ଭିନ୍ନ ବ୍ୟାଟିଂ ପ୍ରଶିକ୍ଷକ ରହିପାରିବେ। କିନ୍ତୁ କେହି ଯଦି ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିନଥିବ କିମ୍ବା କେହି ଯଦି ସଂଖ୍ୟାଧିକ କ୍ରିକେଟ୍‌ ଖେଳିନଥିବ ତାହାଲେ ସେ ଯେ ଜଣେ ସଫଳ ପ୍ରଶିକ୍ଷକ ହୋଇପାରିବନି ତାହା ପ୍ରକୃତରେ ଅବାସ୍ତବ ବୋଲି ଷ୍ଟାର୍‌ ସ୍ପୋର୍ଟସ ସୋ’ କ୍ରିକେଟ କନେକ୍ଟେଡ୍‌’କୁ କହିଛନ୍ତି ଗମ୍ଭୀର। ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଜଣେ ବ୍ୟାଟ୍‌ସମ୍ୟାନ୍‌ର ମାନସିକତା ଉଚ୍ଚ ରଖିବା ପ୍ରଶିକ୍ଷକଙ୍କ କାମ। ହେଲେ କିପରି ବଡ଼ ସଟ୍‌ ଖେଳିବ ସେ ଶିକ୍ଷା ଦେବା ଉଚିତ ନୁହେଁ। କେହି ତୁମକୁ ଲାପ୍‌ ସଟ୍‌ କିମ୍ବା ରିଭର୍ସ ଲାପ୍‌ ସଟ୍‌ ଖେଳିବା ଶିକ୍ଷା ଦିଅନ୍ତିନି। କୌଣସି ପ୍ରଶିକ୍ଷକ ମଧ୍ୟ ତାହା କରିବା କଥା ନୁହେଁ। ବରଂ କୌଣସି ପ୍ରଶିକ୍ଷକ ଯଦି ବ୍ୟାଟ୍‌ସମ୍ୟାନ୍‌ଙ୍କୁ ସେହି କଳା ଶିକ୍ଷା ଦେବାକୁ ଚେଷ୍ଟା କରନ୍ତି, ତାହାଲେ ସେ ଖେଳାଳିଙ୍କ କ୍ଷତି କରୁଛନ୍ତି ବୋଲି ବିଶ୍ବକପ୍‌ ବିଜେତା ଦଳର ଏହି ପ୍ରାରମ୍ଭିକ ବାମହାତୀ ବ୍ୟାଟ୍‌ସମ୍ୟାନ୍‌ ଗମ୍ଭୀର କହିଛନ୍ତି। ପୁଣି ଗମ୍ଭୀରଙ୍କ ମତରେ ଜଣେ ସଫଳ ଖେଳାଳି ହେବା ତୁମକୁ ଜଣେ ଉନ୍ନତ ମନୋନୟନକର୍ତା ହେବାରେ ସହାୟକ ହୋଇପାରିବ। କିନ୍ତୁ ତୁମେ ଯେ ପ୍ରଚୁର କ୍ରିକେଟ୍‌ ଖେଳିଛ ବୋଲି ଜଣେ ସଫଳ ପ୍ରଶିକ୍ଷକ ହୋଇପାରିବ ଏହା ଆଦୌ ଠିକ୍‌ ନୁହେଁ। ହେ‌ଲେ ତାହା କେବଳ ଜଣେ ଉନ୍ନତ ମନୋନୟନକର୍ତା ପାଇଁ ଠିକ୍‌ ହୋଇପାରେ ବୋଲି ଗମ୍ଭୀର ମତ ରଖିଛନ୍ତି।

ସମ୍ବନ୍ଧିତ ଖବର