କଟକ(ଦୀପ୍ତିରଂଜନ ସାମଲ): କାନ୍ଧରେ ଅସ୍ତ୍ରୋପଚାର ହୋଇଥିବାରୁ ଗତ ଫେବ୍ରୁଆରିରେ ପୁରୀସ୍ଥିତ ଘରକୁ ଫେରିଆସିଥିଲେ ଓଡ଼ିଶାର ପ୍ରଥମ ଓ ଏକମାତ୍ର ଆନ୍ତର୍ଜାତିକ ଜିମ୍ନାଷ୍ଟ ରାକେଶ ପାତ୍ର। ହେଲେ ତାଲାବନ୍ଦ ଯୋଗୁଁ ଆଉ ନିଜର କର୍ମସ୍ଥଳକୁ ଫେରିପାରୁନାହାନ୍ତି। ଯାହାଫଳରେ ଘରେ ରହି ଏବେ ଶାରୀରିକ ଦକ୍ଷତା ପ୍ରଶିକ୍ଷଣ ନେଉଥିବା ବେଳେ ପରିବାରକୁ ଘରକରଣା କାମରେ ସହାୟତା କରୁଛନ୍ତି।
ଭାରତୀୟ ନୌସେନାରେ କାର୍ଯ୍ୟରତ ରାକେଶ ଗତ ଡିସେମ୍ବର ମାସରେ ମାଷ୍ଟର ଚିଫ୍ ପେଟି ଅଫିସର ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ହେଲେ ଅଭ୍ୟାସ କରୁଥିବା ବେଳେ କାନ୍ଧରେ ଆଘାତ ଲାଗିଥିବାରୁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରଠୁ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବାରୁ ଫେବ୍ରୁଆରି ୨୭ ତାରିଖରେ ପୁରୀ ଅନ୍ନପୂର୍ଣ୍ଣାନଗରସ୍ଥିତ ଘରକୁ ଫେରିଆସିଥିଲେ। ଏଠାରେ ରହୁଥିବା ସମୟରେ ନିଜକୁ ସୁସ୍ଥ ରଖିବାକୁ ସକାଳେ ଓ ସନ୍ଧ୍ୟାରେ ବିଭିନ୍ନ ପ୍ରକାରର ବ୍ୟାୟାମ କରୁଛନ୍ତି। କାନ୍ଧ ସୁସ୍ଥ ରଖିବାକୁ ଅନ୍ଲାଇନ୍ରେ ଫିଜିଓଥେରାପିଷ୍ଟଙ୍କଠୁ ତାଲିମ ନେଉଛନ୍ତି। ଅସ୍ତ୍ରୋପଚାର ପରଠୁ ତାଙ୍କର ଓଜନ ବଢିଯାଇଥିବାରୁ ଓଜନ ହ୍ରାସ ପାଇଁ ସବୁପ୍ରକାରର ଉଦ୍ୟମ କରୁଛନ୍ତି। ବ୍ୟାୟାମ ସହ ଖାଦ୍ୟପେୟ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେଉଛନ୍ତି। ସକାଳେ ସୁପ୍, ଦିନବେଳା ଜୁସ୍, ମଧ୍ୟାହ୍ନ ଭୋଜନରେ ରୁଟି, ସଧ୍ୟାବେଳେ ବିସ୍କୁଟ, ରାତ୍ରି ଭୋଜନରେ ରୁଟି ସହ କ୍ଷୀର କଦଳି କିମ୍ବା ସନ୍ତୁଳା ଇତ୍ୟାଦି ଦେଶୀ ଖାଦ୍ୟ ଖାଉଛନ୍ତି। ଏଥିସହ ଉଷୁମ ପାଣି ପିଇବାକୁ ସେ ପସନ୍ଦ କରନ୍ତି। ମା'ଙ୍କ ହାତ ଟିକେ ଭଲ ନଥିବାରୁ ରୋଷେଇରେ ମଧ୍ୟ ସେ ସହଯୋଗ କରୁଛନ୍ତି। ଫାଙ୍କା ସମୟ ହେଲେ ଜିମ୍ନାଷ୍ଟିକ୍ ସମ୍ପର୍କିତ ବିଭିନ୍ନ ବହି ପଢି ସେ ଦିନ କାଟୁଥିବା ସୂଚନା ଦେଇଛନ୍ତି।
ଏକାଧିକ ପଦକର ଅଧିକାରୀ ହୋଇଥିବା ଏହି ୨୯ ବର୍ଷିୟ ଜିମ୍ନାଷ୍ଟ ୨୦୦୧ ମସିହାରେ ଜିମ୍ନାଷ୍ଟିକ୍ ଆରମ୍ଭ କରିଥିଲା ବେଳେ ୨୦୦୨ ମସିହାରେ ଉପକନିଷ୍ଠ ବିଭାଗରେ ପ୍ରଥମ ଜାତୀୟ ପ୍ରତିଯୋଗିତା ଖେଳିଥିଲେ। ଏହାପରଠୁ ତାଙ୍କର ଜିମ୍ନାଷ୍ଟିକ୍ ଯାତ୍ରା ଏପର୍ଯ୍ୟନ୍ତ ଜାରି ରହିଛି। ଓଡ଼ିଶାରୁ ଯଦିଓ କନିଷ୍ଠ ଓ ଉପକନିଷ୍ଠ ସ୍ତରରେ ଏକାଧିକ ଆନ୍ତର୍ଜାତିକ ଖେଳାଳି ସୃଷ୍ଟି ହୋଇଛନ୍ତି। କିନ୍ତୁ ରାକେଶଙ୍କୁ ବରିଷ୍ଠ ବିଭାଗରେ ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ ଖେଳାଳିର ମାନ୍ୟତା ମିଳିଛି। ୨୦୧୦ ମସିହାରେ ସେ ଭାରତୀୟ ନେଭିରେ ପେଟି ଅଫିସର ଭାବେ ଯୋଗଦେଇଥିଲେ। ୨୦୧୬ରେ ଚିଫ୍ ପେଟି ଅଫିସର ଏବଂ ଗତ ଡିସେମ୍ବରରେ ମାଷ୍ଟର ଚିଫ ପେଟି ଅଫିସର ପାହ୍ୟାକୁୁ ପଦୋନ୍ନତି ପାଇଛନ୍ତି। ଏବେ ମୁମ୍ବାଇ ତାଙ୍କର କାର୍ଯ୍ୟସ୍ଥଳୀ ପାଲଟିଛି। ରାକେଶଙ୍କ ଏହି ଖେଳ ଜୀବନ ମଧ୍ୟରେ ୭୭ ଜାତୀୟ ପଦକ, ସର୍ଭିସେସ୍ ପାଇଁ ୩୮ ପଦକ ଏବଂ ଆନ୍ତର୍ଜାତିକ ସ୍ତରରେ ୧୦ରୁ ଉର୍ଦ୍ଧ୍ବ ପଦକ ପାଇଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସ ଯୋଗ୍ୟତାରୁ ସେ ଅଳ୍ପକେ ବର୍ତ୍ତିଯାଇଥିବାରୁ ଏବେ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରୁଛନ୍ତି। ତେବେ ଯୋଗ୍ୟତା ପର୍ଯ୍ୟୟ ପ୍ରତିଯୋଗିତା ବାତିଲ ହୋଇଯାଇଥିବାରୁ ନଭେମ୍ବର ପରେ ପୁଣି ଥରେ ଏହି ଇଭେଣ୍ଟଗୁଡ଼ିକ ପାଇଁ ସେ ପୂର୍ଣ୍ଣମାତ୍ରାରେ ପ୍ରସ୍ତୁତ ହେଉଛନ୍ତି। ତାଲାବନ୍ଦ ସମୟରେ ସରକାରଙ୍କ ନୀତିନିୟମ ମାନିବାକୁ ସେ ଆହ୍ବାନ କରିଥିଲା ବେଳେ ନିହାତି ଜରୁରି ଥିଲେ ଘରୁ ବାହାରିଲା ବେଳେ ଗ୍ଲୋଭ୍ସ, ମାସ୍କ ପରିଧାନ କରନ୍ତୁ ଏବଂ ଘରକୁ ଆସିବା ପରେ ପିନ୍ଧା କପଡ଼ାକୁ ଧୋଇବା ସହ ନିଜେ ମଧ୍ୟ ଗାଧୋଇବାକୁ ସେ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/sfhs8f7h98sf7h8sf9hsfhsssssssssssssssss.jpg)