ରାଉରକେଲା: ୨୦୨୩ ପୁରୁଷ ବିଶ୍ୱକପ୍ ହକି ପାଇଁ ବିପିୟୁଟି ପରିସରରେ ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ବିଭିନ୍ନ ନିର୍ମାଣ କାର୍ଯ୍ୟ ବେଗ ଧରିଛି। ଏଠାକାର ଅଭ୍ୟାସ ପଡ଼ିଆର ନିର୍ମାଣ କାମ ଇତିମଧ୍ୟରେ ଶେଷ ହୋଇଛି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହାର ଉଦ୍ଘାଟନ କରିବେ। ଏହାସହ ଅଗଷ୍ଟ ଶେଷ ସୁଦ୍ଧା ମୁଖ୍ୟ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ନିର୍ମାଣାଧୀନ ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରି ଏଭଳି ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା। ଏହାସହ କହିଲେ, ସୁନ୍ଦରଗଡ଼ ଜିଲ୍ଲା ହେଉଛି ହକିର ଅନ୍ତୁଡ଼ିଶାଳ। ତେଣୁ ସୁନ୍ଦରଗଡ଼ ଜିଲ୍ଲାର ଗାଁ ଗହଳିରୁ ଯେଉଁ ପିଲାମାନେ ହକି ପ୍ରତି ଆଗ୍ରହୀ, ସେମାନଙ୍କ ଅଭ୍ୟାସ ପାଇଁ ବ୍ଲକସ୍ତରରେ ତିଆରି ହେଉଥିବା ଅନ୍ତର୍ଜାତୀୟମାନର ଟର୍ଫ ବିଶେଷ ସହାୟକ ହେବ। ସେମାନେ ସବୁ ଦୃଷ୍ଟିରୁ ପ୍ରସ୍ତୁତ ହୋଇ ଆଗାମୀ ଦିନରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିପାରିବେ।
ଆଜି ପୂର୍ବାହ୍ନ ପ୍ରାୟ ୧୦ଟାରେ କ୍ରୀଡ଼ା ଓ ଯୁବସେବା, ଇଲେକ୍ଟ୍ରୋନିକ୍ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ତଥା ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରାଙ୍କ ସମେତ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା, ଇଡ୍କୋ ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂହ ପୁନିଆ ରାଉରକେଲା ଏୟାରଷ୍ଟ୍ରିପ୍ରେ ପହଞ୍ଚିଥିଲେ। ଏହି ଉଚ୍ଚସ୍ତରୀୟ ଟିମ୍ ବୀର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହ ପ୍ରବେଶ ପଥ, ଅଭ୍ୟାସ ପଡ଼ିଆ, ଦର୍ଶକ ଗ୍ୟାଲେରୀ, ଖେଳାଳି ଓ ଅଫିସିଆଲଙ୍କ ପାଇଁ ନିର୍ମାଣ କରାଯାଉଥିବା ରହଣୀସ୍ଥଳ, ଚେଞ୍ଜିଂ ରୁମ, ଅତ୍ୟାଧୁନିକ ଜିମ୍, ଶୌଚାଳୟ ଆଦି ପରିଦର୍ଶନ କରିଥିଲେ। ଏହାପରେ ବୀର୍ସା ମୁଣ୍ଡା ଫୁଟ୍ବଲ ଷ୍ଟାଡିୟମ, ଦ୍ବିତୀୟ ବ୍ରାହ୍ମଣୀ ସେତୁ ଆଦି ପରିଦର୍ଶନ କରିଥିଲେ। କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ପରେ ମନ୍ତ୍ରୀ ଓ ସଚିବ ରାଉରକେଲା ବିମାନବନ୍ଦରଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ରାଉରକେଲା ସହରରେ ବିଶ୍ୱକପ୍ ହକି ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ।
ହକି ବିଶ୍ୱକପ୍କୁ ଦୃଷ୍ଟିରେ ରଖି ରାଉରକେଲା ସହର ଭିତ୍ତିଭୂମିର ବିକାଶ ସହିତ ସହରର ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଏସବୁ କାର୍ଯ୍ୟ ସଠିକ୍ ସମୟରେ ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ବେହେରା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ରାଉରକେଲା ମହାନଗର ନିଗମ, ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶଥାଉକି, ଆସନ୍ତା ଜାନୁଆରିରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ହେବ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାଠାରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଶ୍ବକପ୍ ମ୍ୟାଚ ଖେଳାଯିବ। ଏହି ଷ୍ଟାଡିୟମରେ ଏକାସାଙ୍ଗରେ ୨୧ ହଜାରରୁ ଅଧିକ ଦର୍ଶକ ବସି ଖେଳ ଉପଭୋଗ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/1fs4h65fsh456fhsfhsfhsfs.jpg)