ଆନ୍ତର୍ଜାତିକ କ‌ରାଟେରେ ବାଲେଶ୍ବରକୁ ବଡ଼ ସଫଳତା, ଜିତିଲେ ୬ ସ୍ବର୍ଣ୍ଣ, ୩ ରୌପ୍ୟ, ୭ କାଂସ୍ୟ ପଦକ

ବାଲେଶ୍ବର: ଡିସେମ୍ବର ୬ରୁ ୮ ତାରିଖ ପର୍ଯ୍ୟନ୍ତ ଗୋଆର ସ୍ୟାଗ୍‌ ପେଡାମ୍‌ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଆନ୍ତର୍ଜାତିକ କରାଟେ ପ୍ରତିଯୋଗିତାରେ ବାଲେଶ୍ବର ଜିଲ୍ଲାର ପ୍ରତିଯୋଗୀମାନେ ବଡ଼ ସଫଳତା ହାସଲ କରିଛନ୍ତି। ଏଥିରେ ବାଲେଶ୍ବର କରାଟେକାମାନେ ୬ ସ୍ବର୍ଣ୍ଣ, ୩ ରୌପ୍ୟ, ୭ କାଂସ୍ୟ ପଦକ ହାସଲ କରିଛନ୍ତି। ଶନିବାର ବାଲେଶ୍ବର ସିଦ୍ଧି କଲ୍ୟାଣ ମଣ୍ଡପରେ ଏମାନଙ୍କୁ ସମ୍ବର୍ଧନା ଦିଆଯାଇଛି। ପ୍ରତିଯୋଗିତାରେ ପ୍ରଶିକ୍ଷକ ବିଭାଗର ସେନ୍‌ସାଇ ବରଦା ପ୍ରସାଦ ଦାସ ବ୍ଲାକବେଲ୍ଟରେ ଉଭୟ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ହାସଲ କରିଥିବା ବେଳେ ୧୭ରୁ ୧୮ବର୍ଷ ବାଳିକା ବିଭାଗରେ ପ୍ରଜ୍ଞାପାରମିତା ମହାନ୍ତି ସ୍ବର୍ଣ୍ଣ ଓ କାଂସ୍ୟପଦକ ଜିତିଛନ୍ତି। ୧୩ରୁ ୧୪ ବର୍ଷ ବାଳକ ବିଭାଗରେ ଆଦିତ୍ୟରାଜ ବିଶ୍ବାଳଙ୍କୁ ସ୍ବର୍ଣ୍ଣ ଓ ରୌପ୍ୟପଦକ, କିଷାନ କୁମାର ସାହୁ ଓ ନିହାର ରଂଜନ ପ୍ରଧାନ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୧୦ରୁ ୧୧ ବର୍ଷ ବାଳିକା ବିଭାଗରେ ଜ୍ୟୋତିକ୍ରିଷ୍ଣା ଜାନାଙ୍କୁ ଦୁଇଟି କାଂସ୍ୟ ଓ ବାଳକ ବିଭାଗର ଗୌରବ ଖିଲାରଙ୍କୁ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ମିଳିଛି। ସେହିପରି ୮ରୁ ୯ ବର୍ଷ ବାଳକ ବିଭାଗରେ ଶୁଭଙ୍କର ମହାପାତ୍ରଙ୍କୁ ଦୁଇଟି ରୌପ୍ୟ ଓ ସୂର୍ଯ୍ୟବୀର ରାଣାଙ୍କୁ ଦୁଇଟି କାଂସ୍ୟ ପଦକ ମିଳିଛି। ପ୍ରତିଯୋଗିତାରେ ଭାରତ ସମେତ ନେପାଳ, ଶ୍ରୀଲଙ୍କା, ଉଜ୍‌ବେକିସ୍ତାନରୁ ୨୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୨୫ ଜଣିଆ ଓଡ଼ିଶା ଦଳରେ ବାଲେଶ୍ବର ଜିଲ୍ଲାରୁ ୯ ଜଣ ପ୍ରଶିକ୍ଷକ ବରଦାପ୍ରସାଦ ଦାସ ଓ ସିହାନ୍‌ ନିତାଇ ଶଂକର ଗୁଇଁଙ୍କ ତତ୍ତ୍ବାବଧାନରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର