ରାଉରକେଲା: ନିରନ୍ତର ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅର୍ଥାଭାବ। ଏହି କରି ଦେଖାଇଛନ୍ତି ଆଥେଲେଟ୍‌ ପ୍ରତୀକ୍‌ ମହାରଣା। ବରଗଡ଼ ଜିଲ୍ଲା ଡାଙ୍ଗ ଗ୍ରାମର ଏକ ଗରିବ ପରିବାରରୁ ଆସନ୍ତି ପ୍ରତୀକ। ଏବେ ଖୁବ୍‌ ଶୀଘ୍ର ଅନ୍ତର୍ଜାତୀୟସ୍ତରରେ ନିଜ ପ୍ରତିଭା ଦେଖାଇବେ। ପ୍ରଶିକ୍ଷକ ଶିବ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ ମାର୍ଜିତ ହେବା ସହ ରାଜ୍ୟ ଓ ଜାତୀୟସ୍ତରରେ ଅନେକ କୀର୍ତ୍ତିମାନ ହାସଲ କରିଛନ୍ତି ସେ। ୨୦୧୭ରେ ବରଗଡ଼ର ମାଟି ପଡ଼ିଆରୁ ଦୌଡ଼କୁଦ ଆରମ୍ଭ କରିଥିଲେ। ତାପରେ ଆଉ ପଛକୁ ଫେରି ଚାହିଁନାହାନ୍ତି। କିଛି ବର୍ଷ ପୂର୍ବରୁ ମହାମାରୀ କରୋନା ତାଙ୍କ ଲକ୍ଷ୍ୟ ସାମାନ୍ୟ ଅସ୍ପଷ୍ଟ କରିଦେଇଥିଲା। କିନ୍ତୁ ସେ ଏବେ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ପ୍ରଶିକ୍ଷକ ଶ୍ରୀ ମିଶ୍ର କହିଛନ୍ତି। ବର୍ତ୍ତମାନ ସେ ଓଡ଼ିଶା ଦୌଡ଼କୁଦ ପ୍ରକଳ୍ପ ଅଧୀନରେ ରାଉରକେଲା ବିର୍ସାମୁଣ୍ଡା ଆଥେଲେଟିକ୍‌ ଷ୍ଟାଡିୟମ୍‌ରେ ତାଲିମ ଜାରି ରଖିଛନ୍ତି। ଆସନ୍ତା ୧୧ରୁ ୧୩ ଯାଏ ଚେନ୍ନାଇରେ ହେବାକୁ ଥିବା ସାଫ୍‌ ଅନ୍ତର୍ଜାତୀୟ ଆଥ୍‌ଲେଟିକ୍‌ ମିଟ୍‌ରେ ପ୍ରତୀକ ଉତ୍ତମ ପ୍ରଦର୍ଶନ ସହ ସ୍ବର୍ଣ୍ଣ ପଦକ ହାସଲ କରିବେ ବୋଲି କୋଚ୍‌ ଶ୍ରୀ ମିଶ୍ର ଆଶାପୋଷଣ କରିଛନ୍ତି।    

Advertisment

‘ଶିବ ସାର୍‌ ଏବଂ ଦୂତି ଦିଦିଙ୍କ ସହଯୋଗ ପାଇଁ ମୁଁ ଏଠି’
ମା’ ଉର୍ମିଳା ଓ ବାପା ଯୁଧିଷ୍ଠିର ମହାରଣାଙ୍କ ସୁପୁତ୍ର ପ୍ରତୀକ ମହାରଣା। ବର୍ତ୍ତମାନ ବଣାଇ ମହାବିଦ୍ୟାଳୟରେ +୨ ପ୍ରଥମ ବର୍ଷରେ ଅଛନ୍ତି। ୨୦୧୭ରେ ସ୍କୁଲରେ ପାଠ ପଢ଼ିବା ସମୟରେ ଦୌଡ଼କୁଦ ପ୍ରତି ତାଙ୍କର ଆଗ୍ରହ ଥିଲା। ନିଜର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ସହ ମିଶି ଅନ୍ତର୍ଜାତୀୟ ପ୍ରଶିକ୍ଷକ ଶିବ ପ୍ରସାଦ ମିଶ୍ରଙ୍କୁ ଯୋଗାଯୋଗ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ପ୍ରତୀକଙ୍କ ପେସାଦାର ତାଲିମ। ୬ ବର୍ଷର ନିୟମିତ ପ୍ରଶିକ୍ଷଣ ପରେ ସେ ଜାତୀୟସ୍ତରରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ସୁଯୋଗ ପାଇ ସ୍ବର୍ଣ୍ଣପଦକ ଜିତିଥିଲେ। ଏପର୍ଯ୍ୟନ୍ତ ୪ଟି ପ୍ରତିଯୋଗିତାରେ ଭାଗନେଇ ମୋଟ ୫ଟି ପଦକ ଜିତିଛନ୍ତି। ୨୦୨୪ ପହିଲାରୁ ସେ ରାଉରକେଲା ବିର୍ସାମୁଣ୍ଡା ଆଥେଲେଟିକ୍‌ ଷ୍ଟାଡିୟମ୍‌ରେ ଶ୍ରୀ ମିଶ୍ରଙ୍କ ନିରୀକ୍ଷଣରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରୁଛନ୍ତି। ପ୍ରତୀକ କହନ୍ତି ଟ୍ରେନିଂ ଆରମ୍ଭ ସମୟରେ ପ୍ରଶିକ୍ଷକ ଶ୍ରୀ ମିଶ୍ର ଏବଂ ଅଲିମ୍ପିଆନ୍‌ ଦୂତି ଚାନ୍ଦ ମତେ ଆର୍ଥିକ ସହଯୋଗ ଦେଇଥିଲେ।

ତେବେ ୨୦୨୧ କରୋନା ମହାମାରୀ ସମୟରେ ସାରା ବିଶ୍ବ ଯେତେବେଳେ ଆର୍ଥିକ ଅନଟନରେ ପଡ଼ିଥିଲା ସେତେବେଳେ ଆମ ପରିବାରର ଅବସ୍ଥା ମଧ୍ୟ ଖରାପ ହୋଇଗଲା। ପରିବାରକୁ ସହଯୋଗ କରିବା ପାଇଁ ଡେଲିଭରି ବୟ ଭାବେ କାମ କରିଥିଲି। କିନ୍ତୁ ପ୍ରଶିକ୍ଷକ ଓ ଦୂତି ଦିଦିଙ୍କ ସହଯୋଗରେ ପାଇଁ ପୁଣି ଥରେ ପଡ଼ିଆକୁ ଓହ୍ଲାଇଛି। ଏବେ ୨ ମାସ ହେଲା ରାଜ୍ୟ ସରକାର ସହଯୋଗ କରୁଛନ୍ତି। ବର୍ତ୍ତମାନ ଅନ୍ତର୍ଜାତୀୟ ଆଥ୍‌ଲେଟିକ୍‌ ମିଟ୍‌ରେ ଭଲ ପ୍ରଦର୍ଶନ କରି ପଦକ ହାସଲ ହିଁ ଏକମାତ୍ର ଲକ୍ଷ୍ୟ ବୋଲି ସେ କହିଛନ୍ତି। ବର୍ତ୍ତମାନ ୧୦୦ ମିଟର ଦୌଡ଼ରେ ତାଙ୍କ ଟାଇମିଂ ୧୦.୮୫ ସେକେଣ୍ଡ ରହୁଥିବା ବେଳେ ୨୦୦ ମିଟରରେ ୨୧.୬୫ ସେକେଣ୍ଡ ରହୁଛି। ଏହି ସମୟ ବ୍ୟବଧାନକୁ ଆହୁରି କମ୍‌ କରିବାକୁ ଜୋର୍‌ଦାର ଅଭ୍ୟାସ କରୁଥିବା ପ୍ରତୀକଙ୍କ ପ୍ରଶିକ୍ଷକ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

କଟକ: ଦକ୍ଷିଣ ଏସିଆ କ୍ରୀଡ଼ା ଫେଡେରେସନ୍‌ (ସାଫ୍) ପକ୍ଷରୁ ଦକ୍ଷିଣ ଏସିଆ କନିଷ୍ଠ କ୍ରୀଡ଼ା ପ୍ରତିଯୋଗିତା ଚଳିତ ମାସ ୧୧ରୁ ୧୩ ପର୍ଯ୍ୟନ୍ତ ଚେନ୍ନାଇରେ ଅନୁଷ୍ଠିତ ହେବ। ଏଥିରେ ସାରା ଦେଶରୁ ୫୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଥିବା ବେଳେ ଓଡ଼ିଶାରୁ ୪ ଜଣ କଳାହାଣ୍ଡିର ଦଣ୍ଡପତି ଏମ୍‌ ଜୟରାମ, ନବରଙ୍ଗପୁରର ମହେନ୍ଦ୍ର ସାନ୍ତା, ସୁନ୍ଦରଗଡ଼ର ସବିତା ଟପୋ ଓ ପ୍ରତୀକ ମହାରଣା ଅଛନ୍ତି। ଜୟରାମ ୧୦୦, ୨୦୦ ମିଟର ଦୌଡ଼ ଓ ୪୦୦ ମିଟର ରିଲେ, ପ୍ରତୀକ ୨୦୦ ମିଟର ଦୌଡ଼, ମହେନ୍ଦ୍ର ୪୦୦ ମିଟର ରିଲେ ଏବଂ ସବିତା ୧୦୦ ମିଟର ବାଧାଦୌଡ଼ରେ ଭାଗ ନେବେ। ଏହି ଖେଳାଳିମାନେ ଭୁବନେଶ୍ବର କଳିଙ୍ଗ ଓ ରାଉରକେଲା ଷ୍ଟାଡିୟମ୍‌ରେ ରୋହିତ ମାନେ ଓ ଶିବ ପ୍ରସାଦ ମିଶ୍ରଙ୍କ ଅଧୀନରେ ଅଭ୍ୟାସ କରୁଛନ୍ତି। ଏହି ପ୍ରତିଯୋଗିତା ପାଇଁ ଓଡ଼ିଶାର ପ୍ରବୋଧ କୁମାର ମହାନ୍ତି ବୈଷୟିକ ଅଧିକାରୀ ରହିଛନ୍ତି। ଓଡ଼ିଶା ଅଲିମ୍ପିକ ସଂଘ ସଭାପତି ଡକ୍ଟର ଜି.ଏସ୍. ପଟ୍ଟନାୟକ ଓ ସଂପାଦକ ଆଶୀର୍ବାଦ ‌ବେହେରା ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଛନ୍ତି।