ଭାପୁର : ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅଧୀନ ଫତେଗଡ ନାଲିସାଗର ପଡିଆରେ ଫତେଗଡ ଯୁବକ ସଂଘ ଆନୁକୁଲ୍ୟରେ ଆୟୋଜିତ ତ୍ରୟୋଦଶ ସଦାଶିବ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ନାଗପୁର କରିମ ସ୍ପୋର୍ଟ୍ସ ଏକାଡେମୀ ଚାମ୍ପିଅନ୍‌ ହୋଇଛି। ଶନିବାର ଫାଇନାଲରେ ଏହି ଦଳ ୩ ୱିକେଟରେ ଏମ୍‌ଏସ୍‌ସି ସମ୍ବଲପୁରକୁ ପରାସ୍ତ କରିଥିଲା।

Advertisment

ଟସ୍‌ ଜିତି ବ୍ୟାଟିଂ ନେଇଥିବା ସମ୍ବଲପୁର ଦଳ ଅଭିଷେକ ଯାଦବ (୮୧ ରନ୍‌, ୪୬ ବଲ୍‌)ଙ୍କ ଅର୍ଦ୍ଧଶତକ ବଳରେ ନିର୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୦୯ ରନ୍‌ କରିଥିଲା। ଜବାବରେ ନାଗପୁର ଦଳ ୧୯ ଓଭରରେ ୭ ୱିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ବିଜେତା ଦଳର ଅଧିନାୟକ କମଲ ତ୍ରିପାଠୀ (୫୫ ରନ୍‌, ୧୮ ବଲ୍‌) ଦ୍ରୁତ ଅର୍ଦ୍ଧଶତକ ଜମାଇଥିଲା ବେଳେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହିପରି ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ବିଜେତା ଦଳର ଅଭିଷେକ ପାଠକ (୧୫୮ ରନ୍‌, ୪ ୱିକେଟ) ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ଏହି ଅବସରରେ ଚାମ୍ପିଅନ୍‌ ଦଳକୁ ୧ ଲକ୍ଷ ଟଙ୍କା ସହ ଟ୍ରଫି ଏବଂ ରନର୍ସଅପ ଦଳକୁ ୬୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରଯାଇଥିଲା। ଫାଇନାଲ୍‌ ମ୍ୟାଚ୍‌କୁ ଦୁର୍ଗାପ୍ରସାଦ ପଟ୍ଟନାୟକ ଏବଂ ଆଶୁତୋଷ ପାଣି ପରିଚାଳନା କରିଥିଲେ।

ଉଦ୍‌ଯାପନୀ ଉତ୍ସବରେ ସ୍ଥାନୀୟ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ, ଓସିଏ ସମ୍ପାଦକ ସଞ୍ଜୟ ବେହେରା, ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ଉପାଧ୍ୟକ୍ଷ ତଥା ଫତେଗଡ ଯୁବକ ସଂଘ ସଭାପତି ବେଣୁଧର ପ୍ରଧାନ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ। ବୁବୁ ସିହ୍ନା ମଞ୍ଚ ପରିଚାଳନା କରିଥିଲେ। ଉଦ୍‌ଯାପନୀ ଉତ୍ସବ ସହ ଫାଇନାଲ ମ୍ୟାଚ୍‌ ଦେଖିବାକୁ ନୟାଗଡ ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳରୁ ୩୦ ହଜାରରୁ ଊର୍ଦ୍ଧ୍ୱ କ୍ରୀଡ଼ାପ୍ରେମୀଙ୍କ ସମାଗମ ହୋଇଥିଲା।