ଭାରତୀୟ ପାରା କ୍ରିକେଟ ଖେଳାଳି ଅମୀର ହୁସେନ୍ ଲୋନ୍ ଆଜି ବିଶ୍ୱବିଦିତ। ହାତ ଦୁଇଟି ନ ଥାଇ ମଧ୍ୟ ବ୍ୟାଟିଂ ଓ ବୋଲିଂରେ ଦକ୍ଷତା ପ୍ରତିପାଦନ କରି ସେ ସମସ୍ତଙ୍କୁ ଚମତ୍କୃତ କରିଛନ୍ତି। ବେକ ଓ କାନ୍ଧରେ ବ୍ୟାଟ୍କୁ ଜାବୁଡ଼ି ରଖି ସେ କରୁଥିବା ଦୁର୍ଦ୍ଧର୍ଷ ବ୍ୟାଟିଂ ଆଗରେ ବିପକ୍ଷ ଦଳର ବୋଲର୍ ହାର ମାନନ୍ତି। ସେହିପରି, ଗୋଡ଼ରେ ଲେଗ୍ ସ୍ପିନ୍ ବଲ୍ ପକାଇ ପ୍ରତିପକ୍ଷର ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରନ୍ତି ଅମୀର। ମାତ୍ର ୧୪ ବର୍ଷ ବୟସରେ ସ୍କୁଲ୍ ଶିକ୍ଷକଙ୍କ ସହଯୋଗ ଏବଂ ଜେଜେମା’ଙ୍କ ପ୍ରେରଣାରେ ସେ ଗାଁ ପଡ଼ିଆରେ କ୍ରିକେଟ ଖେଳିବାକୁ ସମର୍ଥ ହୋଇଥିଲେ। ଏହାପରେ, ଆରମ୍ଭ ହୋଇଥିଲା ଅମୀରଙ୍କ ଜୟଯାତ୍ରା। ୨୦୧୩ ମସିହାରେ ଦିଲ୍ଲୀରେ ଜାତୀୟସ୍ତରୀୟ ମ୍ୟାଚ୍ ଏବଂ ୨୦୧୮ରେ ବାଂଲାଦେଶ ବିପକ୍ଷରେ ଅନ୍ତର୍ଜାତୀୟ ପାରା କ୍ରିକେଟ୍ ଖେଳିଲେ ଅମୀର। ବହୁ ଜାତୀୟ-ଅନ୍ତର୍ଜାତୀୟ ମ୍ୟାଚ୍ରେ କୃତିତ୍ବ ପ୍ରଦର୍ଶନ କରିଥିବା ଅମୀର ୨୭ ବର୍ଷ ବୟସରେ ଜମ୍ମୁ ଓ କଶ୍ମୀର ପାରା କ୍ରିକେଟ ଦଳର ଅଧିନାୟକ ହୋଇଛନ୍ତି। ବିରଳ ସଫଳତା ହାସଲ କରିଥିବା କ୍ରିକେଟର୍ଙ୍କୁ ତାଙ୍କ ଜନ୍ମମାଟି ‘ୱାଗମା’ରେ ଭେଟିଛନ୍ତି ଆମ ପ୍ରତିନିଧି।
ବିଭୂତି ପତି
୨୭ ବର୍ଷ ତଳେ ଯେଉଁ ଅଘଟଣ ଆପଣଙ୍କ ଜୀବନଧାରା ବଦଳାଇ ଦେଇ ଆପଣଙ୍କୁ ଭିନ୍ନ ଜୀବନଶୈଳୀ ଆପଣାଇବା ଲାଗି ବାଧ୍ୟ କରିଥିଲା ସେ କଥା ପାଠକଙ୍କୁ କହିବେ କି?
୧୯୯୭ ମସିହା କଥା। ମୋତେ ମାତ୍ର ୮ ବର୍ଷ ହୋଇଥାଏ। ମୁଁ ଖାଇସାରି ସାଙ୍ଗମାନଙ୍କ ସହିତ ଖେଳୁଥିଲି। ମା’ ମୋତେ ଡାକିଲେ ଓ ବଡ଼ଭାଇଙ୍କ ଲାଗି ଖାଇବା ନେଇ ଆମ ସ’ମିଲ୍କୁ (କରତକଳ) ଯିବା ପାଇଁ କହିଲେ। କାହିଁକି କେଜେଣି, ସେଦିନ ବାପାମାଆ ଓ ମିଲ୍ର କର୍ମଚାରୀମାନେ ବଡ଼ଭାଇଙ୍କୁ କାଠ ନ କଟିବାକୁ ଓ କରତ ନ ଚଳାଇବାକୁ ବାରମ୍ବାର ତାଗିଦ କରିଥିଲେ। କିନ୍ତୁ, ବଡ଼ଭାଇ ମିଲ୍ରେ ଥିବା ବେଳେ ବାପାଙ୍କର ଜଣେ ବନ୍ଧୁ ଆସି ଖଣ୍ଡେ କାଠ ଚିରିଦେବା ପାଇଁ ଅନୁରୋଧ କଲେ। ସେତିକିବେଳେ ମୁଁ ଯାଇ ସେଠାରେ ପହଞ୍ଚିଗଲି। କାଠ ଚିରିବାକୁ ଭାଇ କରତ ଚଳାଇଲେ। ମୁଁ ଅନ୍ୟମନସ୍କ ହୋଇ ଚାଲୁ ଚାଲୁ କରତର ଅତି ନିକଟକୁ ଆସି ଯାଇଥିଲି। ହଠାତ୍ ମୋ ଜ୍ୟାକେଟ୍ କରତରେ ଲାଗି ଟାଣି ହୋଇଗଲା। ମୁଁ ବି କରତ ଆଡ଼କୁ ଭିଡ଼ି ହୋଇଗଲି। କ’ଣ ହେଲା ବୋଲି ଜାଣିବା ବେଳକୁ କରତ ମୋର ଦୁଇ ହାତ କାଟି ପକାଇଥିଲା।
ଏହାପରେ ୩ ବର୍ଷ ଧରି ଆପଣ ହସ୍ପିଟାଲ୍ ବିଛଣାରେ ପଡ଼ି ମୃତ୍ୟୁ ସହିତ ସଂଘର୍ଷ କରୁଥିଲେ। ପରିବାର ଲୋକଙ୍କୁ ଏତେ ଧୈର୍ଯ୍ୟ ଓ ସହନଶକ୍ତି ମିଳିଲା କେଉଁଠୁ?
ପ୍ରଥମେ ନିକଟସ୍ଥ ଆର୍ମି ହସ୍ପିଟାଲ୍ରେ ମୋର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତା’ପରେ ଶ୍ରୀନଗରସ୍ଥିତ ବରଜୁଲା ‘ବୋନ୍ ଏଣ୍ଡ୍ ଜଏଣ୍ଟସ୍’ ହସ୍ପିଟାଲ୍ରେ ଦୀର୍ଘ ତିନି ବର୍ଷ ଧରି ଚିକିତ୍ସିତ ହେବାକୁ ପଡ଼ିଲା। ମୋ ପରିବାର ପାଖରେ ଖାଇବାକୁ ପଇସା ନ ଥିଲା। ହସ୍ପିଟାଲ୍ ଖର୍ଚ୍ଚ ବହନ କରିବାକୁ ଆମ କରତକଳ ଓ ଚାଷ ଜମି ବିକ୍ରି କରାଗଲା। ସେତେବେଳେ, କିଛି ଲୋକ ମୋ ବାପାଙ୍କୁ କହୁଥିଲେ ଯେ, ମୁଁ ବଞ୍ଚିଲେ ବି ଶୀତଳ ଭଣ୍ଡାରରେ ଥିବା ଶବ ପରି ବଞ୍ଚିବି। ସେ ମୋ ପାଇଁ ଅର୍ଥ ଓ ସମୟ ଅପଚୟ କରି ଦାରିଦ୍ର୍ୟ ଆପଣାଉଛନ୍ତି। କିନ୍ତୁ, ବାପା ଏସବୁକୁ ଖାତିର କରୁ ନ ଥିଲେ। ଆଉ ବାପାଙ୍କୁ ମନୋବଳ ଦେଉଥିଲା ମୋ ଜେଜେମା’। ସେ ବାପାଙ୍କୁ କହୁଥିଲା, ଆମର ସବୁ ଚାଲିଯାଉ ପଛକେ, ଅମୀରକୁ ଭଲ କରିବାକୁ ପଡ଼ିବ। ମୋ ଜେଜେମା’ ଉପବାସ ରହି ଦିନରାତି ସର୍ବଶକ୍ତିମାନ ଆଲ୍ଲାଙ୍କୁ ପ୍ରାର୍ଥନା କରୁଥିଲା। ମୋର ଚେତା ଆସିବା ପରେ ସେ ଖାଇଥିଲା। ମୋର ପୂର୍ଣ୍ଣ ଆରୋଗ୍ୟ କାମନା କରି ଦୀର୍ଘ ୩ ବର୍ଷ ଧରି ସେ ପ୍ରତିଦିନ ଅତି ନିଷ୍ଠାରେ ପ୍ରାର୍ଥନା କରୁଥିଲା। ମୁଁ ଥିଲି ତା’ର ଜୀବନ। (ହସି ହସି) ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେଉଁ ସ’ମିଲ୍ରେ ମୋ ହାତ କଟିଥିଲା ସେଇଠି କ୍ରିକେଟ ବ୍ୟାଟ୍ ତିଆରି ହେଉଥିଲା।
ହସ୍ପିଟାଲ୍ରୁ ଫେରିବା ପରର ଜୀବନ କିପରି ଥିଲା? ଏଠାରେ ବି ଭିନ୍ନ ଏକ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥିବ?
ପରିଶେଷରେ, ମୁଁ ସୁସ୍ଥ ହୋଇ ଘରକୁ ଫେରିଲି। ଜେଜେମା’ ମୋର ସମସ୍ତ ଯତ୍ନ ନେଲା ଏବଂ ମୋତେ ସ୍କୁଲ୍ ଯାଇ ପାଠ ପଢ଼ିବାକୁ ପ୍ରେରଣା ଯୋଗାଇଲା। ଅନେକ ସହପାଠୀ ମୋତେ ବିଦ୍ରୁପ କରୁଥିଲେ। ମୁଁ ଭାଙ୍ଗି ପଡୁଥିଲି, କିନ୍ତୁ ଜେଜେମା’ ମୋତେ ଉତ୍ସାହ ଦେଉଥିଲା। ଅନେକ ସରକାରୀ ବିଦ୍ୟାଳୟ ମୋର ନାମଲେଖା ଦରଖାସ୍ତ ଖାରଜ କରିଦେଲେ। ଶେଷରେ ମର୍ହମା ସରକାରୀ ବିଦ୍ୟାଳୟରୁ ଅଷ୍ଟମ ଶ୍ରେଣୀ ପାସ୍ କଲି। ସେତେବେଳକୁ ମୋର ବୟସ ୧୪ ବର୍ଷ । ଗୋଡ଼ରେ ବିଭିନ୍ନ କାର୍ଯ୍ୟ କରିବାକୁ ସେଠାକାର ଜଣେ ଶିକ୍ଷକ ମୋତେ ପ୍ରେରଣା ଦେଲେ। ମୋତେ ଗୋଡ଼ରେ ଲେଖିବା ଶିଖାଇଲେ। ସେହି ଶିକ୍ଷକ ହିଁ ମୋତେ ପାରା କ୍ରିକେଟର୍ ହେବା ପାଇଁ ପରାମର୍ଶ ଦେଲେ। ଆମ ଘରପଛ ବାଡ଼ିରେ ଜେଜେମା ସହିତ ମୁଁ କ୍ରିକେଟ୍ ଖେଳ ଅଭ୍ୟାସ ଆରମ୍ଭ କଲି। ସେ ବଲ୍ ଫୋପାଡ଼େ, ମୁଁ ବ୍ୟାଟିଂ କରେ। ଧୀରେ ଧୀରେ ଆତ୍ମବିଶ୍ବାସ ବଢ଼ିଲା। ମୁଁ ଗାଁ ପିଲାଙ୍କ ସହିତ ମ୍ୟାଚ୍ ଖେଳିଲି। ଗୋଡ଼ରେ ବୋଲିଂ କରି ମୁଁ ସ୍ଥାନୀୟ ଅଞ୍ଚଳର ଭଲ ବ୍ୟାଟ୍ସମ୍ୟାନ୍ଙ୍କୁ ମଧ୍ୟ ଆଉଟ୍ କରିଦେଉଥିଲି। ମୋ ପାଇଁ ବ୍ୟାଟିଂ କରିବା ଯେତିକି କଷ୍ଟସାଧ୍ୟ ନ ଥିଲା, ତା’ଠାରୁ ଢେର୍ ଅଧିକ କଷ୍ଟକର ଥିଲା ଗୋଡ଼ରେ ବୋଲିଂ କରିବା।
ଏହାପରେ ବୋଧହୁଏ କ୍ରିକେଟ୍ ପାଲଟିଗଲା ଆପଣଙ୍କ ଜୀବନ? ଏହା କିଭଳି ଆପଣଙ୍କୁ ନୂଆ ପରିଚୟ ଦେଲା?
ଦେଖନ୍ତୁ, ମୋ ଜୀବନରେ ସବୁକିଛି ଅତି ଆକସ୍ମିକ ଭାବେ ଘଟିଯାଇଛି। ମୁଁ ଦୁର୍ଘଟଣାରେ ହାତ ହରାଇବା, ଜେଜେମା ସହିତ କ୍ରିକେଟ୍ ଖେଳୁ ଖେଳୁ ଜମ୍ମୁ ଓ କଶ୍ମୀର ପାରା କ୍ରିକେଟ୍ ଦଳରେ ସାମିଲ ହେବା ଏବଂ ଅଧିନାୟକ ଭାବେ ଦଳର ନେତୃତ୍ୱ ନେବା ଆଦି କେବଳ ଘଟଣାଚକ୍ରରେ ଘଟିଛି। ଆଜି କୌଣସି କାମ ପାଇଁ ମୁଁ କାହା ଉପରେ ନିର୍ଭର ନ କରିବା କଥା ମଧ୍ୟ ମୋତେ ଆଶ୍ଚର୍ଯ୍ୟ କରିଛି। ମୁଁ କିପରି ଏସବୁ କରୁଛି, ତାହା ଭାବିଲା ବେଳକୁ ବିସ୍ମିତ ହୋଇଯାଉଛି। ମୁଁ କେବଳ ଏତିକି ବୁଝେ ଯେ, ଆଲ୍ଲା ହୁଏତ ମୋ ଜୀବନରେ ଜେଜେମା ରୂପରେ ହାଜର ହୋଇ ସବୁ ଅସାଧ୍ୟକୁ ସାଧ୍ୟ କରିଦେଇଛନ୍ତି।
ଆପଣ କହନ୍ତି, ଜେଜେମା’ଙ୍କ ଯୋଗୁ ହିଁ ଜୀବନ ଫେରି ପାଇଛନ୍ତି?
ହଁ...। ମୋ ଜୀବନ ବିଷୟରେ ଯେକୌଣସି ପ୍ରଶ୍ନର ଉତ୍ତର ତା’ ବିନା ଅଧୁରା। ମୋ ଜୀବନର ପ୍ରତିଟି ମୁହୂର୍ତ୍ତର ସେ ହିଁ ସାକ୍ଷୀ। ମୁଁ ତା’ ନିଃଶ୍ୱାସ ହେଲେ ସେ ମୋ ପ୍ରଶ୍ୱାସ। ଯଦି ମୋ ଜୀବନ-ଯନ୍ତ୍ରଣା ଓ ସଂଘର୍ଷ ଗୋଟାଏ ବିଶ୍ୱବିଦ୍ୟାଳୟ ହୁଏ, ତା’ହେଲେ ସେଠାରେ ପାଠ ପଢ଼ାଇ ମୋତେ ଉତ୍ତୀର୍ଣ୍ଣ କରାଇଛି ମୋ ଜେଜେମା’। ତା’କୁ ବାଦ୍ ଦେଇ ମୋ ଜୀବନୀ ଲେଖାଯାଇ ପାରିବନି। ବଞ୍ଚିରହିବା ଠାରୁ ନେଇ ମୁଁ ହାସଲ କରିଥିବା ସମସ୍ତ ସଫଳତାର ଶ୍ରେୟ ପାଇବାର ହକ୍ଦାର କେବଳ ମୋ ଜେଜେମା।
ଆପଣଙ୍କର କିଛି ଅପୂରଣୀୟ ଅଭିଳାଷ ଅଛି କି?
କ୍ରିକେଟ୍ ସହିତ ପରିଚୟ ହେବା ଦିନରୁ ମୁଁ ସଚିନ ଓ ବିରାଟଙ୍କୁ ଭେଟିବାକୁ ଖୁବ୍ ବ୍ୟଗ୍ର ହୋଇ ଅପେକ୍ଷା କରିଥିଲି। ସଚିନଙ୍କୁ ଭେଟିବା ପରେ ମୁଁ ବହୁତ ଖୁସି ଓ ଗୌରବାନ୍ବିତ ମନେ କରୁଛି। କେବଳ ଥରେ ବିରାଟଙ୍କୁ ଦେଖା କରିଦେଲେ ଅତ୍ୟନ୍ତ ସୌଭାଗ୍ୟଶାଳୀ ବୋଲି ମନେକରିବି।