ଭୁବନେଶ୍ବର: କଟକର ବିଭିନ୍ନ ପଡ଼ିଆରେ ଚାଲିଥିବା ଅନ୍ତଃଜିଲ୍ଲା ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ ବୁଧବାର କଟକ, ଖୋର୍ଦ୍ଧା, ପାରାଦୀପ, ବାଲେଶ୍ବର, ସମ୍ବଲପୁର, ବଲାଙ୍ଗୀର ବିଜୟୀ ହୋଇଛନ୍ତି। ସନସାଇନ୍‌ ପଡ଼ିଆରେ କଟକ ୧୦ ୱିକେଟ୍‌ରେ ବୌଦ୍ଧକୁ ପରାସ୍ତ କରିଛି। ବୌଦ୍ଧ ୧୭ ଓଭର ବ୍ୟାଟିଂ କରିବା ସହ ୮ ୱିକେଟ୍‌ ବିନିମୟରେ ମାତ୍ର ୧୧ ରନ୍‌ ସଂଗ୍ରହ କରିଥିଲା ବେଳେ କଟକ ୨.୨ ଓଭରରେ ବିନା କୌଣସି ୱିକେଟ୍‌ ହରାଇ ମ୍ୟାଚ୍‌ ଜିତିଥିଲା। ବିଜୟୀ ଦଳର ଶ୍ରେୟା ପ୍ରିୟଦର୍ଶିନୀ ୩ ଓଭର ବୋଲିଂ କରିବା ସହ କୌଣସି ରନ୍‌ ବ୍ୟୟ ନକରି ୧ ୱିକେଟ୍‌ ଅକ୍ତିଆର କରିଥିଲେ। ବିଡ଼ାନାସୀ ପଡ଼ିଆରେ ‌ଖୋର୍ଦ୍ଧା ୧୭୭ ରନ୍‌ରେ ନୟାଗଡ଼କୁ ହରାଇଛି। ସାଇ କୃପାଙ୍କ ୫୪ ରନ୍‌ ସହାୟତାରେ ଖୋର୍ଦ୍ଧା ୨୨୨/୮ କରିଥିଲା। ହେଲେ ବିପର୍ଯ୍ୟୟର ଶିକାର ହୋଇଥିବା ନୟାଗଡ଼ ବିଜୟ ଲକ୍ଷ୍ୟ ହାସଲ କରିନପାରି ୪୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ରେଭେନ୍ସା ୧ନମ୍ବର ପଡ଼ିଆରେ ପାରାଦୀପ ୮୧ ରନ୍‌ରେ ସୁନ୍ଦରଗଡ଼କୁ ମାତ୍‌ ଦେଇଛି। ପାରାଦୀପ ୨ ୱିକେଟ୍‌ ବିନିମୟରେ ୧୪୧ ରନ୍‌ କରିଥିଲା।

Advertisment

ଜବାବରେ ସୁନ୍ଦରଗଡ଼ ୮ ୱିକେଟ୍‌ ହରାଇ ୬୦ ରନ୍‌ କରିପାରିଥିଲା। ସାଇସ୍ତୁତି ବର୍ଦ୍ଧନ ୨୩ ରନ୍‌ ବିନିମୟରେ ୪ ୱିକେଟ୍‌ ଅକ୍ତିଆର କରିଥିଲେ। ରେଭେନ୍ସା ୨ ନମ୍ବର ପଡ଼ିଆରେ ବାଲେଶ୍ବର ୨୨୭ ରନ୍‌ରେ ସୁବର୍ଣ୍ଣପୁରକୁ ହରାଇଛି। ଅଞ୍ଜଳି ସିଂହଙ୍କ ଶତକୀୟ (୧୫୫*) ପାଳି ସହାୟତାରେ ବାଲେଶ୍ବର ବିନା କୌଣସି ୱିକେଟ୍‌ ହରାଇ ୨୫୮ ରନ୍‌ ସଂଗ୍ରହ କରିଥିଲା। ଜବାବ୍‌ରେ ସୁବର୍ଣ୍ଣପୁର ମାତ୍ର ୩୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ସନସାଇନ୍‌ ପଡ଼ିଆରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ସମ୍ବଲପୁର ୩୪ ରନ୍‌ରେ କଳାହାଣ୍ଡିକୁ ହରାଇଛି। ସମ୍ବଲପୁରର ୧୦୬/୪ ରନ୍‌ ଜବାବରେ କଳାହାଣ୍ଡି ୫ ୱିକେଟ୍‌ ବିନିମୟରେ ୭୨ ରନ୍‌ କରିପାରିଥିଲା। ବିଜୟୀ ଦଳର ରଶ୍ମୀ ନାୟକ ଅଲରାଉଣ୍ଡ (୩୬ ରନ୍‌, ୨ ୱିକେଟ୍‌) ପ୍ରଦର୍ଶନ ଦେଇଥିଲେ। ବିଡ଼ାନାସୀ ପଡ଼ିଆରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ବଲାଙ୍ଗୀର ୯ ୱିକେଟ୍‌ରେ ମୟୂରଭଞ୍ଜକୁ ପରାସ୍ତ କରିଛି। ରାମେଶ୍ବରୀ ନାୟକଙ୍କ (୫/୧୧) ଘ‌ାତକ‌ ବୋଲିଂକୁ ସାମ୍ନା କରିନପାରି ମୟୂରଭଞ୍ଜ ୨୮ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଏହି ସହଜ ଲକ୍ଷ୍ୟକୁ ବଲାଙ୍ଗୀର ୩.୧ ଓଭରରେ ମାତ୍ର ୧ ୱିକେଟ୍‌ ବିନିମୟରେ ହାସଲ କରିଥିଲା।