ରବିବାର ରୋମାଞ୍ଚରେ ଯୁଗଳ ଲଢ଼େଇ

ଭୁବନେଶ୍ୱର: ସୁପର କପ୍‌ର ରବିବାର ଦ୍ୱିତୀୟ ଦିନ ଦୁଇଟି ମୁକାବିଲା ହେବ। ସଂଧ୍ୟା ୫ଟାରୁ ପ୍ରଥମ ଲଢ଼େଇରେ ଆଇଏସ୍‌ଏଲ୍‌ ଉପବିଜେତା ବେଙ୍ଗାଲୁରୁ ଏଫ୍‌ସି ଆଇଲିଗ୍‌ର ଉଦୀୟମାନ ଦଳ ଗୋକୁଳମ କେରଳା ଏଫ୍‌ସିକୁ ଭେଟିବ। ରାତି ୮ଟାରେ ଦ୍ୱିତୀୟ ମ୍ୟାଚ୍‌ରେ ଯୋଗ୍ୟତା ପର୍ଯ୍ୟାୟରୁ ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ଚର୍ଚିଲ ବ୍ରଦର୍ସ ଓ ଆଇଲିଗ୍‌ର ଚର୍ଚିତ ଦଳ ମୋହନ ବାଗାନ ମୁହାଁମୁହିଁ ହେବେ। ପରୋକ୍ଷରେ ଏହି ଦୁଇଟି ମ୍ୟାଚ୍‌ ଦେଶର ଦୁଇ ଲୋକପ୍ରିୟ ପେସାଦାର ଲିଗ୍‌ ଆଇଏସ୍‌ଏଲ୍‌ ଏବଂ ଆଇଲିଗ୍‌ ମଧ୍ୟରେ ମୁକାବିଲା ହେବ। କାରଣ ଚେନ୍ନାଇନ୍‌ ଏଫ୍‌ସିଠୁ ହାରି ବେଙ୍ଗାଲୁରୁ ଅଳ୍ପକେ ଆଇଏସ୍‌ଏଲ୍‌ର ବିଜେତା ହେବାରୁ ବଞ୍ଚିତ ହୋଇଥିଲା। ଅନ୍ୟପକ୍ଷରେ ଗୋକୁଳମ୍‌ ଲଢ଼ୁଆ ଖେଳ ଖେଳି ଆଇଲିଗର ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଦ୍ୱିତୀୟ ମ୍ୟାଚ୍‌ର ଚର୍ଚିଲ ବ୍ରଦର୍ସ ସୁପରକପର ଯୋଗ୍ୟତା ପର୍ଯ୍ୟାୟରେ ଦିଲ୍ଲୀ ଡାଇନାମସକୁ ପରାସ୍ତ କରି ମୁଖ୍ୟ ପର୍ଯ୍ୟାୟ ଲାଗି ଟିକେଟ ହାସଲ କରିଥିଲା। ସେପଟେ ଏସିଆ ମହାଦେଶର ସବୁଠାରୁ ପୁରୁଣା ଫୁଟବଲ୍‌ କ୍ଲବ୍‌ ମୋହନ ବାଗାନ ଆଇଲିଗର ତୃତୀୟ ସ୍ଥାନରେ ରହି ମୁଖ୍ୟ ପର୍ଯ୍ୟାୟକୁ ଯାଇଛି।

ତଥାପି ପୂରିଲାନି କଳିଙ୍ଗ
ଫେବ୍ରୁଆରିର ଆଇଏସଏଲ୍‌ ମ୍ୟାଚ୍‌ ବେଳେ କଳିଙ୍ଗ ଷ୍ଟାଡିୟମ୍‌ ଗ୍ୟାଲେରି ପାଖା ପାଖି ୭୦ ପ୍ରତିଶତ ପୂରିଥିଲା। ଚଳିତ ମାସ ୧୫ ଓ ୧୬ ତାରିଖରେ ଖେଳା ଯାଇଥିବା ସୁପର କପର ଯୋଗ୍ୟତା ପର୍ଯ୍ୟାୟ ବେଳକୁ ଏହି ସଂଖ୍ୟା ଯଥେଷ୍ଟ କମି ଯାଇଥିଲା। ଆଶା ଥିଲା ମୁଖ୍ୟ ପର୍ଯ୍ୟାୟ ବେଳକୁ ଏହି ସ୍ଥିତି ବଦଳିବ। ଷ୍ଟାଡିୟମ୍‌ ପୂରା ନହେଲେ ମଧ୍ୟ ୮୦-୯୦ ପ୍ରତିଶତ ଭରିଯିବ। ଏଥିଲାଗି ବିଭିନ୍ନ ବିଦ୍ୟାଳୟ ଓ କ୍ରୀଡ଼ା ସଂଗଠନରେ ପାସ୍‌ ବଣ୍ଟା ଯାଇଥିଲା। ଟିକେଟ ଦର ମଧ୍ୟ କମ କରି ଦିଆ ଯାଇଥିଲା। ହେଲେ ଏସବୁ କିଛି କାମ ଦେଲାନି। ଶନିବାର ସୁପର କପର ଉଦଘାଟନୀ ମ୍ୟାଚ୍‌ ଲାଗି ମାତ୍ର ୧,୦୦୦ରୁ ୧୫୦୦ ଦର୍ଶକ ଷ୍ଟାଡିୟମରେ ଥିଲେ। ସେଥିରୁ ଏକ ତୃତୀୟାଂଶ ସ୍କୁଲ୍‌ ପିଲା ଏବଂ ପାସ୍‌ ଧାରୀ ଥିଲେ। ଫଳରେ ଷ୍ଟାଡିୟମ୍‌ ପୂରା ଖାଁ ଖାଁ ଲାଗୁଥିଲା। ଭିଆଇପି ଗ୍ୟାଲେରି ଏବଂ ସ୍କୁଲ୍‌ ପିଲା ବସିଥିବା ଗ୍ୟାଲେରି ବାଦ୍‌ ପ୍ରାୟ ସବୁ ଗ୍ୟାଲେରି ଖାଲି ଥିଲା। ଶନିବାର ନିରାଶ ହେବା ପରେ ରବିବାର ଛୁଟି ଏବଂ ଦୁଇଟି ମ୍ୟାଚ୍‌କୁ ଆଖି ଆଗରେ ରଖି କଳିଙ୍ଗରେ ଦର୍ଶକ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି। ଗ୍ଲାମର ଏବଂ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମର ଅଭାବ ଏହାର ଅନ୍ୟତମ କାରଣ ବୋଲି ଅନେକ ଦର୍ଶକ କଥା ହେଉଥିବା ଶୁଣିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର