ଇଞ୍ଜମାମ୍‌ ପାକିସ୍ତାନର ରିଚାର୍ଡସ: ସାକ୍‌ଲିନ୍‌

ବିନା ହେଲେ୍‌ମେଟ୍‌; ମ୍ୟାଚ୍‌ ବିଜେତା

ଇସ୍‌ଲାମାବାଦ: ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଦୁର୍ଦ୍ଦର୍ଷ ବ୍ୟାଟ୍‌ସମ୍ୟାନ୍‌ ଭିଭିଆନ୍‌ ରିଚାର୍ଡସ୍‌ ତାଙ୍କ କ୍ରିକେଟ୍‌ ଜୀବନ ମଧ୍ୟରେ ଅଧିକାଂଶ ଘାତକ ତଥା ମାରାତ୍ମକ ବୋଲରଙ୍କୁ ସାମ୍‌ନା କରିଥିଲେ। ହେଲେ କେବେ ବି ସେ ପଡ଼ିଆ‌ରେ ବ୍ୟାଟିଂ କଲାବେଳେ ହେଲ୍‌ମେଟ୍‌ ପିନ୍ଧିଥିବା କେହି ଦେଖିନଥିବେ। ଏନେଇ ମଧ୍ୟ କିଛି ସେ ରହସ୍ୟ ଖୋଲିଥିଲେ। କ୍ରିଜ୍‌ରେ ବ୍ୟାଟିଂ କଲାବେଳେ ମୋର ମୃତ୍ୟୁକୁ ଡର ନଥିଲା ଏବଂ ମରିଯିବି ବୋଲି ଚିନ୍ତା କରୁନଥିବାରୁ ହେଲ୍‌ମେଟ୍‌ ପିନ୍ଧେନି ବୋଲି ରିଚାର୍ଡସ କହିଥିଲେ। ତାଙ୍କର ଏଭଳି ରହସ୍ୟ ପଦାକୁ ଆସିବା ପରେ ଏବେ ପୂର୍ବତନ ପାକିସ୍ତାନୀ ସ୍ପିନର ସାମ୍‌ଲିନ୍‌ ମୁସ୍ତାକ ନିଜ ଦେଶର ଇଞ୍ଜମାମ୍‌ ଉଲ୍‌ ହକ୍‌ଙ୍କୁ ପାକିସ୍ତାନର ରିଚାର୍ଡସ ବୋଲି ଆଖ୍ୟା ଦେଇଛନ୍ତି। ପାକିସ୍ତାନ ଜର୍ସିରେ ଇଞ୍ଜମାମ୍‌ ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌। ଯେକୌଣସି ବୋଲିଂ ଆକ୍ରମଣକୁ ପ୍ରତିହତ କରିବାରେ ତାଙ୍କର ସାମର୍ଥ୍ୟ ଥିଲା। ଯେଉଁଥିପାଇଁ ଜଣେ ଗେମ୍‌ ଚେଞ୍ଜର ଏବଂ ମ୍ୟାଚ୍‌ ବିଜେତା ଭାବେ ନିଜକୁ ପ୍ରମାଣିତ କରିପାରିଥିଲେ ବୋଲି ସାକ୍‌ଲିନ୍‌ କହିଛନ୍ତି।

ମୋର ମନେ ପଡୁଛି, ସେ ଯେତେବେଳେ ପାକିସ୍ତାନ ଦଳକୁ ଆସିଥିଲେ ତା’ ପୂର୍ବରୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ବହୁ କୀର୍ତ୍ତି ରଚିସାରିଥିଲେ। ସେ କେବେ ବି ହେଲ୍‌ମେଟ୍‌ ବ୍ୟବହାର କରୁନଥି‌ଲେ। ଏହା ସତ୍ତ୍ବେ ସେ ବୋଲରମାନଙ୍କୁ ଫ୍ରଣ୍ଟ୍‌ ଫୁଟ୍‌ (ପାଦ ଆଗକୁ ନେଇ)ରେ ପୁଲ୍‌ ଓ ହୁକ୍‌ କରୁଥିଲେ। ଆଉ ଯେତେବେଳେ ପାକିସ୍ତାନ ଦଳ ପାଇଁ ମନୋନୀତ ହେଲେ ସେତେବେଳେ ଇମ୍ରାନ୍‌ ଖାନ୍‌ ଅଧିନାୟକ ଥିଲେ। ଇମ୍ରାନ୍‌ ନେଟ୍‌ ଅଭ୍ୟାସ ବେଳେ ୱାସିମ୍‌ ଆକ୍ରମ ଓ ୱକାର ୟୁନୁସ୍‌ଙ୍କୁ ବଲ୍‌ ଦେଇ ନବାଗତଙ୍କୁ ପରଖିବା ପାଇଁ କହିଥିଲେ ବୋଲି ସାକ୍‌ଲିନ୍‌ ମନେ ପକାଇଥିଲେ। ଉଭୟ ଆକ୍ରମ୍‌ ଓ ୟୁନୁସ୍‌ ମଧ୍ୟ ପୂରା ଗତିରେ ବାଉଁସର ମାରିବାକୁ ଇମ୍ରାନ୍‌ ପ୍ରବର୍ତାଇଥିଲେ। ଇଞ୍ଜମାମ୍‌ ପ୍ୟାଡ୍‌ ପିନ୍ଧି ନେଟ୍ସକୁ ଯାଇଥିଲେ। ହେଲେ ବିନା ହେଲ୍‌ମେଟ୍‌ରେ। ଆଉ ଯେପରି ଢଙ୍ଗରେ ଦୁଇ ଦ୍ରୁତ ବୋଲର ଆକ୍ରାମ୍‌ ଓ ୟୁନୁସ୍‌ଙ୍କୁ ସାମ୍‌ନା କଲେ ସେଥିରେ ଇମ୍ରାନ୍‌ ଏତେ ମାତ୍ରାରେ ପ୍ରଭାବିତ ହୋଇପଡ଼ିଲେ ଯେ ଇଞ୍ଜମାମ୍‌ଙ୍କୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ପଦାର୍ପଣ ସୁଯୋଗ ଦେଲେ। କେବଳ ଏକ ଟୋପି ପିନ୍ଧି ଫ୍ରଣ୍ଟ୍‌ ଫୁଟ୍‌ରେ ସେ ପୁଲ୍‌ ଓ ହୁକ୍‌ ସଟ୍‌ ଖେଳି ସମସ୍ତଙ୍କୁ ଚକିତ କରିଥିଲେ। ୱେଷ୍ଟଇଣ୍ଡିଜ୍‌ ବୋଲରଙ୍କ ବିପକ୍ଷରେ ସବୁପ୍ରକାର ସଟ୍‌ ଖେଳିପାରିବାରୁ ସେତେବେଳେ ତାଙ୍କୁ ପ୍ରତ୍ୟେକ ପାକିସ୍ତାନ ପାଇଁ ଭିଭି ରିଚାର୍ଡସ ବୋଲି ଡାକୁଥିଲେ। କ୍ରିଜ୍‌ରେ ତାଙ୍କ ପଦଚାଳନା କ୍ଷୀପ୍ର ଥିଲା। ସେଥିପାଇଁ ହୁଏତ ବିନା ହେଲ୍‌ମେଟ୍‌ରେ ସେ ବୋଲରମାନଙ୍କୁ ସଠିକ୍‌ ଭାବେ ସାମ୍‌ନା କରିପାରୁଥିଲେ। ମୁଁ ତାଙ୍କ ସହ ବହୁ ମ୍ୟାଚ୍‌ ଖେଳିଛି, ନେଟ୍‌ସରେ ମଧ୍ୟ ବହୁବାର ବୋଲିଂ କରିଛି। ହେଲେ ତାଙ୍କୁ କଦାପି ଷ୍ଟମ୍ପ୍‌ ଆଉଟ୍‌ କରିପାରିନଥିଲି ବୋଲି ସାକ୍‌ଲିନ୍‌ କହିଛନ୍ତି। ପ୍ରକୃତରେ ସେ ଜଣେ ଗେମ୍‌ ଚେଞ୍ଜର, ଶକ୍ତିଶାଳୀ ହିଟର। ଆଉ ତାଙ୍କୁ ସବୁବେଳେ ପ୍ରତିପକ୍ଷ ଭୟ କରୁଥିଲା ବୋଲି ସାକ୍‌ଲିନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର