ସୁପ୍ରିମ୍‌କୋର୍ଟରେ ଆଇଓଏ ନିର୍ବାଚନ ମାମଲା: ଚିଠା ସମ୍ବିଧାନ ଆପତ୍ତିର ଶୁଣାଣି ୭ରେ

ନୂଆଦିଲ୍ଲୀ : ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ଚିଠା ସମ୍ବିଧାନ ଉପରେ ରହିଥିବା ଆପତ୍ତି ସଂପର୍କରେ ଡିସେମ୍ବର ୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ଆଇଓଏ ନିର୍ବାଚନ ସଂକ୍ରାନ୍ତୀୟ ମାମଲାରେ ସୁପ୍ରିମ୍‌କୋର୍ଟରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡି.ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଚିଠା ସମ୍ବିଧାନରେ ଥିବା ଆପତ୍ତି ଉପରେ ଜରୁରୀକାଳୀନ ଶୁଶାଣି କରିବା ପାଇଁ ହୋଇଥିବା ଅନ୍ତରୀଣ ଆବେଦନକୁ ଖାରଜ କରିବା ସହିତ ସମସ୍ତ ଅଭିଯୋଗ ଉପରେ ପରବର୍ତ୍ତୀ ଶୁଶାଣିରେ ବିଚାର କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ଆଇଓଏର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକରେ ଏହାର ଚିଠା ସମ୍ବିଧାନକୁ ଅନୁମୋଦନ ମିଳିଥିଲା। କିନ୍ତୁ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରା ନିଯୁକ୍ତ ଅବସରପ୍ରାପ୍ତ ବିଚାରପତି ଏଲ୍‌. ନାଗେଶ୍ବର ରାଓ ଓ ଆନ୍ତର୍ଜାତିକ ଅଲିମ୍ପିକ କମିଟି (ଆଇଓସି) ନୀରିକ୍ଷଣରେ ପ୍ରସ୍ତୁତ ହୋଇଥିବା ଏହି ଚିଠା ସମ୍ବିଧାନ ଉପରେ କିଛି ସଦସ୍ୟ ଆପତ୍ତି ଉଠାଇଥିଲେ। ପରେ ଆଇଓଏ ମହାସଚିବ ରାଜୀବ ମେହେଟା ଚିଠା ସମ୍ବିଧାନର କିଛି ଧାରା ଉପରେ ଦ୍ବିମତ ରହିଥିବା ନେଇ ଆଇଓସିକୁ ଅବଗତ କରାଇଥିଲେ। ପୂର୍ବରୁ ଡିସେମ୍ବର ସୁଦ୍ଧା ନିର୍ବାଚନ ସାରିବାକୁ ଆଇଓସି ପକ୍ଷରୁ ଆଇଓଏକୁ କୁହାଯାଇଥିଲା। ନଚେତ୍‌ ଏହାକୁ ନିଲମ୍ବନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ତେବେ ପ୍ରସ୍ତୁତ କରାଯାଇଥିବା ଚିଠା ସମ୍ବିଧାନର ପାଖାପଖି ୬ଟି ବିଷୟ ଉପରେ ସଂଶୋଧନ କରାଯିବା ଆବଶ୍ୟକତା ରହିଥିବା କିଛି ସଦସ୍ୟ କହିଥିଲେ। ଏପରିକି ସାଧାରଣ ପରିଷଦର ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନିଆଯାଇଥିବା ଅଭିଯୋଗ ହୋଇଥିଲା। ନିଲମ୍ବନ କରାଯିବା ଭୟ ଥିବା ସତ୍ତ୍ବେ ଯଦି ଧାର୍ଯ୍ୟ ସମୟ ସୁଦ୍ଧା ନିର୍ବାଚନ ନହୁଏ, ତାହେଲେ ଆଇଓଏ ଏହାର ସମ୍ବିଧାନରେ ପରିବର୍ତ୍ତନ କରିବାକୁ ବାଧ୍ୟ ହେବ। ପୂର୍ବରୁ ସୁପ୍ରିମ୍‌କୋର୍ଟଙ୍କ ମଞ୍ଜୁରିକ୍ରମେ ଆଇଓଏ ନିର୍ବାଚନକୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

ସମ୍ବନ୍ଧିତ ଖବର