ନୂଆଦିଲ୍ଲୀ : ଭାରତୀୟ ଭଲିବଲ୍ ସଂଘ (ଭିଏଫ୍ଆଇ)ର କ୍ଷମତା ଲଢ଼େଇ ଅଦାଲତରେ ଚାଲିଥିବା ବେଳେ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ମଙ୍ଗଳବାର ଏକ ଆଡହକ କମିଟି ଗଠନ କରିଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ପରାମର୍ଶକ୍ରମେ ଆଇଓଏ ଏହି ଆଡହକ୍ କମିଟି ଗଠନ କରିଛି। ୪୫ ଦିନ ଭିତରେ ଭିଏଫ୍ଆଇର ନୂଆ କର୍ମକର୍ତ୍ତା ନିର୍ବାଚନ କରାଇବା ପର୍ଯ୍ୟନ୍ତ ଏହି କମିଟି ସଂଘର ଦାୟିତ୍ବ ତୁଲାଇବ।
ଆଇଓଏର କାର୍ଯ୍ୟକାରୀ ପରିଷଦ ସଦସ୍ୟ ରୋହିତ ରାଜପାଲ ଏହି ୪ ଜଣିଆ କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ ଅଳକାନନ୍ଦ ଅଶୋକ, ପୂର୍ବତନ ଭଲିବଲ୍ ଖେଳାଳି ଏସ ଗୋପୀନାଥ ଏବଂ ଭିଆଇଭିବିର ଆଇନ ଓ ଜେନେରାଲ୍ କାଉନସେଲ୍ ମୁଖ୍ୟ ଷ୍ଟିଭେନ୍ ବକ୍ ସଦସ୍ୟ ରହିଛନ୍ତି। ଆଡହକ୍ କମିଟି ପରାମର୍ଶରେ ମଧ୍ୟ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ବେଙ୍ଗାଲୁରୁ କେନ୍ଦ୍ରରେ ଏସୀୟ କ୍ରୀଡ଼ା ଲାଗି ଚୟନ ପ୍ରକ୍ରିୟା ଜୁନ୍ ୧୮ରୁ ୨୨ ତାରିଖ ମଧ୍ୟରେ କରାଯିବ ବୋଲି ଆଇଓଏ ଘୋଷଣା କରିଛି। ଦୁଇ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଶ୍ୟାମସୁନ୍ଦର ରାଓ ଏବଂ ରମଣା ରାଓଙ୍କ ଅଧ୍ୟକ୍ଷତାରେ ଯଥାକ୍ରମେ ପୁରୁଷ ଓ ମହିଳା ଦଳ ଚୟନ କରାଯିବ ବୋଲି ଆଇଓଏ କହିଛି।