ନୂଆଦିଲ୍ଲୀ : ଏସୀୟ କ୍ରୀଡ଼ା ପାଇଁ ଭାରତୀୟ କୁସ୍ତିଯୋଦ୍ଧା ଦଳର ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ଆଉ ଅଧିକ କିଛି ଦିନ ସମୟ ଦେବାକୁ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଶୁକ୍ରବାର ଏସୀୟ ଅଲିମ୍ପିକ ପରିଷଦ (ଓସିଏ) କୁ ଅନୁରୋଧ କରିଛି। ସମସ୍ତ କ୍ରୀଡ଼ାବିତ୍‌ଙ୍କ ବିବରଣୀ ଜୁଲାଇ ୧୫ ତାରିଖ ସୁଦ୍ଧା ପଠାଇବାକୁ ଓସିଏ ସମୟ ଧାର୍ଯ୍ୟ କରିଥିଲା। କିନ୍ତୁ ଦିଲ୍ଲୀରେ ଆନ୍ଦୋଳନ କରିଥିବା କୁସ୍ତିଯୋଦ୍ଧାମାନେ କ୍ରୀଡ଼ାମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଏସୀୟ କ୍ରୀଡ଼ା ଟ୍ରାଏଲ୍ସ ଅଗଷ୍ଟ ମାସରେ କରିବା ପାଇଁ ଅନୁ‌ରୋଧ କରିଥିଲେ। ‌ଆନ୍ଦୋଳନରେ ବସିବା ଯୋଗୁଁ ଶୀର୍ଷ କୁସ୍ତିଯୋଦ୍ଧାମାନେ ଅଭ୍ୟାସ କରିବାକୁ ସୁଯୋଗ ପାଇନଥିଲେ। ଏସଂକ୍ରାନ୍ତରେ କୁସ୍ତିଯୋଦ୍ଧାମାନେ ମଧ୍ୟ କ୍ରୀଡ଼ା ବିଭାଗ ଉପସଚିବ ଏସ୍‌ପିଏସ୍‌ ତୋମାରଙ୍କୁ ଏକ ଚିଠି ଲେଖିଥିଲା ବେଳେ ମନ୍ତ୍ରାଳୟ ପକ୍ଷରୁ ଏହାକୁ ଡବ୍ଲୁଏଫ୍‌ଆଇ ବ୍ୟାପାର ବୁଝୁଥିବା ଆଡ୍‌-ହକ୍‌ କମିଟିକୁ ପଠାଇ ଦେଇଛି। ଏହାକୁ ଭିତ୍ତି କରି ଆଡ-ହକ୍‌ କମିଟି ଆଇ‌ଓଏକୁ ଅବଗତ କରାଇବାରୁ ଓସିଏକୁ ଅବଧି ବଢ଼ାଇବା ପାଇଁ ଚିଠି ଲେଖାଯାଇଥିବା ଜଣାପଡ଼ିଛି।

Advertisment

ସୋନିପତ୍‌ ସାଇ କେନ୍ଦ୍ରରେ ଅଭ୍ୟାସ ଆରମ୍ଭ କଲେ ବଜରଙ୍ଗ
ଏସୀୟ କ୍ରୀଡ଼ା ବିଜେତା ବଜରଙ୍ଗ ପୁନିଆ ସୋନିପତ୍‌ ବାହଲଗରସ୍ଥିତ ସାଇ ପ୍ରଶିକ୍ଷଣ କେନ୍ଦ୍ରରେ ତାଙ୍କର ଅଭ୍ୟାସ ଆରମ୍ଭ କରିଛନ୍ତି। ତାଙ୍କର ସାଥୀ ଖେଳାଳି ଜିତେନ୍ଦର କିହ୍ନାଙ୍କ ସହିତ ସେ ଅଭ୍ୟାସ କରୁଥିବା ଦେଖାଯାଇଛି। ଯଦି ବଜରଙ୍ଗଙ୍କୁ ଟ୍ରାଏଲ୍ସରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ସୁଯୋଗ ମିଳେ, ତାହେଲେ ତାଙ୍କର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ହେବେ ସୁରଜୀତ କଳାକଲ। ୬୫ କେଜି ଓଜନ ବର୍ଗରେ ସୁରଜୀତ ନୂଆ ବିଜେତା ଭାବେ ଉଭା ହୋଇଥିଲା ବେଳେ ସଦ୍ୟତମ ଜାତୀୟ ବିଜେତା ଓ ୨୩ ବର୍ଷରୁ କମ୍‌ ଏସୀୟ ବିଜେତା ହୋଇପାରିଛନ୍ତି। ଅନ୍ୟପକ୍ଷରେ କୁସ୍ତିଯୋଦ୍ଧାମାନେ ଭାରତ କିଷାନ ୟୁନିଅନ୍‌ ମୁଖ୍ୟ ରାକେଶ ଓ ନରେଶ ଟିକାୟତଙ୍କ ସହିତ ଆଲୋଚନା କରି ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ ଆଲୋଚନା କରିବେ। ପରେ ରବିବାର ଖାପ୍‌ ପଞ୍ଚାୟତ ଓ ଅନ୍ୟ କୃଷକ ନେତାମାନଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳନର ଭବିଷ୍ୟତ ଉପରେ ନୀତି ନିର୍ଦ୍ଧାରଣ କରାଯିବ ବୋଲି ଜଣାପଡ଼ିଛି।

ଆମ ଆନ୍ଦୋଳନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ: ସାକ୍ଷୀ
ସାକ୍ଷୀ ମଲ୍ଲିକ ଓ ତାଙ୍କ କୁସ୍ତିଯୋଦ୍ଧା ସ୍ବାମୀ ସତ୍ୟବ୍ରତ କାଡ଼ିଆନ୍‌ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଅପଲୋଡ କରିବା ସହ ସେମାନଙ୍କ ଆନ୍ଦୋଳନ କୌଣସି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ବୋଲି କହିଛନ୍ତି। ସାକ୍ଷୀଙ୍କ କହିବାନୁସାରେ, ଯନ୍ତରମନ୍ତରରେ ଜାନୁଆରିରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ପାଇଁ ପୁଲିସଠୁ ଅନୁମତି ନିଆଯାଇଥିଲା। ପୂର୍ବତନ କୁସ୍ତିଯୋଦ୍ଧା ବବିତା ଫୋଗତ ଓ ତୀରଥ ରାଣା ଅନୁମତି ପାଇଁ ଚିଠି ଲେଖିଥିବା ଭିଡିଓରେ ଦେଖାଯାଇଥିଲା। ଏହି ଆନ୍ଦୋଳନରେ କଂଗ୍ରେସର କୌଣସି ହାତ ନାହିଁ। ଦୀର୍ଘଦିନ ଧରି ନର୍ଯାତନା ହେଉଥିଲେ ମଧ୍ୟ କୁସ୍ତିଯୋଦ୍ଧାମାନେ ଏକାଠି ହୋଇପାରୁନଥିଲେ। ସେହିପରି ମହିଳା ସମ୍ମାନ ମହାପଞ୍ଚାୟତକୁ ଖାପ୍‌ ନେତାମାନେ ଆୟୋଜନ କରିଥିଲେ ଏବଂ ଆମେ ‌ସେମାନଙ୍କ ନିର୍ଦ୍ଦେଶ ପାଳନ କରୁଥିବାରୁ ପୁଲିସ ଆକ୍ରୋସର ଶିକାର ହୋଇଥିଲୁ। ପଦକ ଭସାଇବାକୁ ଯାଉଥିବା ବେଳେ ମଧ୍ୟ ଆମେ ଷଡ଼ଯନ୍ତ୍ରର ଶିକାର ହୋଇଥିବା ଜାଣିପାରିଥିଲୁ। ଏଥିସହିତ ଯଦି କିଛି ଭୁଲ୍‌ ହୋଇଯାଇଥାଏ, ସେଥିପାଇଁ ସାକ୍ଷୀ କ୍ଷମା ପ୍ରାର୍ଥନା କରିଛନ୍ତି। ୧୧ ମିନିଟ୍‌ର ଏହି ଭିଡିଓରେ ସତ୍ୟବ୍ରତ କହିଥିଲେ, କୁସ୍ତିଯୋଦ୍ଧାମାନେ ଏକତ୍ର ହୋଇନପାରିବାରୁ ପ୍ରଶାସନ ତାହାର ଫାଇଦା ଉଠାଇଥିଲା। ତେଣୁ ଯେଉଁଠି ବି ଅନ୍ୟାୟର ଶିକାର ହେଉଛନ୍ତି, ସେଠାରେ ସମସ୍ତେ ଏକାଠି ହୋଇ ସ୍ବର ଉତ୍ତୋଳନ କରିବାକୁ ସେ ଆହ୍ବାନ ଦେଇଥିଲେ।