ଆଇପିଏଲ୍‌ ୧୨: ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନକୁ ୪ ଓ୍ଵିକେଟରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍‌

ଜୟପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୫ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲସ୍‌କୁ ୪ ଓ୍ଵିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ୍‌ । ଦ୍ୱିତୀୟ ପାଳିରେ ୧୫୧ ରନ୍‌ର ପିଛା କରି ଚେନ୍ନାଇ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୧୫୫ ରନ୍‌ କରିଛି । ଧୋନି ଓ ରାୟୁଡୁଙ୍କ ଅର୍ଦ୍ଧଶତକୀୟ ପାଳି ଚେନ୍ନାଇକୁ ବିଜୟ ଦେଇଛି । ଚେନ୍ନାଇ ପକ୍ଷରୁ ଅମ୍ବାତି ରାୟୁଡୁ (୫୭ ରନ୍‌ ୪୭ ବଲ୍‌ ୨ ଚଉକା ୩ ଛକା) କରିଥିବା ବେଳେ ମହେନ୍ଦ୍ର ସିଂ ଧୋନି (୫୮ ରନ୍‌ ୪୩ ବଲ୍‌ ୨ ଚଉକା ୩ ଛକା)କରିଥିଲେ ଶେଷ ବଲରେ ୩ ରନ୍‌ ଦରକାର ଥିବାବେଳେ ମିଚେଲ ସାଣ୍ଟେନର୍‌ ୬ ମାରି ଚେନ୍ନାଇକୁ ବିଜୟ ଦେଇଥିଲେ । ଏହି ବିଜୟ ସହ ଚେନ୍ନାଇ ୧୨ ଅଙ୍କ ହାସଲ କରିବା ସହ ପଏଣ୍ଟ ତାଲିକାରେ ଶୀର୍ଷରେ ରହିଛି ।

ଚେନ୍ନାଇ ଅତି ଶସ୍ତାରେ ୪ଟି ଓ୍ଵିକେଟ ହରାଇଥିଲା। ସ୍କୋର ଶୂନ୍ୟ ଥିବା ବେଳେ ସେନ୍‌ ଓ୍ଵାଟସନ୍‌ ଆଉଟ୍‌ ହୋଇଥିଲେ। ସେହିପରି ସୁରେଶ ରାଇନା ଆଉଟ୍‌ ହେବା ବେଳକୁ ସ୍କୋର ୫ ରନ୍‌, ଫାଫ ଡୁ ପ୍ଲେସିସ ଯେତେବେଳେ ପାଭଲିଅନ୍‌ ଫେରିଥିଲେ, ସ୍କୋର ୧୫ ରନ୍‌ ଥିଲା। ରାଜସ୍ଥାନ ରୟାଲସ୍‌ର ୪ର୍ଥ ଶିକାର ହୋଇଥିଲେ କେଦାର ଜାଦବ। ୫.୫ ଓଭରରେ କେଦାର ଯାଦବ ଆଉଟ୍‌ ହୋଇଥିଲେ। ସେତେବେଳକୁ ଚେନ୍ନାଇର ସ୍କୋର ୨୪ ରନ୍‌ ଥିଲା।

ପ୍ରଥମ ଇନିଂସରେ ରାଜସ୍ଥାନ ରୟାଲସ୍‌କୁ ଚେନ୍ନାଇ ସୁପର କିଙ୍ଗସ୍‌ ୧୫୧ ରନ୍‌ରେ ଅଟକାଇଥିଲା। ଜୟପୁରସ୍ଥିତ ସଓ୍ଵାଇ ମାନସିଂ ଷ୍ଟାଡିୟମ୍‌ରେ ଗୁରୁବାର ଚେନ୍ନାଇ ଟସ୍‌ ଜିଣି ବୋଲି କରିବାକୁ ନିଷ୍ପତ୍ତି ନେବା ପରେ ରାଜସ୍ଥାନ ବ୍ୟାଟିଂ କରିଥିଲା। ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୫୧ ରନ୍‌ କରିବା ପରେ ଚେନ୍ନାଇକୁ ୧୫୨ ରନ୍‌ ଟାର୍ଗେଟ ମିଳିଥିଲା।

ରାଜସ୍ଥାନର କୌଣସି ଖେଳାଳି ବ୍ୟକ୍ତିଗତ ଭାବେ ୩୦ ରନ୍‌ କରିପାରି ନ ଥିଲେ। ଦଳକୁ ସ୍କୋର ୩୧ ରନ୍‌ରେ ପ୍ରଥମ ଝଟକା ଲାଗିଥିଲା। ଟିମ୍‌ ଦ୍ୱିତୀୟ ଓ୍ଵିକେଟ ଭାବରେ ଜୋସ୍‌ ବଟଲରଙ୍କୁ ହରାଇଥିବା ବେଳେ ଚେନ୍ନାଇର ୩ୟ ଶିକାର ହୋଇଥିଲେ ସଂଜୁ ସାମସନ୍‌। ସେହିପରି ସ୍କୋର ୬୯ ରନ୍‌ରେ ରାହୁଲ ତ୍ରିପାଠୀ, ୭୮ ରନ୍‌ରେ ଷ୍ଟିଭେନ ସ୍ମିଥ, ୧୦୩ ରନ୍‌ରେ ରିୟାନ ପ୍ରଜ୍ଞା ଓ ୧୨୬ ରନ୍‌ରେ ବେନ୍‌ ଷ୍ଟୋକ୍‌ ଆଉଟ୍‌ ହୋଇଥିଲେ। ରୟାଲ ଅଷ୍ଟମ ଓ୍ଵିକେଟରେ ୧୦ଟି ବଲରୁ ୨୫ ରନ ସଂଗ୍ରହ ହୋଇଥିଲା। ଜୋଫ୍ରା ଆର୍ଚ୍ଚର ଅପରାଜିତ ୧୨ ରନ ଓ ଶ୍ରେୟସ ଗୋପାଳ ଅପରାଜିତ ୧୯ ରନ୍‌ କରିଥିଲେ।

ରାଜସ୍ଥାନ ପାଇଁ ବେନ୍‌ ଷ୍ଟୋକସ୍‌ ସର୍ବାଧିକ ୨୮ ରନ୍‌, ବଟଲର ୨୩ ରନ, ଗୋପାଳ ୧୯ ରନ, ରିୟାନ ୧୬ ରନ୍‌, ସ୍ମିଥ ୧୫ ରନ୍‌, ରାହାଣେ ୧୪ ରନ ଓ ଜୋଫ୍ରା ୧୩ ରନ କରିଥିଲେ। ଚେନ୍ନାଇର ଦିପକ ଚହର, ସିର୍ଦ୍ଧାର୍ଥ କାଉଲ ଓ ରବୀନ୍ଦ୍ର ଜାଦେଜା ୨-୨ ଓ୍ଵିକେଟ ନେଇଥିବା ବେଳେ ମିଚେଲ ସଟନର ଗୋଟିଏ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର