ଆଇପିଏଲ୍‌-୧୨ ଖେଳାଳି ନିଲାମ, ‘ବିସ୍ମୟ’ ବରୁଣ ସବୁଠୁ ଦାମୀ

ଯୁବିଙ୍କ ଭାଉ କମିଲା

ଜୟପୁର: ଆଇପିଏଲ୍-୨୦୧୯ ନିଲାମିରେ ଦୁଇ ଭାରତୀୟ ଜୟଦେବ ଉନାଦ୍‌କଟ୍‌ ଓ ବରୁଣ ଚକ୍ରବର୍ତୀ ୮.୪ କୋଟି ଲେଖାଏଁରେ କିଣା ହୋଇ ସବୁଠୁ ଦାମୀ ଖେଳାଳି ହୋଇଛନ୍ତି। ଗତବର୍ଷ ୧୧.୫ କୋଟିରେ ବିକ୍ରି ହୋଇଥିବା ଦ୍ରୁତ ବୋଲର ଉନାଦ୍‌କଟ୍‌ଙ୍କୁ ଏଥର ବି ରାଜସ୍ଥାନ ରୟାଲ୍‌ସ କିଣିଛି। ତେବେ ତାଙ୍କୁ ଗତଥର ତୁଳନାରେ ପ୍ରାୟ ୩ କୋଟି କମ୍‌ରେ ନେଇଛି। ତାମିଲନାଡୁର ବିସ୍ମୟ ସ୍ପିନର୍‌ ବରୁଣଙ୍କୁ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଆଶ୍ଚର୍ଯ୍ୟଜନକ ଭାବେ ୮.୪ କୋଟିରେ କିଣିବା ଚକିତ ଖବର ଦେଇଛି। ଭାରତର ବିଶ୍ବକପ୍ ବିଜେତା ତାରକା ଯୁବରାଜ ସିଂହଙ୍କ ଭାଉ କିନ୍ତୁ କମିଯାଇଛି। ମଙ୍ଗଳବାର ଶେଷ ପର୍ଯ୍ୟନ୍ତ ଅଲୋଡ଼ା ରହିଥି‌େଲ ମଧ୍ୟ ଶେଷକୁ ତାଙ୍କୁ ମୂଳରାଶି ୧ କୋଟିରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି। ଓଡ଼ିଶାରୁ କାହାରିକୁ ସୁଯୋଗ ମିଳିନାହିଁ। ଆଲୋଡ଼ା ରହିଥିବା ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ବ୍ରେଣ୍ଡନ ମ୍ୟାକ୍‌ଲମ୍‌, ଆଲେକ୍ସ ‌େହଲ୍‌ସ, କ୍ରିସ୍‌ ଜୋର୍ଡାନ୍‌,  କ୍ରିସ୍‌ ୱକ୍‌ସ, ବେନ୍‌ ମ୍ୟାକ୍‌ଡର୍ମଟ, ଆଦାମ୍‌ ଜାମ୍ପା, ଖାରି ପିଏରେ, ଫୱାଦ ଅହମ୍ମଦ (ସମସ୍ତେ ବିଦେଶୀ), ମନୋଜ ତିୱାରୀ, ଚେତେଶ୍ବର ପୂଜାରା, ନମନ ଓଝା, ରାହୁଲ୍‌ ଶର୍ମା, ମନନ ଭୋରା, ସଚିନ୍‌ ବେବି, ଅଙ୍କିତ ବାୱେଁ, ଅର୍ମାନ୍‌ ଜାଫର, ଆୟୂଷ ବାଦୋନି (ସମେସ୍ତ ଭାରତୀୟ)।

ଅନ୍ୟମାନଙ୍କ ମଧ୍ୟରେ ଇଂଲଣ୍ଡ୍‌ ଅଲ୍‌ରାଉଣ୍ଡର ସାମ୍‌ କରନ୍‌ ୭.୨ ଏବଂ ଦକ୍ଷିଣ ଆଫ୍ରିକାର କଲିନ୍‌ ଇନ୍‌ଗ୍ରାମ୍‌ ୬.୪ କୋଟିରେ ବିକ୍ରି ହୋଇ ଦାମୀ ତାଲିକାରେ ସାମିଲ ହୋଇଛନ୍ତି। ଭାରତୀୟ ସ୍ପିନର ଅକ୍ଷର ପଟେଲ, ମଧ୍ୟମଗତି ବୋଲର ମୋହିତ ଶର୍ମା, ଶିବମ୍‌ ଦୁବେ  ଏବଂ ୱେଷ୍ଟଇଣ୍ଡିଜ୍‌ ଅଲ୍‌ରାଉଣ୍ଡର କାର୍ଲୋସ୍‌ ବ୍ରାଥ୍‌ୱେଟ୍‌ ପ୍ରତ୍ୟେକ ୫ କୋଟି ଲେଖାଏଁରେ ବିକ୍ରି ହୋଇଛନ୍ତି। ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ୪.୮ କୋଟି, ୱେଷ୍ଟଇଣ୍ଡିଜ୍‌ର ନିକୋଲାସ୍‌ ପୂରନ୍‌ ଓ ସିମ୍ରନ୍‌ ହେଟ୍‌ମେୟର (୪.୨ ଲେଖାଏଁ) ପଛକୁ ପଛ ନାମି ଖେଳାଳି ଭାବେ ବିକ୍ରି ହୋଇଛନ୍ତି। ଭାରତୀୟଙ୍କ ମଧ୍ୟରେ ଜୟଦେବ ଉନାଦ୍‌କଟ୍‌ ଓ ବରୁଣ ଚକ୍ରବର୍ତୀ ମିଳିତ ଭାବେ ଦାମୀ ଖେଳାଳି ରହିଥିଲା ବେଳେ ବିଦେଶୀ ଭାବେ ଇଂଲଣ୍ଡ୍‌ ଅଲ୍‌ରାଉଣ୍ଡର ସାମ୍‌ କରନ୍‌ ସବୁଠୁ ଦାମୀ ଖେଳାଳି ହୋଇଛନ୍ତି। ଅନ୍ୟପକ୍ଷରେ ୧୫ ବର୍ଷ ବୟସ୍କ ଅଲ୍‌ରାଉଣ୍ଡର ପ୍ରୟାସ ରାୟବର୍ମନ୍, ୧୭ ବର୍ଷ ବୟସ୍କ ପ୍ରଭ୍‌ସିମ୍ରନ୍‌ ସିଂହ ଏବଂ ଆକାଶଦୀପ୍‌ ନାଥ ମଧ୍ୟ କୋଟିପତି ବନି ଯାଇଛନ୍ତି। ପ୍ରଭ୍‌ସିମ୍ରନ୍‌ ୪.୮,  ଆକାଶ ୩.୬ ଏବଂ ପ୍ରୟାସ ୧.୫ କୋଟିରେ ବିକ୍ରି ହୋଇଛନ୍ତି। ୮ଟି ଯାକ ଫ୍ରାଞ୍ଚାଇଜ୍‌ ଅଧିକାଂଶ ନାମି ଖେଳାଳିଙ୍କୁ ନିଜ ନିଜ ଦଳରେ ବଜାୟ ରଖିସାରିଥିଲା ବେଳେ ଅବଶିଷ୍ଟ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ମଙ୍ଗଳବାର ରାଜସ୍ଥାନର ଗୋଲାପୀ ସହର ଜୟପୁରରେ ଅନୁଷ୍ଠିତ ହୋଇଥିଲା। ମୋଟ ୧୦୦୩ ଖେଳାଳି ନାମ ପଞ୍ଜୀକରଣ କରିଥିଲା ବେଳେ କାଣ୍ଟଛାଣ୍ଟ୍‌ ପରେ ୨୨୬ ଭାରତୀୟଙ୍କ ସହ ମୋଟ ୩୪୬ ଖେଳାଳିଙ୍କ ନାମ ନିଲାମକୁ ଯାଇଥିଲା। ସେଥିରେ ୧୧୮ ନାମି ଓ ୨୨୮ ନୂଆ ‌ଖେଳାଳି ରହିଥିଲେ। ଏଥିରେ ମୋଟ ୬୦ ଜଣ ୧୦୬.୮୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଏମାନଙ୍କ ଭିତରେ ୪୦ ଭାରତୀୟ ଓ ୨୦ ବିଦେଶୀ ଖେଳାଳି ରହିଛନ୍ତି।

ସମ୍ବନ୍ଧିତ ଖବର