ଆଇପିଏଲ୍‌-୧୩ ନିଲାମ: କମିନ୍ସଙ୍କୁ ୧୫.୫ କୋଟି

ପ୍ରଥମ ଥର ଖେଳାଳି ଋଣ ବ୍ୟବସ୍ଥା

କୋଲ୍‌କାତା: ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ପାଇଁ ଖେଳାଳି ନିଲାମ ଗୁରୁବାର ଅନୁଷ୍ଠିତ ହୋଇଛି। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସଙ୍କୁ ସବୁଠୁ ଅଧିକ ମୂଲ୍ୟରେ କିଣି କୋଲ୍‌କାତା ନାଇଟ୍ ରାଇଡର୍ସ ଚର୍ଚ୍ଚାକୁ ଆସିଛି। ବିଦେଶୀ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ମୂଲ୍ୟରେ କିଣାଯିବାରେ କମିନ୍ସ ମଧ୍ୟ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ପୂର୍ବରୁ ୨୦୧୭ ନିଲାମରେ ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ରାଇଜିଂ ପୁନେ ସୁପର୍‌ ଜିଆଣ୍ଟ୍‌ସ ୧୪.୫ କୋଟିରେ କିଣିଥିଲା। ଚମତ୍କାର ବୋଲିଂ ଫର୍ମରେ ଥିବା କମିନ୍ସ ମଧ୍ୟ ବ୍ୟାଟିଂରେ ଉପ‌ଯୋଗୀ ପାଳି ଖେଳିଥାନ୍ତି। ଏହା ତାଙ୍କ ମୂଲ୍ୟକୁ ଉପରମୁହାଁ କରିଥିଲା। କମିନ୍ସଙ୍କୁ ନେବା ପଥରେ କେକେଆର୍‌ ଅନ୍ୟ ଦୁଇ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗା‌ଲୋର୍‌କୁ ପଛରେ ପକାଇବାକୁ ପଡ଼ିଥିଲା। କମିନ୍ସଙ୍କ ଅଷ୍ଟ୍ରେଲୀୟ ସାଥୀ ତଥା ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କୁ ୧୦.୭୫ କୋଟି ଟଙ୍କାରେ ପୁନଃ କ୍ରୟ କରିଛି କିଙ୍ଗ୍ସ ଏକାଦଶ ପଞ୍ଜାବ। ପଞ୍ଜାବକୁ ଏଥିପାଇଁ ଦିଲ୍ଲୀ କ୍ୟାପିଟାଲ୍‌ସ ସହ ଲଢ଼େଇ କରିବାକୁ ପଡ଼ିଥିଲା। ସୂଚନାଯୋଗ୍ୟ ଉଭୟ ମ୍ୟାକ୍ସୱେଲ୍ ଏବଂ କମିନ୍ସ ଗତବର୍ଷ ଆଇପିଏଲ୍‌ ଖେଳିନଥିଲେ। ୱେଷ୍ଟଇଣ୍ଡିଜ୍‌ର ସିମରନ୍‌ ହେଟମେୟର, ନାଥନ୍‌ କୁଲଟର୍ ନାଇଲ୍‌, ସାମ୍ କରନ୍‌, ପୀୟୂଷ ଚାୱଲା ପ୍ରମୁଖ ୫ କୋଟିରୁ ଊର୍ଧ୍ବ ମୂଲ୍ୟରେ ବିକ୍ରି ହୋଇଛନ୍ତି। ନିଲାମରେ ଅନ୍ୟ ବଡ଼ ମୂଲ୍ୟର ଖେଳାଳି ଥିଲେ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର କ୍ରିସ୍ ମୋରିସ୍‌ ଏବଂ ୱେଷ୍ଟଇଣ୍ଡିଜ୍‌ ଦ୍ରୁତ ବୋଲର୍‌ ସେଲଡନ୍‌ କଟ୍ରେଲ୍‌। ମୋରିସ୍‌ଙ୍କୁ ଆର୍‌ସିବି ୧୦ କୋଟିରେ ଏବଂ କଟ୍ରେଲଙ୍କୁ ପଞ୍ଜାବ ୮.୫୦ କୋଟିରେ କିଣିଛି। ବିଶ୍ବକପ୍‌ ବିଜେତା ଇଂଲଣ୍ଡ ଅଧିନାୟକ ଇଅନ୍ ମୋର୍ଗାନ୍‌ଙ୍କୁ କେକେଆର୍‌ ୫.୨୫ କୋଟିରେ କିଣିଛି। କମିନ୍ସ ଏବଂ‌ ମୋର୍ଗାନ୍‌ଙ୍କୁ କିଣିବା ସପକ୍ଷରେ ଯୁକ୍ତି ବାଢ଼ି କେକେଆର୍‌ ସହକାରୀ ପ୍ରଶିକ୍ଷକ ଅଭିଷେକ ନାୟାର୍‌ କହିଥିଲେ ‘ଉଭୟଙ୍କ ସାମ୍ପ୍ରତିକ ଫର୍ମ ଭଲ ରହିଛି। କମିନ୍ସଙ୍କ ଦକ୍ଷତାର ଖେଳାଳି ମିଳିବା ବଡ଼କଥା। ସେ ବ୍ୟାଟ୍ ଓ ବଲ୍‌ରେ ବଡ଼ ପ୍ରଭେଦ ପକାଇ ପାରିବେ’।

ଅନ୍ୟତମ ଅଷ୍ଟ୍ରେଲୀୟ ତଥା ମ୍ୟାକ୍ସୱେଲଙ୍କ ସୀମିତ ଓଭର ଦଳ ସାଥୀ ଆରୋନ୍‌ ଫିଞ୍ଚ୍‌ଙ୍କୁ ଆର୍‌ସିବି ୪.୪୦ କୋଟି‌ରେ କିଣିଛି। କିନ୍ତୁ ଗତବର୍ଷ କେକେଆର୍‌ ଛାଡ଼ିଥିବା ଅଷ୍ଟ୍ରେଲିଆର ବଡ଼ ହିଟ୍‌ ଅଲ୍‌ରାଉଣ୍ଡର୍‌ କ୍ରିସ୍ ଲିନ୍‌ଙ୍କୁ ତାଙ୍କ ମୂଳ ମୂଲ୍ୟ ୨ କୋଟିରେ ନେଇଛି ମୁମ୍ବାଇ ଇଣ୍ଡିଆନ୍ସ। ଭାରତୀୟ ଖେଳାଳି ରବିନ୍‌ ଉଥପ୍ପାଙ୍କୁ ୩ କୋଟିରେ କିଣିଛି ପ୍ରଥମ ସଂସ୍କରଣ ବିଜେତା ରାଜସ୍ଥାନ ରୟାଲ୍ସ। ଗତ ମାସରେ କେକେଆର୍‌ ତାଙ୍କୁ ଛାଡ଼ି ଦେଇଥିଲା, ହେଲେ ନିଜ ମୂଳ ମୂଲ୍ୟର ୨ ଗୁଣାରେ ବିକ୍ରି ହୋଇଛନ୍ତି ଉଥପ୍ପା। ରାଜସ୍ଥାନ ରୟାଲ୍ସ ମଧ୍ୟ ଭାରତୀୟ ଦ୍ରୁତ ବୋଲର ଜୟଦେବ ଉନାଦକତଙ୍କୁ ୩ କୋଟିରେ ନେଇଛି। ତାଙ୍କ ମୂଲ୍ୟରେ ଆଶ୍ଚର୍ଯ୍ୟଜନକ ଅବନତି ଘଟିଛି। ବିଗତ ଦୁଇ ବର୍ଷ ରାଜସ୍ଥାନ ରୟାଲ୍ସ ତାଙ୍କୁ ଯଥାକ୍ରମେ ୧୧.୫ କୋଟି (୨୦୧୮) ଏବଂ ୮.୫ କୋଟି (୨୦୧୯)ରେ ନେଇଥିଲା। ଭାରତୀୟ ଦଳର ଟେଷ୍ଟ୍ ସ୍ପେଶାଲିଷ୍ଟ୍‌ ଯୋଡ଼ି ଚେତେଶ୍ବର ପୂଜାରା ଏବଂ ହନୁମା ବିହାରି ଅଲୋଡ଼ା ହୋଇଛନ୍ତି। ଗତବର୍ଷ ଆର୍‌ସିବି ପାଇଁ ୨ ମ୍ୟାଚ୍‌ ଖେଳିବା ପରେ ଆହତ କାରଣରୁ ଓହରିଯାଇଥିବା ଦକ୍ଷିଣ ଆଫ୍ରିକାର ଡେଲ୍ ଷ୍ଟେନ୍‌ଙ୍କୁ ଶେଷରେ ଏହି ଦଳ ମୂଳ ଦଳ ୨ କୋଟିରେ ନେଇଥିଲା। ନିଲାମରେ ଗୁରୁବାର ଆଉ ୬ ଖେଳାଳିଙ୍କୁ ‌େଯାଡ଼ା ଯାଇଥିଲା। ଫଳରେ ନିଲାମ ଖେଳାଳିଙ୍କ ସଂଖ୍ୟା ୩୩୨ରୁ ବୃଦ୍ଧି ପାଇ ୩୩୮ରେ ପହଞ୍ଚିଥିଲା। ୬ ଖେଳାଳିଙ୍କ ମଧ୍ୟରେ ୪ ଭାରତୀୟ ଓ ୨ ବିଦେଶୀ ଖେଳାଳି ରହିଥିଲେ। ୪ ଭାରତୀୟଙ୍କ ମଧ୍ୟରେ ଦ୍ରୁତ ବୋଲର୍ ବିନୟ କୁମାର ଓ ଅଶୋକ ଦିଣ୍ଡା ରହିଥିବା ବେଳେ ଅଣଅନ୍ତର୍ଜାତୀୟ ଖେଳାଳି ଭାବେ ରବିନ୍ ବିସ୍ତ ଓ ସଞ୍ଜୟ ଯାଦବ ରହିଛନ୍ତି। ବିଦେଶୀଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ମାଥ୍ୟୁ ଵାେଡ୍ ଓ ଜେକ୍ ଵିଥରାଲ୍ଡ ରହିଛନ୍ତି।

ପ୍ରଥମ ଥର ଖେଳାଳି ଋଣ ବ୍ୟବସ୍ଥା
କୋଲ୍‌କାତା: ଫୁଟ୍‌ବଲ୍‌ ଢାଞ୍ଚାରେ ପଡ଼ି ଆଇପିଏଲ୍‌ ଅଦ୍ଭୂତପୂର୍ବ ସଫଳତା ପାଇବା ପରେ ସେଥିରୁ ଆଉ ଏକ ବ୍ୟବସ୍ଥାକୁ ପ୍ରଣୟନ କରିବାକୁ ଯାଉଛି। ୨୦୨୦ ଆଇପିଏଲ୍‌ ମାର୍ଚ ୨୮ରୁ ଏପ୍ରିଲ୍‌ ୨୪ ମଧ୍ୟରେ କରାଯିବାକୁ ଆପାତତଃ ସ୍ଥିର ହୋଇଛି। ପ୍ରଥମ ଥର ପାଇଁ ଏହି ଲୋକପ୍ରିୟ ଟି-୨୦ ଲିଗ୍‌ରେ ଖେଳାଳି ଋଣରେ ଦେଣନେଣ ହେବାର ବ୍ୟବସ୍ଥା ହୋଇଛି। ଆଇପିଏଲ୍‌ର ଅଧା ପରେ ଅନ୍ତର୍ଜାତୀୟ ଖେଳାଳିମାନଙ୍କୁ କୌଣସି ଦଳ ଋଣରେ ନେଇ ପାରିବେ। ଗତବର୍ଷ ଅବଶ୍ୟ ଅନ୍‌କ୍ୟାପ୍‌ ଖେଳାଳିଙ୍କ ପାଇଁ ଏକ ୫ ଦିନିଆ ଗବାକ୍ଷ ରଖାଯାଇଥିଲା। କିନ୍ତୁ ଏଥି ପାଇଁ ଅନ୍ୟୁନ ୨ଟି ମ୍ୟାଚ୍‌ ଖେଳିନଥିବାର ସର୍ତ ରଖାଯାଇଥିଲା। ନୂଆ ଋତୁରେ କିନ୍ତୁ କ୍ୟାପ୍‌ଡ ଖେଳାଳି (ଅନ୍ତର୍ଜାତୀୟ-ଭାରତୀୟ/ବିଦେଶୀ)ଙ୍କୁ ‌ଏଥିରେ ସାମିଲ କରାଯାଇଛି। ଋତୁର ଅଧା ଅର୍ଥାତ୍ ୨୮ ମ୍ୟାଚ୍‌ ପରେ ଏଭଳି ବ୍ୟବସ୍ଥା ଉପଲବ୍‌ଧ ହେବ। ଉଭୟ ଫ୍ରାଞ୍ଚାଇଜ୍ ଏହି ବ୍ୟବସ୍ଥା କରିବେ କିନ୍ତୁ ନିଜ ନିଲାମ ମୂଲ୍ୟ ହିଁ ଖେଳାଳି ପାଇବେ। ଫଳରେ ଋଣରେ ଅନ୍ୟ ଦଳକୁ ଗଲେ ବି ଖେଳାଳିଙ୍କୁ ବ୍ୟକ୍ତିଗତ ଫାଇଦା ମିଳିବ ନାହିଁ। ଆଇପିଏଲ୍‌ କେବଳ ଏହି ଦେଣନେଣ ବିଷୟରେ ବିଜ୍ଞପ୍ତି କରିବ। ଗୁରୁବାର ନିଲାମ ପୂର୍ବରୁ ମଧ୍ୟ ଆସନ୍ତା ବର୍ଷର ଆଇପିଏଲ୍‌ରେ ଦିନ ମ୍ୟାଚ୍‌ ସଂଖ୍ୟା ହ୍ରାସ କରିବାକୁ ଉଦ୍ୟମ କରାଯିବ ବୋଲି ଆଲୋଚନା ହୋଇଥିଲା। ଖେଳସୂଚୀ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଖୁବ୍ ଶୀଘ୍ର ଚୂଡାନ୍ତ ହେବ।

ବୟୋଜ୍ୟେଷ୍ଠ ତାମ୍ବେ
ଭାରତର ଅଣଅନ୍ତର୍ଜାତୀୟ ଲେଗ୍ ସ୍ପିନର୍ ପ୍ରବୀଣ ତାମ୍ବେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ପାଇଁ ନିଲାମ ହୋଇଛନ୍ତି। ତାମ୍ବେଙ୍କୁ ନିଜ ମୂଳଦର (୨୦ ଲକ୍ଷ)ରେ କୋଲକାତା ନାଇଟ୍ ରାଇଡର୍ସ କିଣିଛି। ୪୮ ବର୍ଷୀୟ ତାମ୍ବେ ଆଇପିଏଲ୍‌ରେ ୩୩ ମ୍ୟାଚ୍ ଖେଳି ୭.୭୫ ହାରରେ ୨୮ ଵିକେଟ୍ ଅକ୍ତିଆର କରିଛନ୍ତି।

ସମ୍ବନ୍ଧିତ ଖବର