ଚେନ୍ନାଇ/ମୁମ୍ବାଇ : ଚଳିତ ଆଇପିଏଲ୍-୧୪ରେ ପ୍ରଥମ ଥର ପାଇଁ ରବିବାର ଯୁଗଳ ମୁକାବିଲା ହେବ। ଅପରାହ୍ଣ ୩.୩୦ରେ ଚେନ୍ନାଇର ଚେପକ୍ରେ କୋଲ୍କାତା ନାଇଟ୍ ରାଇଡର୍ସ ଲଢ଼ିବ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ସହ। ସଂଧ୍ୟା ୭.୩୦ ମିନିଟରେ ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ମୁକାବିଲା କରିବ ପଞ୍ଜାବ କିଙ୍ଗ୍ସ। ସଂଘର୍ଷ କରୁଥିବା କୋଲ୍କାତା ନାଇଟ୍ ରାଇଡର୍ସକୁ ଟେବୁଲ୍ ଶୀର୍ଷରେ ଥିବା ଆର୍ସିବି ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ମ୍ୟାଚ୍ରେ ବିଶ୍ବ କ୍ରିକେଟ୍ର ଦୁଇ ଶ୍ରେଷ୍ଠ ଧଳା ବଲ୍ କ୍ରିକେଟ୍ ଅଧିନାୟକ ମୁହାଁମୁହିଁ ହେବେ। ଉଭୟ ହେଲେ ଇଅନ ମୋର୍ଗାନ୍ ଓ ବିରାଟ କୋହଲି। ଦୁଇଟି ବିଜୟ ସହ ଆତ୍ମବିଶ୍ବାସରେ ଥିବାରୁ କୋହଲିଙ୍କ ଦଳ ନିଶ୍ଚିତ ଏହି ଅପରାହ୍ଣ ମ୍ୟାଚ୍ରେ ଫାଇଦାରେ ରହିବ।
କୌଶଳ ପାଇଁ ପରିଚିତ ବିଶ୍ବକପ୍ ବିଜୟୀ ଅଧିନାୟକ ମୋର୍ଗାନ୍ ଦଳର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମଧ୍ୟକ୍ରମ ବିପର୍ଯ୍ୟୟକୁ ସୁଧାରିବାକୁ ଚେଷ୍ଟା କରିବେ। ଦୁଇଟି ଖରାପ ଋତୁ ପରେ କୋଲ୍କାତା ପ୍ରଥମ ମ୍ୟାଚ୍ରେ ହାଇଦ୍ରାବାଦକୁ ହରାଇଥିଲେ ମଧ୍ୟ ମୁମ୍ବାଇ ବିପକ୍ଷରେ ନିଜ ଶେଷ ୧୩ ମ୍ୟାଚ୍ରୁ ୧୨ତମ ପରାଜୟ ବରଣ କରିଥିଲା। ମୁମ୍ବାଇକୁ ୧୫୨ ରନ୍ରେ ରୋକିଥିଲେ ମଧ୍ୟ କୋଲ୍କାତା ଦଳ ଜିତିପାରିନଥିଲା। ଆନ୍ଦ୍ରେ ରସେଲ୍ ବୋଲିଂ ଦାୟିତ୍ବରେ ଭଲ କରୁଥିଲେ ମଧ୍ୟ ବ୍ୟାଟିଂ ବିଫଳତା କାରଣରୁ ଦଳକୁ ଅସ୍ଥିର ପ୍ରଦର୍ଶନ ଦେଇ ଗତି କରିବାକୁ ପଡ଼ିଛି। ଦୁଇ ମ୍ୟାଚ୍ରୁ ମାତ୍ର ୧୪ ରନ୍ କରିଥିବାରୁ ରସେଲଙ୍କୁ ରବିବାର ବଡ଼ ପାଳି ଖେଳିବାକୁ ପଡ଼ିବ। ଉପଅଧିନାୟକ ଦୀନେଶ କାର୍ତିକଙ୍କୁ ମଧ୍ୟ ଚାପରୁ ବାହାରିବାକୁ ପଡ଼ିବ। କେବଳ ନୀତୀଶ ରାଣା ପ୍ରଭାବୀ ପ୍ରଦର୍ଶନ କରୁଛନ୍ତି, କିନ୍ତୁ ତାଙ୍କ ସାଥୀ ପ୍ରାରମ୍ଭିକ ଯୋଡ଼ି ଶୁବମନ ଗିଲ୍ ଭଲ ଆରମ୍ଭକୁ ବଡ଼ ପାଳିରେ ରୂପାନ୍ତର କରିପାରୁନାହାନ୍ତି। ପ୍ରଥମ ଦୁଇ ମ୍ୟାଚ୍ରେ କେବଳ ପ୍ରାରମ୍ଭିକ ଓଭର ବୋଲିଂ କରୁଥିବା ଅଭିଜ୍ଞ ଅଫସ୍ପିନର୍ ହରଭଜନ ସିଂହଙ୍କ ବଦଳରେ କଚଟି ସ୍ପିନର୍ କୁଲଦୀପ ଯାଦବଙ୍କୁ ଖେଳାଇଲେ କିଛି ମନ୍ଦ ହୁଅନ୍ତା ନାହିଁ। ଅନ୍ୟପକ୍ଷରେ ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସୱେଲ୍, ଏବି ଡି’ଭିଲିୟର୍ସଙ୍କ ସହ ଯୁବ ପ୍ରତିଭା ଦେବଦତ୍ତ ପଡିକଲ୍ଙ୍କୁ ନେଇ ଆର୍ସିବିର ବ୍ୟାଟିଂ ଦୃଢ଼ ରହିଛି। ଗତବର୍ଷ ୟୁଏଇରେ ସଂଘର୍ଷ କରିଥିବା ୧୪.୨୫ କୋଟିରେ ନବନିଯୁକ୍ତ ମ୍ୟାକ୍ସୱେଲ୍ ଏ ଋତୁରେ ଚମତ୍କାର ଖେଳୁଛନ୍ତି। ସାହାବାଜ ଅହମ୍ମଦ ଓ ହର୍ଷଲ ପଟେଲ୍ ବୋଲିଂରେ ଫରକ ପକାଇଛନ୍ତି। କେକେଆର୍ ବିପକ୍ଷରେ ମଧ୍ୟ କୋହଲିଙ୍କ ଦଳ ପୁଣି ସଫଳତା ଦୋହରାଇବ ବୋଲି ବିଶ୍ବାସ କରାଯାଇପାରିବ।
ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଦଳ: ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲିୟର୍ସ, ଆଦାମ ଜାମ୍ପା, ଦେବଦତ୍ତ ପଡିକଲ, କେନ୍ ୱିଲିୟମସନ୍, ମହମ୍ମଦ ସିରାଜ, ନଭଦୀପ ସୈନି, ପବନ ଦେଶପାଣ୍ଡେ, ସାହାବାଜ ଅହମ୍ମଦ, ୱାସିଂଟନ୍ ସୁନ୍ଦର, ୟୁଝବେନ୍ଦ୍ର ଚହଲ, ଡାନିଏଲ୍ ସାମ୍ସ, ହର୍ଷଲ ପଟେଲ୍, ଗ୍ଲେନ ମ୍ୟାକ୍ସୱେଲ, ସଚିନ ବେବି, ରଜତ ପଟିଦାର, ମହମ୍ମଦ ଆଝାରୁଦ୍ଦିନ୍, କାଏଲ୍ ଜାମିସନ୍, ଡାନ୍ କ୍ରିଷ୍ଟିଆନ୍, ସୂୟାଶ ପ୍ରଭୂଦେଶାଇ, କେଏସ୍ ଭାରତ, ଫିନ୍ ଆଲେନ୍।
କୋଲକାତା ନାଇଟ୍ ରାଇଡର୍ସ ଦଳ: ଇଅନ୍ ମୋର୍ଗାନ୍ (ଅଧିନାୟକ), ଦୀନେଶ କାର୍ତ୍ତିକ, ଶୁବମନ ଗିଲ୍, ନୀତୀଶ ରାଣା, ଟିମ୍ ସିଫର୍ଟ, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, କୁଲଦୀପ ଯାଦବ, ଶିଭମ ମାଭି, ଲୋକି ଫର୍ଗୁସନ୍, ପ୍ୟାଟ୍ କମିନ୍ସ, କମଲେଶ ନାଗରକୋଟି, ସନ୍ଦୀପ ୱାରିୟର୍, ପ୍ରସିଦ୍ଧ କୃଷ୍ଣ, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ସକିବ୍ ଅଲ୍ ହାସନ୍, ସେଲଡନ୍ ଜ୍ୟାକସନ୍, ବୈଭବ ଆରୋରା, ହରଭଜନ ସିଂହ, କରୁଣ ନାୟାର୍, ବେନ୍ କଟିଂ, ଭେଙ୍କଟେଶ ଆୟର୍, ପବନ ନେଗି।
ପନ୍ତ୍ଙ୍କ ପ୍ରତିଦ୍ବନ୍ଦ୍ବୀ ରାହୁଲ୍
ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଚଳିତ ଆଇପିଏଲ୍ର ଅନ୍ୟତମ ୱିକେଟରକ୍ଷକ ଅଧିନାୟକ ଭାବେ ମୁକାବିଲା କରିବେ ଦୁଇ ଭାରତୀୟ ତାରକା ଋଷଭ ପନ୍ତ୍ ଓ କେଏଲ୍ ରାହୁଲ୍ଙ୍କ ଦଳ। ଦୁଇ ଦଳର ମଧ୍ୟକ୍ରମ ଲଢ଼େଇ ଏହି ମ୍ୟାଚ୍କୁ ରୋମାଞ୍ଚକ କରିବ ବୋଲି ଆଶା କରାଯାଉଛି। ନର୍ଥ ଇଣ୍ଡିଆନ୍ ଡର୍ବି ଭାବେ ପରିଚିତ ଏହି ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ନିଶ୍ଚିତ ଦାବିଦାର ରହିବ। ଆଇପିଏଲ୍ ଅଧିନାୟକତ୍ବରେ ପନ୍ତ୍ ଅନଭିଜ୍ଞ ରହିଥିଲେ ମଧ୍ୟ କାଗଜକଲମରେ ଏହି ଦଳ ଢେର ଶକ୍ତିଶାଳୀ ରହିଛି। ପନ୍ତ୍ଙ୍କ ଅଭିଜ୍ଞତାର ଅଭାବ କାରଣରୁ ଗତ ମ୍ୟାଚ୍ରେ ଅଶ୍ବିନଙ୍କ ବୋଲିଂ କୋଟା ଶେଷ ହୋଇପାରିଥିବା ବେଳେ ପ୍ରଭାବହୀନ ଟମ୍ କରନ୍ଙ୍କ ବୋଲିଂ ଫରକ ପକାଇଥିଲା। ତେବେ ଅନରିକ୍ ନର୍ଖିୟାଙ୍କ ସମ୍ଭାବ୍ୟ ପ୍ରତ୍ୟାବର୍ତନ ଦିଲ୍ଲୀର ବୋଲିଂ ଆକ୍ରମଣକୁ ଦୃଢ଼ କରିପାରିବ।
ଅନ୍ୟପକ୍ଷରେ ଗତ ମ୍ୟାଚ୍ରେ ଦୀପକ ଚହରଙ୍କ ଅତିରିକ୍ତ ବାଉଁସ୍ ଓ ସିମ୍ ଗତି ଆଗରେ ଆତ୍ମସମର୍ପଣ କରିଥିବା ପଞ୍ଜାବ କିଙ୍ଗ୍ସ ଏହାକୁ ଭୁଲିଯିବାକୁ ଚାହିଁବ। ଦଳ ନିଜ ପ୍ରଥମ ମ୍ୟାଚ୍ରେ ୨୨୧ ରନ୍ କରିବା ସତ୍ତ୍ବେ ମାତ୍ର ୪ ରନ୍ରେ ରାଜସ୍ଥାନ ରୟାଲ୍ସଠାରୁ ହାରିଥିଲା। ୱାଙ୍ଖ୍ଡେ ପିଚ୍ ମଧ୍ୟ ଦ୍ରୁତ ବୋଲରଙ୍କୁ ଅଧିକ ସହାୟତା କରୁଥିବାରୁ ରବିବାର ମୁକାବିଲାରେ କେଏଲ୍ ରାହୁଲ ବନାମ କାଗି ସୋ ରବାଦା, କ୍ରିସ୍ ଗେଲ୍ ବନାମ କ୍ରିସ୍ ୱକ୍ସ, ପୃଥ୍ବୀ ସ’ ବନାମ ମହମ୍ମଦ ସାମି କିମ୍ବା ଶିଖର ଧାୱନ ବନାମ ଅର୍ଶଦୀପ ସିଂହଙ୍କ ବ୍ୟକ୍ତିଗତ ମୁକାବିଲା ରୋମାଞ୍ଚକ ହେବ ବୋଲି ବିଶ୍ବାସ କରାଯାଉଛି। ପଞ୍ଜାବ ପାଇଁ ମୟଙ୍କ ଅଗ୍ରୱାଲ୍ ଓ ଦିଲ୍ଳୀ ପାଇଁ ଅଜିଙ୍କ୍ୟ ରାହାଣେଙ୍କ ବିଫଳତା ଚିନ୍ତାର କାରଣ ରହିଛି।
ପଞ୍ଜାବ କିଙ୍ଗ୍ସ ଦଳ: କେଏଲ୍ ରାହୁଲ୍ (ଅଧିନାୟକ ଓ ୱିକେଟରକ୍ଷକ), ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ୍, ମନଦୀପ ସିଂହ, ପ୍ରବସିମ୍ରନ ସିଂହ, ନିକୋଲାସ୍ ପୂରନ (ୱିକେଟରକ୍ଷକ), ସର୍ଫରାଜ ଖାନ୍, ଦୀପକ ହୁଦା, ମୁରୁଗାନ ଅଶ୍ବିନ, ରବି ବିଷ୍ଣୋଇ, ହରପ୍ରୀତ୍ ବ୍ରାର୍, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଇଶାନ ପୋରେଲ, ଦର୍ଶନ ନାଲକାଣ୍ଡେ, କ୍ରିସ୍ ଜୋର୍ଡାନ, ଦାୱିଦ ମଲାନ, ଝାଏ ରିଚାର୍ଡସନ୍, ଶହାରୁଖ୍ ଖାନ୍, ରିଲି ମେରେଡିଥ୍, ମୋଜେସ ହେନରିକ୍ସ, ଜଲଜ ସାକ୍ସେନା, ଉତ୍କର୍ଷ ସିଂହ, ଫାବିଏଁ ଆଲେନ, ସୌରଭ କୁମାର।
ଦିଲ୍ଲୀ କ୍ୟାପିଟାଲ୍ସ ଦଳ: ଋଷବ ପନ୍ତ୍ (ଅଧିନାୟକ ଓ ୱିକେଟ୍ ରକ୍ଷକ), ଶିଖର ଧାୱନ, ପୃଥ୍ବୀ ସ’, ଅଜିଙ୍କ୍ୟ ରାହାଣେ, ସିମ୍ରନ୍ ହେଟମେୟର୍, ମାର୍କସ ଷ୍ଟୋଇନିସ୍, କ୍ରିସ୍ ୱକ୍ସ, ରବିଚନ୍ଦ୍ରନ୍ ଅଶ୍ବିନ୍, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରବାଦା, ଅନରିକ୍ ନର୍ଖିୟା, ଈଶାନ୍ତ ଶର୍ମା, ଆଭେସ୍ ଖାନ୍, ଷ୍ଟିଭ୍ ସ୍ମିଥ୍, ଉମେଶ ଯାଦବ, ରିପଲ୍ ପଟେଲ୍, ବିଷ୍ଣୁ ବିନୋଦ, ଲୁକମାନ୍ ମେରିୱାଲା, ଏମ୍ ସିଦ୍ଧାର୍ଥ, ଟମ୍ କରନ୍, ସାମ୍ ବିଲିଙ୍ଗ୍ସ।