ନୂଆଦିଲ୍ଲୀ : କରୋନା ମହାମାରୀ କଟକଣା ମଧ୍ୟରେ ଚଳିତ ବର୍ଷର ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ଟି-୨୦ ପ୍ରତିଯୋଗିତା ୟୁଏଇ (ୟୁନାଇଟେଡ୍ ଆରବ ଏମିରେଟ୍ସ)ରେ ଆୟୋଜିତ ହୋଇଯାଇଛି। ହେଲେ ଆସନ୍ତାବର୍ଷର ଆଇପିଏଲ୍ କିନ୍ତୁ ନିଜ ଦେଶରେ ହିଁ କରିବାକୁ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଯୋଜନା କରିଛି। ଆବଶ୍ୟକ ପଡ଼ିଲେ ଜୈବ ବଳୟ ମଧ୍ୟରେ ଆଇପିଏଲ୍-୧୪କୁ ଆୟୋଜନ କରାଯିବ ବୋଲି ବିସିସିଆଇ କହିଛି। ଏହି ଚତୁର୍ଦଶ ସଂସ୍କରଣ ପାଇଁ ଆସନ୍ତାବର୍ଷ ଫେବ୍ରୁଆରିରେ ଖେଳାଳି ମହା ନିଲାମି କରାଯିବ। ତେବେ ଆସନ୍ତାବର୍ଷ ଏପ୍ରିଲ ୧୦ ତାରିଖ ପରେ ହିଁ ଆଇପିଏଲ୍ ଆୟୋଜିତ ହେବ ବୋଲି ବିସିସିଆଇ ଶନିବାର ସ୍ପଷ୍ଟ କରିଛି। ଏନେଇ ଅବଶ୍ୟ ତାରିଖ ଘୋଷଣା କରାଯାଇନାହିଁ। ଇଂଲଣ୍ଡ ଗସ୍ତ ସୂଚୀକୁ ଦୃଷ୍ଟିରେ ରଖି କେବେ ଆଇପିଏଲ୍ ଆରମ୍ଭ ହୋଇପାରିବ ତାହା ସ୍ଥିର କରାଯିବ ବୋଲି ବିସିସିଆଇ କହିଛି।
ବିସିସିଆଇ ଗୁରୁବାର ଇଂଲଣ୍ଡର ଭାରତ ଗସ୍ତ ସୂଚୀ ଘୋଷଣା କରିସାରିଛି। ଏହି ଗସ୍ତରେ ଇଂଲଣ୍ଡ ଦଳ ୪ ଟେଷ୍ଟ୍, ୫ ଟି-୨୦ ଏବଂ ୩ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳିବ। ଦୁଇ ମାସବ୍ୟାପୀ ଏହି ଶୃଙ୍ଖଳାସବୁ ଫେବ୍ରୁଆରି ୫ ତାରିଖରୁ ଆରମ୍ଭ ହେବ। ଚେନ୍ନାଇରେ ପ୍ରଥମ ଟେଷ୍ଟ୍ ଖେଳାଯିବାକୁ ଥିଲା ବେଳେ ଏହି ଶୃଙ୍ଖଳା ମାର୍ଚ୍ଚ ୮ ତାରିଖରେ ଶେଷ ହେବ। ଟେଷ୍ଟ୍ ଶୃଙ୍ଖଳା ପରେ ମାର୍ଚ୍ଚ ୧୨ରୁ ୨୦ ତାରିଖ ମଧ୍ୟରେ ଟି-୨୦ ଶୃଙ୍ଖଳା ଖେଳାଯିବ। ଶେଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ମାର୍ଚ୍ଚ ୨୮ ତାରିଖରେ ଶେଷ ହେବ। ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ) ନିୟମ ଅନୁଯାୟୀ କୌଣସି ପ୍ରତିଯୋଗିତା ମଧ୍ୟରେ ଅତିକମ୍ରେ ୧୫ ଦିନର ବ୍ୟବଧାନ ରହିବା ବାଧ୍ୟତାମୂଳକ ଥିବାରୁ ଆଇପିଏଲ୍ ଏପ୍ରିଲ ୧୦ ତାରିଖ ପୂର୍ବରୁ ସମ୍ଭବ ହେବନି। ପୁଣି ଖେଳାଳିମାନଙ୍କୁ ଏକାଠି ହେବା ଏବଂ ନୂଆ ଆଇପିଏଲ୍ ଋତୁ ପାଇଁ ପ୍ରସ୍ତୁତ ହେବାକୁ ୧୦ ଦିନର ବିରତି ନିହାତି ଆବଶ୍ୟକ। ସେହି ଦୃଷ୍ଟିରୁ ଏପ୍ରିଲ ଦ୍ବିତୀୟ ସପ୍ତାହରେ ହିଁ ଆଇପିଏଲ୍-୧୪ ଆରମ୍ଭ ହୋଇପାରେ ବୋଲି ଆଶା ରଖିଛି ବିସିସିଆଇ। ଏନେଇ ସବୁକିଛି ଏପ୍ରିଲ ୧୦ ପରେ ଚୂଡାନ୍ତ ହୋଇଯିବ।
ଆସନ୍ତା ବର୍ଷ ଆଇପିଏଲ୍ରେ ଅଧିକ ଦୁଇ ଦଳ ଭାଗ ନେବେ। ଯଦିଓ ଅହମ୍ମଦାବାଦ ସେଥିରୁ ଗୋଟିଏ ନୂଆ ଦଳ ଭାବେ ଉଭାହେବାର ସମ୍ଭାବନା ରହିଛି ତଥାପି ଚଳିତ ମାସ ୨୪ ତାରିଖ ଏଜିଏମ୍ ପରେ ସ୍ପଷ୍ଟ ହୋଇଯିବ। ଅହମ୍ମଦାବାଦ ପରେ ଅବଶିଷ୍ଟ ଗୋଟିଏ ଦଳ ପାଇଁ ଲକ୍ଷ୍ନୌ, କାନପୁର ଓ ପୁନେ ଦୌଡ଼ରେ ରହିଛନ୍ତି।