ଆଇପିଏଲ ପ୍ରଥମ କ୍ୱାଲିଫାୟର : ହାଇଦ୍ରାବାଦର ବ୍ୟାଟିଂ ବିପର୍ଯ୍ୟୟ, ଚେନ୍ନାଇ ଆଗରେ ୧୪୦ ରନର ଲକ୍ଷ୍ୟ

ମୁମ୍ବାଇ : ସ୍ଥାନୀୟ ଓ୍ଵାଙ୍ଖଡେ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପରକିଙ୍ଗସ ବିରୋଧରେ ୧୪୦ ରନର ଲକ୍ଷ୍ୟ ରଖିଛି । ହାଇଦ୍ରାବାଦ ଦଳ ଆଇପିଏଲ ସାରା ଭଲ ଖେଳିବା ସତ୍ତ୍ୱେ କ୍ୱାଲିଫାୟର ମ୍ୟାଚରେ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରିଛି । ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ହାଇଦ୍ରାବାଦ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ପ୍ରଥମରୁ ହିଁ ନିଜର ଷ୍ଟାର ବ୍ୟାଟ୍ସମ୍ୟାନ ଶିଖର ଧଓ୍ଵନଙ୍କୁ ହରାଇଥିଲା । ଧଓ୍ଵନ ନିଜର ଖାତା ଖୋଲିପାରିନଥିଲେ । ଏହା ପରେ ଶ୍ରୀବତ୍ସ ଗୋସ୍ୱାମୀ ଓ କେନ ଓ୍ଵିଲିୟମ୍ସ ସତର୍କତାର ସହ ଖେଳି ଇନିଂସକୁ ଆଗେଇ ନେଇଥିଲେ ମଧ୍ୟ ଦଳର ସ୍କୋର ମାତ୍ର ୩୪ ରନ ହୋଇଥିବାବେଳେ ଗୋସ୍ୱାମୀ (୧୨ ରନ) ଆଉଟ ହୋଇଥିଲେ । ଏହା ପରେ ଦଳର ମଧ୍ୟକ୍ରମ ବ୍ୟାଟିଂ କ୍ରମ ଶସ୍ତାରେ ଧରାଶାୟୀ ହୋଇଥିଲା । କିନ୍ତୁ ଶେଷ ବେଳକୁ ୟୁସୁଫ ପଠାନ ଓ କାର୍ଲୋସ ବ୍ରାଥଓ୍ଵାଇଟ୍‌ ଦ୍ରୁର ରନ ସଂଗ୍ରହ କରି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । କାର୍ଲୋସ ବ୍ରାଥଓ୍ଵାଇଟ୍‌ ୨୯ ବଲରେ ୪୩ ରନ ସଂଗ୍ରହ କରିଥିଲେ । ନିଜର ଏହି ଇନିଂସରେ ସେ ୪ଟି ଛକା ମାରିଥିଲେ ।  ଚେନ୍ନାଇ ତରଫରୁ ବ୍ରାଭୋ ୨୫ ରନ ଦେଇ ୨ଟି ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର