ଆଇପିଏଲ୍‌-୧୫: ରାହୁଲଙ୍କୁ ହରାଇଲେ ହାର୍ଦିକ

ମୁମ୍ବାଇ: ଆଇପିଏଲ୍‌-୧୫ର ଚତୁର୍ଥ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର୍ ଜ୍ୟାଣ୍ଟସ୍‌କୁ ୫ ୱିକେଟ୍‌ରେ ହରାଇ ଗୁଜରାଟ ଟାଇଟାନ୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛି। ମାତ୍ର ୨ ବଲ୍ ପୂର୍ବରୁ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଫଳରେ ଦୁଇ ନବାଗତ ଦଳ ମଧ୍ୟରେ ହୋଇଥିବା ଏହି ମୁକାବିଲାରେ କେଏଲ୍ ରାହୁଲଙ୍କୁ ତାଙ୍କ ଘନିଷ୍ଠ ବଂଧୁ ହାର୍ଦିକ ପାଣ୍ଡ୍ୟା ହରାଇ ଦେଇଥିଲେ। ମହମ୍ମଦ ସାମି (୪-୦-୨୫-୩) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଲକ୍ଷ୍ନୌ ସୁପର୍ ଜ୍ୟାଣ୍ଟସ୍‌ ପ୍ରଥମ ବଲ୍‌ରେ ଅଧିନାୟକ କେଏଲ୍ ରାହୁଲଙ୍କୁ ହରାଇଥିଲା। ସାଥି ପ୍ରାରମ୍ଭିକ ବ୍ୟାଟର୍‌ କ୍ବିଣ୍ଟନ୍ ଡି’କକ୍ ତୃତୀୟ ଓଭରରେ ଆଉଟ୍ ହୋଇଯାଇଥିଲେ। ମହମ୍ମଦ ସାମି ଉଭୟଙ୍କୁ ପ୍ୟାଭିଲିଅନ୍‌ ଫେରାଇ ଦେଇଥିଲେ। ମନୀଷ ପାଣ୍ଡେଙ୍କୁ ମଧ୍ୟ ବୋଲ୍ଡ କରି ସାମି ଲଗାତାର ୩ ଓଭରରେ ୩ ୱିକେଟ୍ ଦଖଲ କରିବାରୁ ଲକ୍ଷ୍ନୌ ସୁପର୍ ଜ୍ୟାଣ୍ଟସ୍‌ ୨୯/୪ରେ ସଂଘର୍ଷ କରିଥିଲା। ଏହି ସମୟରେ କିନ୍ତୁ ଦୁଇ ଭାରତୀୟ ତାରକା ଦୀପକ ହୁଦା (୫୫, ୪୧ ବଲ୍‌) ଏବଂ ଆୟୁଷ ବଦୋନୀ (୫୪, ୪୧ ବଲ୍‌) ୮୭ ରନ୍‌ ଯୋଡ଼ିରୁ କେଏଲ୍ ରାହୁଲଙ୍କ ଦଳ ୧୫୮ ରନ୍‌ର ଲଢ଼ୁଆ ସ୍କୋର୍‌ ଛିଡ଼ା କରି ନେଇଥିଲା। ସାନ ଭାଇ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ବିପକ୍ଷରେ କୃନାଲ ପାଣ୍ଡ୍ୟା ୧୩ ବଲରୁ ୨୧* ରନ୍‌ କରିଥିଲେ। ହାର୍ଦିକ ନିଜେ ୪ ଓଭର ବୋଲିଂ କରିଥିଲେ ମଧ୍ୟ ୩୭ ରନ୍‌ ବ୍ୟୟ କରି ୱିକେଟଶୂ୍ନ୍ୟ ରହିଥିଲେ। ସାମି ୩ ଓ ବରୁଣ ଆରୋନ୍‌ ୨ ୱିକେଟ୍ ନେଇଥିଲେ।

ଜବାବରେ ହାର୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟାନ୍ସ ମଧ୍ୟ ଖରାପ ଆରମ୍ଭ କରି ୧୫ ରନ୍‌ ଭିତରେ ୨ ୱିକେଟ୍ ହରାଇ ଦେଇଥିଲା। ମାଥ୍ୟୁ ୱାଦେ, ହାର୍ଦିକ ପାଣ୍ଡ୍ୟା, ଡେଭିଡ୍‌ ମିଲର୍‌ ବଢ଼ିଆ ବ୍ୟାଟିଂ କରିଥିଲେ ମଧ୍ୟ ୩୦ ରନ୍ ଅତିକ୍ରମ କରିବା ମାତ୍ରେ ଆଉଟ୍ ‌ହୋଇଯାଇଥିଲେ। ତେବେ ରାହୁଲ ତିୱାତିଆ (୪୦*, ୨୪ ବଲ୍‌) ଏବଂ ଅଭିନବ ମନୋହର (୧୫*, ୭ ବଲ୍‌) ମ୍ୟାଚ୍‌ ହାତଛଡ଼ା ହେବାକୁ ଦେଇନଥିଲେ। ୧୭ତମ ଓଭରରେ ରବି ବିଷ୍ଣୋଇ ୧୭ ରନ୍‌ ବ୍ୟୟ କରିବାରୁ ଲକ୍ଷ୍ନୌ ହାତରୁ ମ୍ୟାଚ୍‌ ଖସି ଯାଇଥିଲା। ପୂର୍ବ ୩ ଓଭରରେ କିନ୍ତୁ ରବି ମାତ୍ର ୧୭ ରନ୍‌ ଦେଇଥିଲେ। ଏହି ମ୍ୟାଚ୍ ଅବସରରେ ଲୋକି ଫର୍ଗୁସନ୍‌ ଲଗାତାର ଭାବେ ଘଣ୍ଟା ପ୍ରତି ୧୫୦ କିଲୋମିଟର୍‌ ବେଗରେ ବୋଲିଂ କରି ଚର୍ଚ୍ଚାରେ ରହିଥିଲେ।

ସମ୍ବନ୍ଧିତ ଖବର