ଆଇପିଏଲ୍‌-୧୨ ଫାଇନାଲ୍‌ ମ୍ୟାଚ୍‌: ଚେନ୍ନାଇକୁ ୧୫୦ ରନ୍‌ ଟାର୍ଗେଟ ଦେଲା ମୁମ୍ବାଇ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍‌ସ ରବିବାର ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୫୦ ରନ୍‌ ଟାର୍ଗେଟ ଦେଇଛି। ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୪୯ ରନ୍‌ କରିଛି। କିରଣ ପୋଲାର୍ଡ ଏକ ମାତ୍ର ଖେଳାଳି ଯିଏକି ସର୍ବାଧିକ ( ଅପରାଜିତ ୪୧ ରନ୍‌, ୨୫ ବଲ, ୩ ଚୌକା, ୩ ଛକା) ରନ୍‌ କରିଛନ୍ତି। ଓପନ୍‌ର କ୍ୱିଣ୍ଟନ୍‌ ଡି କକ୍‌ ୨୯ ରନ୍‌ କରିଥିଲେ। ସେ ୧୭ଟି ବଲ ଖେଳି ୪ଟି ଛକା ବଳରେ ଏହି ସ୍କୋର କରିଥିଲେ। ଶାର୍ଦ୍ଦୁଲ ଠାକୁରଙ୍କ ବଲ ଓ୍ଵିକେଟ୍‌କିପର ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ୍‌ ଦେଇ ସେ ପାଭଲିଅନ୍‌ ଫେରିଥିଲେ। ମୁମ୍ବାଇ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା। ୪.୫ ଓଭରରେ ଡି କକ୍‌ ଏବଂ ଅଧିନାୟକ ରୋହିତ ଶର୍ମା (୧୫ରନ୍‌)ଙ୍କୁ ହରାଇଥିଲା। ଦିପକ ଚହରଙ୍କ ବଲ ଧୋନିଙ୍କୁ କ୍ୟାଚ୍‌ ଦେଇ ରୋହିତ ଆଉଟ୍‌ ହୋଇଥିଲେ।

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ଫାଇନାଲ୍‌ ମ୍ୟାଚ୍‌ରେ ରବିବାର ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷରେ ଟସ୍‌ ଜିଣି ମୁମ୍ବାଇ ଇଣ୍ଡିଆନସ୍‌ ପ୍ରଥମେ ବ୍ୟାଟିଂ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୧୦ଟି ବଲ୍‌ ଖେଳି ୧୬ ରନ୍‌ କରିଥିଲେ। ସେ ଦିପକ ଚହରଙ୍କ ବଲ୍‌ରେ ଆଉଟ୍‌ ହୋଇ ପାଭ୍‌ଲିଅନ୍‌ ଫେରିଥିଲେ। ସେହିପରି ଦିପକ ଚହରଙ୍କ ବଲ୍‌ରେ ରାହୁଲ ଚହର ଖାତା ନ ଖୋଲି ଆଉଟ୍‌ ହୋଇଥିଲେ।

ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଚେନ୍ନାଇର ୩ୟ ଶିକାର ହୋଇଥିଲେ ସୂର୍ଯ୍ୟକାନ୍ତ ଯାଦବ। ୧୭ଟି ବଲ ଖେଳି ୧୫ ରନ୍‌ ସଂଗ୍ରହ କରି ସେ ଇମ୍‌ରାନ ତାହିରଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ସ୍କୋର ୮୨ ରନ୍‌ରେ ମୁମ୍ବାଇ ସୂର୍ଯ୍ୟକାନ୍ତଙ୍କୁ ହରାଇଥିବା ବେଳେ ୮୯ ରନ୍‌ରେ କ୍ରୁଣାଲ ପାଣ୍ଡ୍ୟା (୭ରନ୍‌) ଆଉଟ୍‌ ହୋଇଥିଲେ। ଶାର୍ଦ୍ଦୁଲ ଠାକୁରଙ୍କ ବଲ୍‌ ଦ୍ୱାରା କ୍ରୁଣାଲ ଆଉଟ୍‌ ହୋଇ ପାଭ୍‌ଲିଅନ୍‌ ଫେରିଥିଲେ। ମୁମ୍ବାଇ ୫ମ ଓ୍ଵକେଟ୍‌ ଭାବେ ଈଶାନ କିଷାନ (୨୩ ରନ୍‌)ଙ୍କୁ ହରାଇଥିଲା। ଇମ୍ରାନ୍‌ ତାହିରଙ୍କ ବଲ ସୁରେଶ ରାଇନାଙ୍କୁ କ୍ୟାଚ୍‌ ଦେଇ ଈଶାନ ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର