ମୁମ୍ବାଇ : ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ନିମନ୍ତେ ୟୁଏଇରେ ଅବସ୍ଥାନ କରିଥିବା ଅଧିକାଂଶ ଫ୍ରାଞ୍ଚାଇଜ୍‌ ପ୍ରତିଯୋଗିତା ଆରମ୍ଭରୁ ୱାର୍ମ ଅପ୍‌ ବା ଅଭ୍ୟାସ ମ୍ୟାଚ୍‌ ଚାହୁଛନ୍ତି। ସେପ୍ଟେମ୍ବର ୧୯ ଉଦ୍‌ଘାଟନୀ ସମାରୋହ ପୂର୍ବରୁ ଦଳମାନଙ୍କ ମଧ୍ୟରେ ଅଭ୍ୟାସ ମ୍ୟାଚ୍‌ ଖେଳାଯିବାକୁ ବିସିସିଆଇ ଅନୁମତି ଦେଉ ବୋଲି ସେମାନେ ପ୍ରସ୍ତାବ ବାଢ଼ିଛନ୍ତି।

Advertisment

ଫ୍ରାଞ୍ଚାଇଜ୍‌ମାନଙ୍କ କହିବା କଥା ହେଲା ଉଭୟ ଭାରତ ଓ ବିଦେଶର ଅଧିକାଂଶ କ୍ରିକେଟର୍‌ କୋଭିଡ୍‌-୧୯ ମହାମାରୀ ଯୋଗୁଁ ପ୍ରାୟ ୫ ମାସ ଧରି ପଡ଼ିଆକୁ ଓହ୍ଲାଇନାହାନ୍ତି। ବିନା ଶାରୀରିକ ବ୍ୟାୟାମ ଏବଂ ଆଉଟ୍‌ଡୋର୍‌ ଅଭ୍ୟାସରେ ନିଜ ନିଜ ଘରେ ୫ ମାସର ବିରତି ପରେ ପଡ଼ିଆକୁ ଫେରିବା ଖେଳାଳିମାନଙ୍କ ପାଇଁ ଏତେଟା ସହଜ ହୋଇନଥାଏ। ପୁଣି ୟୁଏଇରେ ପହଞ୍ଚିବାର ଦୁଇ ତିନି ସପ୍ତାହ ପରେ ଆଇପିଏଲ୍‌ ଖେଳାଯିବାକୁ ଥିବାରୁ ଖେଳାଳିଙ୍କ ପ୍ରସ୍ତୁତି ସନ୍ତୋଷଜନକ ହୋଇନପାରେ। ସେଥିପାଇଁ କିଛି ଅଭ୍ୟାସ ମ୍ୟାଚ୍‌ ଖେଳାଳିମାନଙ୍କ ମନକୁ ତାଜା ରଖିପାରିବା ସହ ଆତ୍ମବିଶ୍ବାସ କରିଦେବ ବୋଲି ଫ୍ରାଞ୍ଚାଇଜ୍‌ମାନେ ମତ ଦେଇଛନ୍ତି। ସବୁ ଦଳମାନଙ୍କ ସହ ଏହି ପ୍ରସ୍ତାବ ରଖିବା ପାଇଁ କିଛି ଫ୍ରାଞ୍ଚାଇଜ ଚାହିଁଛନ୍ତି। ଏବେ କେବଳ ଚେନ୍ନାଇ ସୁପର କିଙ୍ଗ୍‌ସକୁ ଛାଡ଼ି ଆଉ ସବୁ ଦଳ ସେମାନଙ୍କର ଆଉଟ୍‌ଡୋର ଅଭ୍ୟାସ ଏବଂ ନେଟ୍‌ ସେସନ୍‌ ପୂରା ଦମ୍‌ରେ ଆରମ୍ଭ କରିଛନ୍ତି।

ଆଇପିଏଲ୍‌ ପ୍ରସାରଣକାରୀ ସଂସ୍ଥା ଷ୍ଟାର୍‌ ଇଣ୍ଡିଆ ମଧ୍ୟ ଅଭ୍ୟାସ ମ୍ୟାଚ୍‌ ଖେଳାଯିବା ଉପରେ ଗୁରୁତ୍ବ ଦେଇଛି। କରୋନା ମହାମାରୀ ଯୋଗୁଁ ପ୍ରାୟ ୬ ମାସ ପରେ ଭାରତୀୟ କ୍ରିକେଟ୍‌ ଫେରିଥିବାରୁ ଅଭ୍ୟାସ ମ୍ୟାଚ୍‌ର ଆବଶ୍ୟକତା ରହିଛି ବୋଲି ଷ୍ଟାର୍‌ ଇଣ୍ଡିଆ କହିଛି। ମୁଖ୍ୟ ପ୍ରତିଯୋଗିତା ସାଙ୍ଗକୁ ଅନୁମତି ପାଇଲେ ଅଭ୍ୟାସ ମ୍ୟାଚ୍‌ ପାଇଁ ମଧ୍ୟ ଆମେ ବ୍ୟାକୁଳ ରହିଛୁ ବୋଲି ଷ୍ଟାର୍‌ ଇଣ୍ଡିଆ କହିଛି।