ଆଇପିଏଲ ୨୦୨୦ : ଟସ ଜିଣି ବୋଲିଂ ନିଷ୍ପତ୍ତି ନେଲା ଚେନ୍ନାଇ

ଆବୁଧାବି : ଆଜିଠାରୁ ୟୁଏଇରେ ଆରମ୍ଭ ହେଉଛି ବହୁପ୍ରତୀକ୍ଷିତ ଇଣ୍ଡିଆନ ପ୍ରମିୟର ଲିଗ ବା ଆଇପିଏଲ । ଏଥର ଭାରତରେ କରୋନା ମହାମାରୀ ଯୋଗୁଁ ଆଇପିଏଲକୁ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଛି ।

ଆଜିର ଉଦଘାଟନୀ ମ୍ୟାଚ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଉଛି । ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ  ଶକ୍ତିଶାଳୀ ଚେନ୍ନାଇ ସୁପରକିଙ୍ଗସକୁ ଭେଟୁଛି । ଚେନ୍ନାଇ ସୁପର କିଙ୍ଗସ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଆଜିର ମ୍ୟାଚରେ ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାରଣ ପ୍ରାୟ ଦେଢ ବର୍ଷ ପରେ ସେ ଆଇପିଏଲ ଖେଳିବାକୁ ଯାଉଛନ୍ତି ।

ବିଶ୍ବର ସବୁଠୁ ବିତ୍ତଶାଳୀ ଏହି ଟ୍ବେଣ୍ଟି-୨୦ ଲିଗ୍‌ ମାର୍ଚ୍ଚ ମାସରେ ହିଁ ଆୟୋଜନ ହେବାର ଥିଲା। ହେଲେ କରୋନା ମହାମାରୀ ସଂକଟ ଯୋଗୁଁ ଭାରତରେ ଏହା ଆୟୋଜନ ହେବା ଅସମ୍ଭବ ହୋଇପଡ଼ିଥିଲା। ଏପରିକି ଦୁଇ ଥର ଏହାକୁ ଘୁଞ୍ଚାଯାଇଥିଲେ ମଧ୍ୟ ଶେଷରେ ଭାରତ ବାହାରକୁ ସ୍ଥାନାନ୍ତର କରିବାକୁ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ବାଧ୍ୟ ହୋଇଥିଲା। ଶେଷରେ କରୋନା ସ୍ଥିତି ଅପେକ୍ଷାକୃତ କମ୍‌ ଥିବା ୟୁଏଇ (ୟୁନାଇଟେଡ୍‌ ଆରବ ଏମିରେଟ୍‌ସ)କୁ ଶ୍ରେଷ୍ଠ ବିକଳ୍ପ ଭା‌ବେ ବିସିସିଆଇ ବାଛିଥିଲା। ଜୈବ ସୁରକ୍ଷିତ ବଳୟ ମଧ୍ୟରେ ଏହି ପ୍ରତିଯୋଗିତା ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ସାରା ବିଶ୍ବର କ୍ରିକେଟ୍‌ ଖେଳାଳି ଏବଂ ପ୍ରଶଂସକ ଏହାକୁ ଚାତକ ଭଳି ଚାହିଁ ବସିଛନ୍ତି। ଯଦିଓ କରୋନା ମହାମାରୀ ଯୋଗୁଁ ଷ୍ଟାଡିୟମ୍‌ରେ ଦର୍ଶକ ବସି ଖେଳ ଉପଭୋଗ କରିପା‌ରିବେନି ତଥାପି ଟିଭି ପରଦାରେ ଏହାର ମଜା ନେବାକୁ ବ୍ୟାକୁଳତା ବଢ଼ିଯାଇଛି।

ୟୁଏଇର ତିନିଟି ଭେନ୍ୟୁ (ଆବୁଧାବି, ସାର୍‌ଜା ଓ ଦୁବାଇ)ରେ ପୂରା ଆଇପିଏଲ୍‌ ଖେଳାଯିବ। ଏଥରର ଆଇପିଏଲ୍‌ ମଧ୍ୟ ଏହି ଲିଗ୍‌ର ଇତିହାସରେ ସବୁଠୁ ଲମ୍ବା ରହିବ। ତିନିଟି ଭେନ୍ୟୁରେ ଏହି ପ୍ରତିଯୋଗିତା ୫୩ ଦିନ ଧରି ଚାଲିବ। ଲିଗ୍‌ ପର୍ଯ୍ୟାୟରେ ୫୬ ସହିତ ମୋଟ ୬୦ ମ୍ୟାଚ୍‌ ଖେଳାଯିବ। ନଭେମ୍ବର ୧୦ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ସହ ଆଇପିଏଲ୍‌ ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର