ଆଇପିଏଲ ୨୦୨୦ : ଭିଭୋକୁ ହଟାଇଲା ବିସିସିଆଇ, ନୂଆ ପ୍ରାୟୋଜକ ପାଇଁ ୨ ଦିନରେ ଟେଣ୍ଡର

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପ୍ରାୟୋଜନା ଦ୍ୱାୟିତ୍ୱରୁ ଚୀନ ମୋବାଇଲ କମ୍ପାନି ଭିଭୋକୁ ବାଦ ଦିଆଯାଇଥିବା ବିଷୟରେ ବିସିସିଆଇ ଔପଚାରିକ ଭାବେ ଘୋଷଣା କରିଛି । ତେବେ ଭିଭୋକୁ କେଉଁ କାରଣରୁ ହଟାଯାଇଛି ସେ ସମ୍ପର୍କରେ ବିସିସିଆଇ ପକ୍ଷରୁ କିଛି କୁହାଯାଇନାହିଁ ।
ନୂଆ ପ୍ରାୟୋଜକ ପାଇଁ ବିସିସିଆଇ ଆସନ୍ତା ଦୁଇ ଦିନ ମଧ୍ୟରେ ଟେଣ୍ଡର ଡାକିବ । ସୀମାରେ ଚୀନ ସେନାର ଅନୁପ୍ରବେଶ ପରେ ଭାରତ ସରକାର ଚୀନ ସହ ନିଜର ବାଣିଜ୍ୟିକ ସଂପର୍କକୁ ଯଥାସମ୍ଭବ ହ୍ରାସ କରୁଛନ୍ତି । ଲେକମାନଙ୍କ ମଧ୍ୟରେ ମଧ୍ୟ ଚୀନ ପ୍ରତି ପ୍ରବଳ ବିରୋଧ ରହିଛି । ଏହାକୁ ଦୃଷ୍ଟିରେ ରଖି ଆଇପିଏଲରୁ ଭିଭୋକୁ ହଟାଇବା ଲାଗି ବିଭିନ୍ନ ମହଲରୁ ଦାବି କରାଯାଉଥିଲା ।

ଗତ ୨୦୧୮ରୁ ଭିଭୋ ପ୍ରଥମଥର ପାଇଁ ଆଇପିଏଲର ପ୍ରାୟୋଜକ ହୋଇଥିଲା । ଏଥିପାଇଁ ଭିଭୋ ବିସିସିଆଇ ସହ ୫ ବର୍ଷ ପାଇଁ ୨୧୯୦ କୋଟି ଟଙ୍କାର ଚୁକ୍ତି କରିଥିଲା । ଅର୍ଥାତ ଭିଭୋ ବିସିସିଆଇକୁ ବର୍ଷକୁ ୪୪୦ କୋଟି ଟଙ୍କା ପ୍ରଦାନ କରୁଥିଲା । ସୂଚନାଯୋଗ୍ୟ ଯେ ଆଇପିଏଲ ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଖେଳାଯିବ । ଫାଇନାଲ ନଭେମ୍ବର ୧୦ରେ ଖେଳାଯିବ । ମ୍ୟାଚଗୁଡ଼ିକ ଭାରତୀୟ ସମୟ ସଂଧ୍ୟା ସାଢେ ୭ଟା ବେଳେ ଅନୁଷ୍ଠିତ ହେବ । ଏବର୍ଷ କରୋନା ଭାଇରସ ଯୋଗୁଁ ମାର୍ଚ୍ଚ ଏପ୍ରିଲରେ ଆଇପିଏଲ ଖେଳାଯାଇନଥିଲା ।

ସମ୍ବନ୍ଧିତ ଖବର