ଆ‌ଇପିଏଲ୍‌ ନେଇ ଅନିଶ୍ଚିତତା ଜାରି, ବିକଳ୍ପ ସଂଧାନ ନେଇ ବିସିସିଆଇ ବୈଠକ

ଅବଧି ଓ ଆକାର କମିବ: ଗାଙ୍ଗୁଲି

ମୁମ୍ବାଇ: କରୋନା ଭୂତାଣୁର ଭୟାବହତା ଦିନକୁ ଦିନ ବଢ଼ି ଚାଲିଥିଲା ବେଳେ ସାରା ବିଶ୍ବରେ ହେବାକୁ ଥିବା କ୍ରିକେଟ୍ ପ୍ରତିଯୋଗିତା ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଛି। ସମସ୍ତ ଘରୋଇ କ୍ରିକେଟ୍ ପ୍ରତିଯୋଗିତାକୁ ବିସିସିଆଇ ଶନିବାର ବାତିଲ କରିଦେଇଛି। ପୂର୍ବରୁ ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍‌କୁ ବିସିସିଆଇ ସ୍ଥଗିତ କରି ସାରିଛି। ତେବେ ଏହି ଚର୍ଚିତ ଲିଗ୍ ପୁଣି କେବେ ଓ କେଉଁଦିନ ଆରମ୍ଭ ହେବ ସେ ବିଷୟରେ ବିସିସିଆଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ପାରିନାହିଁ।

ଆଇପିଏଲ୍ ଚଳିତ ମାସ ୨୯ ତାରିଖରେ ଆରମ୍ଭ ହେବାର ଥିଲା। ତେବେ କରୋନାକୁ ନେଇ କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦେଶ ପରେ ଏପ୍ରିଲ ୧୫ ତାରିଖ ପୂର୍ବରୁ ଏହାକୁ ଆୟୋଜନ କରିହେବନି ବୋଲି ବିସିସିଆଇ ଶୁକ୍ରବାର ଘୋଷଣା କରିଥିଲା। ତା’ ସହ ଶନିବାର ଲିଗ୍‌ର ୮ଟି ଯାକ ଫ୍ରାଞ୍ଚାଇଜ୍‌ର ମାଲିକ, ପ୍ରସାରଣକାରୀ ସଂସ୍ଥା ଷ୍ଟାର ସ୍ପୋର୍ଟସର ବରିଷ୍ଠ ଅଧିକାରୀଙ୍କୁ ନେଇ ବୈଠକ ଡାକିଥିଲା। ବୈଠକରେ ଲିଗ୍‌ ଆୟୋଜନର ଦିନ ଓ ତାରିଖକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ତେବେ ନୂଆ ସୂଚୀ ନେଇ କୌଣସି ନିଷ୍ପତ୍ତି ହୋଇ ପାରିନଥିଲା। ବରଂ ପରିସ୍ଥିତି ଓ ପରିବେଶ ଉପରେ ନଜର ରଖି, ନୂଆ ସୂଚୀ ପ୍ରସ୍ତୁତ କରିବା ପୂର୍ବରୁ ଆଉ କିଛି ଦିନ ଅପେକ୍ଷା କରିବାକୁ ସହମତି ପ୍ରକାଶ ପାଇଥିଲା। ବୈଠକ ପରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ଅନ୍ୟତମ ମାଲିକ ନେସ୍ ୱାଡିଆ କହିଥିଲେ ଯେ ତିନିଟି କଥାକୁ ନେଇ ବୈଠକ ଆୟୋଜିତ ହୋଇଥିଲା। ପ୍ରଥମତଃ ସାଂପ୍ରତିକ ସ୍ଥିତିରେ ବିସିସିଆଇ, ଆଇପିଏଲ୍ କିମ୍ବା ଷ୍ଟାର ସ୍ପୋର୍ଟସ ଆର୍ଥିକ ଲାଭ ଉଠାଇବା ସପକ୍ଷରେ ନାହାନ୍ତି। ଆମ ପାଇଁ ଖେଳାଳି ଓ ଦର୍ଶକଙ୍କ ସ୍ବାସ୍ଥ୍ୟର ମହତ୍ବ ଅଧିକ। ଦ୍ବିତୀୟତଃ କେନ୍ଦ୍ର ସରକାର ଯାହା ନିର୍ଦେଶ ଦେବେ, ଆମେ ତାକୁ ମାନିବୁ। ତୃତୀୟ ଓ ଶେଷ କଥା‌ ହେଲା ଆଇପିଏଲ୍-୧୩ କେବେ ଆରମ୍ଭ ହେବ, ତାହା ଏବେ କହିବା‌ ସମ୍ଭବ ନୁହେଁ। ଏହି ସ୍ଥିତିରେ ଆମେ ଏବେ ନାହୁଁ। ଦୁଇ, ତିନି ସପ୍ତାହ ପରେ ପରିସ୍ଥିତିର ସମୀକ୍ଷା କରି ଆମେ ନିଷ୍ପତ୍ତି ନେବୁ। ଆଶା କରୁଛୁ, ସେତେବେଳକୁ କରୋନାର ପ୍ରକୋପ କମି ଯାଇଥିବ। ଦିଲ୍ଲୀ କ୍ୟାପିଟାଲ୍ସ ଦଳର ମାଲିକ ପାର୍ଥ ଜିନ୍ଦଲ କହିଥିଲେ ଆସନ୍ତା କିଛି ସପ୍ତାହ ମଧ୍ୟରେ ସମ୍ଭବତଃ ବିସିସିଆଇ ଆଉ ଏକ ବୈଠକ ଡାକିବ। ତା’ ପରେ ଯାଇ ଆମେ ନୂଆ ସୂଚୀକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରିପାରିବୁ। ସେହିପରି କୋଲ୍‌କାତା ନାଇଟ୍‌ ରାଇଡର୍ସର ସହ ମାଲିକ ତଥା ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ କହିଥିଲେ, ଆଇପିଏଲ୍‌ ଘୁଞ୍ଚାଇବା ନିଷ୍ପତ୍ତି ଯଥାର୍ଥ। ପ୍ରଥମେ ଅଂଶୀଦାର, ଖେଳାଳି, ଦର୍ଶକ, ଫ୍ରାଞ୍ଚାଇଜ୍‌ କର୍ତ୍ତୃପକ୍ଷ ଏବଂ ଆୟୋଜକ ସହରର ନିରାପତ୍ତା ଆମର ପ୍ରଥମ ଦାୟିତ୍ବ। ଏଥିରେ ସୁଧାର ନଆସିଲା ପର୍ଯ୍ୟନ୍ତ ଆଇପିଏଲ୍‌ ସ୍ଥଗିତ ରହିବା ଯଥାର୍ଥ ନିଷ୍ପତ୍ତି ବୋଲି ସେ କହିଥିଲେ।

ଶନିବାରର ଆଇପିଏଲ୍ ପରିଚାଳନା ପରିଷଦ ବୈଠକ ପରେ ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଇପିଏଲର ଚଳିତ ସଂସ୍କରଣର ଅବଧି ଓ ଆକାର କମିବ ବୋଲି ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି, ଆଇପିଏଲ-୧୩ କେବେ ଆରମ୍ଭ ହେବ, ‌ତା’ର ସ୍ପଷ୍ଟ ସୂଚନା ଦେଇ ହେବନି। ହେଲେ ଯଦି ଏହା ଏପ୍ରିଲ ୧୫ରୁ ଆରମ୍ଭ ହୁଏ, ତାହାଲେ ମଧ୍ୟ ୧୫ ଦିନ ନଷ୍ଟ ହୋଇ ଯାଇଥିବ। ଏଣୁ ଚଳିତବର୍ଷ ସଂସ୍କରଣକୁ କାଣ୍ଟଛାଣ୍ଟ କରି ମିନି ଆଇପିଏଲ୍ ଆୟୋଜନ ହୋଇପାରେ। ସେ ଆହୁରି କହିଛନ୍ତି ଯେ ଆମ ପାଇଁ ସୁରକ୍ଷା ସବୁଠାରୁ ମହତ୍ବପୂର୍ଣ୍ଣ। ଲିଗ୍ ସ୍ଥଗିତ ହୋଇ ସାରିଛି ଏବଂ ଆମ ପାଖରେ ତାଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ।

‘ମଜଭୁତ ରୁହ, ସତର୍କତା ଅବଲମ୍ବନ କର’
ମୁମ୍ବାଇ: କରୋନାର ଭୟାବହତାକୁ ନେଇ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ପ୍ରଶଂସକଙ୍କୁ ଟ୍ବିଟ୍ କରିଛନ୍ତି। ସତର୍କତାର ସହ ଏହି ଭୂତାଣୁକୁ ସଂକ୍ରମିତ ହେବାରୁ ରୋକିବାକୁ ସେ ଆହ୍ବାନ କରିଛନ୍ତି। କୋହଲି କହିଛନ୍ତି ଯେ ଭାଇମାନେ ମଜଭୁତ ରୁହନ୍ତୁ। ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି କରୋନା ମହାମାରୀ ରୋକିବାକୁ ଜୋରଦାର ଲଢ଼େଇ କରନ୍ତୁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପ୍ରତି‌ଷେଧକ ବ୍ୟବସ୍ଥା ଗ୍ରହଣ କରନ୍ତୁ। ଦୟାକରି ନିଜର ଯତ୍ନ ନିଅନ୍ତୁ। କୋହଲିଙ୍କ ଭଳି ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ମଧ୍ୟ କରୋନାକୁ ନେଇ ସଚେତନତା ସୃଷ୍ଟି କରିଛନ୍ତି। ସେ ଟ୍ବିଟ୍ କରିଛନ୍ତି ଯେ କଠିନ ସମୟରେ ଆସନ୍ତୁ ସମସ୍ତେ ଏକାଠି ହୋଇ ପରସ୍ପରର ଯତ୍ନ ନେବା। ସରକାର ଜାରି କରିଥିବା ନିର୍ଦେଶାବଳୀକୁ ଅନୁକରଣ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।

ସମ୍ବନ୍ଧିତ ଖବର