ମୁମ୍ବାଇ: ଚଳିତ ଆଇପିଏଲ୍ରେ ସୋମବାର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ଚେନ୍ନାଇ ସୁପର୍ କିଙ୍ଗ୍ସ ୪୫ ରନ୍ରେ ହରାଇ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍ ହାରିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ବି କ୍ରମାଗତ ସହଜ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ରାଜସ୍ଥାନ ତୃତୀୟ ମ୍ୟାଚ୍ରୁ ଦ୍ବିତୀୟ ପରାଜୟ ବରଣ କରିଛି। ଚେନ୍ନାଇ ଏହି ବିଜୟ ସହ ପଏଣ୍ଟ୍ ଟେବୁଲ୍ର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ସୋମବାର ଦଳଗତ ପ୍ରଦର୍ଶନ କରି ଚେନ୍ନାଇ ବିନା ଅର୍ଦ୍ଧଶତକରେ ୧୮୮ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିଥିଲା। ଜବାବରେ ଜୋସ୍ ବଟଲର୍ (୪୯, ୩୫ ବଲ୍) ଏକା ଲଢ଼ିଥିଲେ ମଧ୍ୟ ସଞ୍ଜୁ ସାମସନଙ୍କ ଦଳ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରି ୧୪୩/୯ରେ ସୀମିତ ରହିଥିଲା। ବଟଲରଙ୍କୁ ରବୀନ୍ଦ୍ର ଜାଦେଜା ବୋଲ୍ଡ କରିବା ପରେ ରାଜସ୍ଥାନ ନାଟକୀୟ ଭାବେ ୮ ରନ୍ ଭିତରେ ୫ ୱିକେଟ୍ ହରାଇ ସୁଯୋଗ ହାତଛଡ଼ା କରିଥିଲା। ସାମ୍ କରନ୍ (୪-୦-୨୪-୨) ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇବା ପରେ ସ୍ପିନ୍ ଯୋଡି ରବୀନ୍ଦ୍ର ଜାଦେଜା (୨/୨୮) ଏବଂ ମୋଇନ୍ ଅଲୀ (୩-୦-୭-୩) ରୟାଲ୍ସ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ମୋଇନ ତାଙ୍କ ମ୍ୟାଚ୍ ବିଜୟୀ ବୋଲିଂ ପାଇଁ ଶ୍ରେଷ୍ଠ ଖେଳଳି ବିବେଚିତ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବିନା ଅର୍ଦ୍ଧଶତକରେ ୧୮୮
କ୍ରିକେଟ୍ ଦଳଗତ ଖେଳର ଅବଦାନରେ ବଳିୟାନ ବୋଲି ଚେନ୍ନାଇ ସୁପର୍ କିଙ୍ଗ୍ସ ସୋମବାର ପ୍ରମାଣିତ କରିଥିଲା। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିଲେ ମଧ୍ୟ ଚେନ୍ନାଇ ଗୋଟିଏ ମାତ୍ର ୩୦+ ବ୍ୟକ୍ତିଗତ ସ୍କୋର୍ ବଳରେ ୧୮୮ ରନ୍ର ଆହ୍ବାନଭରା ସ୍କୋର୍ କରିନେଇଥିଲା। ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ଫାପ୍ ଡୁ ପ୍ଲେସିସ୍ କରିଥିଲେ। ଛୋଟ ଛୋଟ ଭାଗୀଦାରି ସହାୟତାରେ ଚେନ୍ନାଇ ଉନ୍ନତ ରନ୍ ହାରକୁ ବଜାୟ ରଖିଥିଲା। ମୋଇନ୍ ଅଲୀ ୨୦ ବଲ୍ରୁ ୨୬ ରନ୍, ଅମ୍ବାତି ରାୟୁଡୁ ୧୭ ବଲ୍ରୁ ୨୭ ରନ୍ କରିଥିଲେ। ଧୋନି ଖାତା ଖୋଲିବା ପୂର୍ବରୁ ରନ୍ଆଉଟ୍ରୁ ବର୍ତିଥିଲେ ମଧ୍ୟ ସଂଘର୍ଷ କରି ୧୮ ବଲ୍ରୁ ୧୮ ରନ୍ କରି ଯୁବ ବୋଲର ଚେତନ ସାକାରିଆଙ୍କ ତୃତୀୟ ଶିକାର ହୋଇଥିଲେ। ସୁରେଶ ରାଇନା ୧୫ ବଲ୍ରୁ ୧୮ ରନ୍ କରିଥିଲେ। ଶେଷ ଭାଗରେ ଚେନ୍ନାଇ କିନ୍ତୁ କିଛିଟା ଚମତ୍କାର କରିଥିଲା। ସାମ୍ କରନ୍ ୬ ବଲ୍ରୁ ୧୩ ରନ୍ ଏବଂ ଡ୍ବାନ ବ୍ରାଭୋ ୮ ବଲ୍ରୁ ୨୦* ରନ୍ର ଉପଯୋଗୀ ପାଳି ଖେଳିଥିଲେ। ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କେବଳ ରବୀନ୍ଦ୍ର ଜାଦେଜା ଏକ ଅଙ୍କ ବିଶିଷ୍ଟ ସ୍କୋର୍ କରିଥିଲେ। ୭ ବଲ୍ରୁ ୮ ରନ୍ କରି କ୍ରିସ୍ ମୋରିସଙ୍କ ଶିକାର ହୋଇଥିଲେ ସେ। ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିବା ଚେନ୍ନାଇ ପାଳିର ଶେଷ ୩ ଓଭରରୁ ଦଳ ୪୫ ରନ୍ ଆଦାୟ କରିଥିଲା। ଏହି ୩ ଓଭରୁ ସମାନ ୧୫ ରନ୍ ଲେଖାଏଁ ସଂଗୃହିତ ହୋଇଥିଲା। ଯୁବ ବାମହାତୀ ବୋଲର ସାକାରିଆ ସଫଳ ବୋଲର ଭାବେ ୩୬ ରନ୍ ବିନିମୟରେ ସର୍ବାଧିକ ୩ ୱିକେଟ୍ ନେଇଥିଲେ। ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର୍ କ୍ରିସ୍ ମୋରିସ୍ ୨ ୱିକେଟ୍ ନେଇଥିବାବେଳେ ବାଂଲାଦେଶୀ ବାମହାତୀ ମୁସ୍ତାଫିଜୁର ରହମାନ ଏବଂ ସ୍ପିନର୍ ରାହୁଲ ତିୱାତିଆ ଗୋଟିଏ ଲେଖାଏଁ ୱିକେଟ୍ କରାୟତ୍ତ କରିଥିଲେ। ଯୁବ ଆସାମି ଖେଳାଳି ରିୟାନ ପରାଗ ତିନୋଟି କ୍ୟାଚ୍ ନେଇ ଚର୍ଚ୍ଚାକୁ ଆସିଥିଲେ।