ଆଇପିଏଲ-୨୦୨୧: ପଞ୍ଜାବକୁ ୨ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ଦୁବାଇ : ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୩୨ତମ ମ୍ୟାଚରେ ପଞ୍ଜାବକୁ ୨ରନ୍‌ରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୧୮୫ ରନ କରିଥିଲା । ଦ୍ବିତୀୟ ପାଳିରେ ପଞ୍ଜାବ ୧୮୬ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୪ ୱିକେଟ ହରାଇ ୧୮୩ ରନ୍‌ କରି ପରାଜିତ ହୋଇଛି । ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରୱାଲ ସର୍ବାଧିକ ୬୭ ରନ୍‌ କରିଥିବା ବେଳେ ଅଧିନାୟକ କେ.ଏଲ୍ ରାହୁଲ ୪୯ ରନ୍‌ କରିଥି‌ଲେ । ଅନ୍ୟପଟେ ନିକୋଲାସ୍ ପୁରାନ୍ ୩୨ ରନ୍‌ ଓ ଆଡେନ ମାର୍କ୍ରାମ ଅପରାଜିତ ୨୬ ରନ୍‌ କରିଥିଲେ ମଧ୍ୟ ପଞ୍ଜାବକୁ ବିଜୟ ଦେବାରେ ସକ୍ଷମ ହୋଇ ନଥିଲେ। ରାଜସ୍ଥାନ ପକ୍ଷରୁ ରାହୁଲ ତେୱାତିଆ, ମୁସ୍ତାଫିଜୁର ରହମାନ ୧-୧ ୱିକେଟ ନେଇଥିବା ବେଳେ କାର୍ତ୍ତିକ ତ୍ୟାଗି ଶେଷ ଓଭରରେ ୨ଟି ୱିକେଟ ନେଇ ପଞ୍ଜାବ ହାତରୁ ମ୍ୟାଚକୁ ଛଡାଇ ନେଇଥିଲେ ।

ଆଜି ପଞ୍ଜାବ ଟସ ଜିତି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ରାଜସ୍ଥାନ ପକ୍ଷରୁ ଏଭିନ ଲୁଇସ୍ ଓ ଯଶସ୍ବୀ ଜୟସ୍ବାଲ ଲଢୁଆ ବ୍ୟାଟିଂ କରି ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୪ ରନର ସହଭାଗିତା କରିଥିଲେ । ଲୁଇସ୍ ୩୬ ରନ ଓ ଜୟସ୍ବାଲ ୪୯ ରନ କରିଥିଲେ । ସେହିପରି ଲିଆମ ଲିଭିଂଷ୍ଟୋନ ୨୫ ଓ ମହୀପାଲ ଲାମରୋର ୪୩ ରନ କରିଥିଲେ । ତେବେ ଦଳର ମଧ୍ୟ ଓ ନିମ୍ନ ଭାଗ ବ୍ୟାଟ୍ସମ୍ୟାନମାନେ ନିରାଶ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୮୫ ରନ କରିଥିଲା ।

ଚଳିତ ଆଇପିଏଲରେ ଉଭୟ ଦଳର ପ୍ରଦର୍ଶନ ଆଶାନୁରୂପ ହୋଇପାରିନାହିଁ । ପଞ୍ଜାବ ୮ଟି ମ୍ୟାଚରୁ ୩ ବିଜୟ ୫ ପରାଜୟ ସହ ମୋଟ ୬ ପଏଣ୍ଟ ପାଇଥିବାବେଳେ ରାଜସ୍ଥାନ ୭ଟି ମ୍ୟାଚରୁ ୩ ବିଜୟ ୪ ପରାଜୟ ସହ ୬ ପଏଣ୍ଟ ପାଇଛି । ରାଜସ୍ଥାନ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ଥିବାବେଳେ ପଞ୍ଜାବ ୭ମ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର