ଏପ୍ରିଲ୍‌ ୨ରୁ ଆଇପିଏଲ୍‌ ୨୦୨୨!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆଇପିଏଲ୍‌ର ଆଗାମୀ ସଂସ୍କରଣ ୨୦୨୨ ଏପ୍ରିଲ ୨ ତାରିଖରୁ ଆରମ୍ଭ କରିବାକୁ ଯୋଜନା କରୁଛି। ସୂଚୀ ଚୂଡ଼ାନ୍ତ ହୋଇନଥିଲେ ମଧ୍ୟ ବିସିସିଆଇ ଏହାର ସହଯୋଗୀଙ୍କ ସହ ଏପ୍ରିଲ ୨ରୁ ଆଇପିଏଲ୍‌ ଆରମ୍ଭ କରିବାକୁ ଆଲୋଚନା ଚଳାଇଛି। ଯାହା ଜଣାପଡ଼ୁଛି ଏହି ତାରିଖ ଏବଂ ଉଦ୍‌ଘାଟନୀ ମ୍ୟାଚ୍‌ ଚେନ୍ନାଇରେ ଖେଳାଯିବାର ସମ୍ଭାବନା ଅଧିକ ରହିଛି। ଏବେ ୮ ଦଳ ମୋଟ ୬୦ ମ୍ୟାଚ୍‌ ଖେଳୁଛନ୍ତି। କିନ୍ତୁ ବିସିସିଆଇ ୧୫ତମ ସଂସ୍କରଣରେ ୧୦ ଦଳ ଏବଂ ୭୪ ମ୍ୟାଚ୍‌ କରିବା ଲାଗି ଚିନ୍ତା କରୁଛି।

ଯଦି ଏପରି ହୁଏ ତେବେ ଆଇପିଏଲ୍‌ର ଅବଧି ୬୦ ଦିନରୁ ଅଧିକ ହୋଇପାରେ। ଫାଇନାଲ୍‌ ମ୍ୟାଚ୍‌ ଜୁନ୍‌ ପ୍ରଥମ ସପ୍ତାହର ଶେଷ ଦିନରେ ହୋଇପାରେ। ଜୁନ୍‌ ୪ କିମ୍ବା ୫ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯାଇପାରେ। ଏବର ଫର୍ମାଟ୍‌ ଅନୁଯାୟୀ ପ୍ରତ୍ୟେକ ଦଳ ୧୪ ଲେଖାଏଁ ଲିଗ୍‌ ମ୍ୟାଚ୍‌ (୭ ଘରେ ଓ ୭ ବାହାରେ) ଖେଳିବେ। ଚେନ୍ନାଇ ସୁପର କିଙ୍ଗ୍ସ ବିଜେତା ଦଳ ଥିବାରୁ ଚେପକରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ତେବେ ଏନେଇ କୌଣସି ନିଷ୍ପତ୍ତି ହୋଇନଥିଲେ ମଧ୍ୟ ଚେନ୍ନାଇ ଓ ମୁମ୍ବାଇ ଇଣ୍ଡିଆନ୍ସ ଏହି ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବାର ସମ୍ଭାବନା ଅଧିକ ରହିଛି। ଆଇପିଏଲ୍‌ ଭାରତକୁ ଫେରିବା ପ୍ରାୟ ନିଶ୍ଚିତ ରହିଛି। ନିକଟରେ ଆୟୋଜିତ ଚେନ୍ନାଇର ବିଜୟ ଉତ୍ସବ ପାଳନ ଅବସ‌ରରେ ବିସିସିଆଇ ସମ୍ପାଦକ ଜୟ ଶାହ ଏହି ବିଷୟରେ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର