ବଦଳିଲା ଆଇପିଏଲ ନିୟମ, ଏବେ ଇଂନିସ ପିଛା ମିଳିବ ୨ଟି ଡିଆରଏସ

ନୂଆଦିଲ୍ଲୀ: ୨୦୨୨ର ଆଇପିଏଲ ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ବିସିସିଆଇ କିଛି ନିୟମରେ ପରିବର୍ତ୍ତନ କରିଛି। ଏବେ ପ୍ରତି ଇଂନିସରେ ଦଳଗୁଡିକୁ ଗୋଟିଏ ବଦଳରେ ଦୁଇଟି ଡିଆରଏସ ମିଳିବ। ୨୦୧୮ ଆଇପିଏଲରେ ପ୍ରଥମ ଥର ପାଇଁ ଡିଆରଏସକୁ ସାମିଲ କରାଯାଇଥିଲା।

ମେରିଲବୋନ କ୍ରିକେଟ କ୍ଲବ(ଏମସିସି) ପରିବର୍ତ୍ତନ କରିଥିବା କ୍ୟାଚ୍ ନିୟମକୁ ବିସିସିଆଇ ନୂଆ ଆଇପିଏଲ ନିୟମରେ ସାମିଲ କରିଛି। ଏମସିସିର ନୂଆ ନିୟମ ଅନୁସାରେ ଯଦି କୌଣସି ବ୍ୟାଟର୍ କ୍ୟାଚ୍ ଆଉଟ୍ ହୁଅନ୍ତି ତେବେ ଷ୍ଟ୍ରାଇକ୍ ବଦଳିବ ନାହିଁ ଓ ନୂଆ ବ୍ୟାଟର୍ ହିଁ ଷ୍ଟ୍ରାଇକରେ ରହିବେ। ଯଦି କ୍ୟାଚ୍ ଓଭରର ଶେଷ ବଲରେ ହୁଏ ତେବେ ଷ୍ଟ୍ରାଇକ୍ ବଦଳିବ।

ବିସିସିଆଇର ଜଣେ ଅଧିକାରୀଙ୍କ ଅନୁସାରେ, ଯଦି କରୋନା କାରଣରୁ ମ୍ୟାଚ ପାଇଁ କୌଣସି ଦଳ ୧୧ ଜଣ ଖେଳାଳି (ପ୍ଲେଇଙ୍ଗ୍ ଇଲେଭେନ୍) ପ୍ରସ୍ତୁତ କରି ନପାରନ୍ତି ତେବେ ବିସିସିଆଇ ଆଇପିଏଲ ଚାଲିଥିବା ସମୟରେ ମ୍ୟାଚକୁ ପୁନର୍ବାର ଆୟୋଜନ କରିବାକୁ ଚେଷ୍ଟା କରିବ। ଯଦି ଏହା ବି ସମ୍ଭବ ହୋଇ ନପାରେ ତେବେ ଏହି ମାମଲାକୁ ଆଇପିଏଲର ଟେକ୍ନିକାଲ୍ ଦଳ ପାଖକୁ ପହଞ୍ଚାଯିବ। ଆଇପିଏଲ ଟେକ୍ନିକାଲ୍ ଦଳର ନିଷ୍ପତ୍ତି ହିଁ ଚୂଡାନ୍ତ ମନାଯିବ।

ପୂର୍ବରୁ ଆଇପିଏଲ ନିୟମ ଥିଲା, ଯଦି ମ୍ୟାଚକୁ ପୁନର୍ବାର ନିର୍ଦ୍ଧାରଣ କରିବା ପରେ ବି ମ୍ୟାଚ ସଂପୂର୍ଣ୍ଣ ନ ହୁଏ ତେବେ ପଛରେ ରହିଥିବା ଦଳ ହାରିଛି ବୋଲି ଗ୍ରହଣ କରାଯାଇ ଅନ୍ୟ ଦଳକୁ ୨ ପଏଣ୍ଟ ଦିଆଯିବ।

ସମ୍ବନ୍ଧିତ ଖବର