ଲକ୍ଷ୍ନୌ : ଲକ୍ଷ୍ନୌଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୪୩ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟକୁ ୧୮ ରନ୍ରେ ପରାସ୍ତ କରିଛି ବାଙ୍ଗାଲୋର । ଦ୍ବିତୀୟ ପାଳିରେ ୧୨୭ ରନ୍ର ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ ୧୦୮ ରନ୍ କରିବାକୁ ସକ୍ଷମ ହୋଇଛି। । ଲକ୍ଷ୍ନୌ ପକ୍ଷରୁ ପ୍ରଥମରୁ ଦୁବର୍ଳ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଆହତ କାରଣରୁ କେ ଏଲ୍ ରାହୁଲ ପାଳି ଆରମ୍ଭ କରିବାକୁ ଆସିନଥିଲେ । ଫଳରେ କୃଷ୍ଣପ୍ପା ଗୌତମ ୨୩ ରନ୍, ଅମିତ ମିଶ୍ରା ୧୯ ରନ୍ କରିଥିବା ବେଳେ କ୍ରୁନାଲ ପାଣ୍ଡ୍ୟା ୧୪ ରନ୍, ନବୀନ-ଉଲ୍-ହକ୍ ୧୩ ରନ୍ କରିଥିଲେ ସୁଧା ଲକ୍ଷ୍ନୌକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଅନ୍ୟପଟେ ବାଙ୍ଗାଲୋର ପକ୍ଷରୁ ଜୋସ୍ ହାଜଲେଉଡ୍, କରଣ ଶର୍ମା ୨-୨ ଟି ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ, ୱାନିନ୍ଦୁ ହାସରାଙ୍ଗା, ଗ୍ଲେନ୍ ମ୍ୟାକ୍ସୱେଲ, ମହମ୍ମଦ ସିରାଜ ୧-୧ ୱିକେଟ ନେଇ ବାଙ୍ଗାଲୋରକୁ ବିଜୟ ଦେଇଥିଲେ । ଫଳରେ ଏହି ବିଜୟ ସହ ବାଙ୍ଗାଲୋର ୧୦ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ୫ମରେ ରହିଛି ।
ପ୍ରଥମ ପାଳିରେ ବାଙ୍ଗାଲୋର ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ବାଙ୍ଗାଲୋରର ଦୁଇ ଓପନର ବିରାଟ କୋହଲି ଓ ଫାଫ ଡୁ ପ୍ଲେସିସ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୬୨ରନ ଯୋଗ କରିଥିଲେ । କୋହଲି ୩୧ରନଓ ଡୁପ୍ଲେସିସ୍ ୪୪ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୨୬ରନ କରିପାରିଥିଲା । ଲକ୍ଷ୍ନୌ ପକ୍ଷରୁ ନବିନ-ଉଲ-ହକ୍ ୩ଟି ଏବଂ ରବି ବିଷ୍ଣୋଇ ଓ ଅମିତ ମିଶ୍ରା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।