ନୂଆଦିଲ୍ଲୀ: କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଅଛି | ମିଳିଥିବା ସୂଚନା ମୁତାବକ ପୂର୍ବ ବର୍ଷ ତୁଳନାରେ ଆସନ୍ତାବର୍ଷ ଅର୍ଥାତ ୨୦୨୪ରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଶୀଘ୍ର ହୋଇପାରେ | ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇ ଆଇପିଏଲ୍ ୨୦୨୪କୁ ଶୀଘ୍ର ଆୟୋଜନ କରିବାକୁ ଚିନ୍ତା କରୁଛି। ଏହା ସହିତ, ଏହି ସିଜିନକୁ ବିଦେଶରେ ମଧ୍ୟ କରିବାର ସମ୍ଭାବନା ଅଛି | ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଏହାର ମୁଖ୍ୟ କାରଣ ବୋଲି କୁହାଯାଇଛି । ତେବେ ଏପର୍ଯ୍ୟନ୍ତ ଏ ପର୍ଯ୍ୟନ୍ତ ବିସିସିଆଇ ପକ୍ଷରୁ କୌଣସି ଅଧିକାରୀକ ଘୋଷଣା କରାଯାଇ ନାହିଁ। ଖବର ଅନୁଯାୟୀ, ବିସିସିଆଇ ଶୀଘ୍ର ଆଇପିଏଲ-୨୦୨୪ ମ୍ୟାଚ ଆୟୋଜନ କରିପାରେ | କାରଣ ୨୦୨୪ରେ ଦେଶରେ ଲୋକସଭା ନିର୍ବାଚନ ମେ ମାସ ଆଡକୁ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିସିସିଆଇର ଚିନ୍ତା ବଢିଛି | ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ସେତେବେଳେ ଦେଶରେ ନିର୍ବାଚନ ହେବାକୁ ଥିବାରୁ ଅନ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ ବୋଲି ବିସିସିଆଇ ଆଶଙ୍କା କରୁଛି |

Advertisment

ଆଉ ଏଥିପାଇଁ ମାର୍ଚ୍ଚରେ ଆଇପିଏଲ ମ୍ୟାଚ ଆରମ୍ଭ କରି ମେ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ସୁଦ୍ଧା ଫାଇନାଲ ମ୍ୟାଚ କରିବାକୁ ଯୋଜନା ଚଳାଇଛି | ତେବେ ବର୍ତ୍ତମାନ ବିସିସିଆଇ ବିଶ୍ୱକପ୍ ୨୦୨୩ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି | ଏହା ପରେ ହିଁ କୌଣସି ପ୍ରକାରର ନିଷ୍ପତ୍ତି ନିଆଯିବ | ସେହିପରି ଆଇପିଏଲର ଅଧିକାଂଶ ମ୍ୟାଚ ମଧ୍ୟ ବିଦେଶରେ ଆୟୋଜନ କରାଯାଇପାରେ | ତେବେ ପୂର୍ବରୁ ମଧ୍ୟ ବିଦେଶରେ ଆଇପିଏଲ ମ୍ୟାଚ ଖେଳାଯାଇଥିଲା | ୨୦୦୯ରେ, ଲୋକସଭା ନିର୍ବାଚନ ହେତୁ ଦକ୍ଷିଣ ଆଫ୍ରିକାରେ ଆଇପିଏଲ୍ ଆୟୋଜନ କରାଯାଇଥିଲା। ଏଥି ସହିତ, ୨୦୧୪ରେ ଲୋକସଭା ନିର୍ବାଚନ ହେତୁ ଏହାର କିଛି ମ୍ୟାଚ୍ ୟୁଏଇରେ ଖେଳାଯାଇଥିଲା ଏବଂ ଭାରତରେ କିଛି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା |