‌ଲକ୍ଷ୍ନୌ: ରାଜସ୍ଥାନ ରୟାଲ୍ସର ପ୍ଲେ ଅଫ୍ ପ୍ରବେଶ ଏକ ପ୍ରକାର ନିଶ୍ଚିତ ହୋଇଛି। ଶନିବାର ଅନୁଷ୍ଠିତ ୪୪ତମ ମ୍ୟାଚ୍‌ରେ ସଞ୍ଜୁ ସାମସନ୍‌ଙ୍କ ଦଳ ଘରୋଇ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସକୁ ୭ ୱିକେଟ୍‌ରେ ପରାସ୍ତ କରି ନବମ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ସହ ଶୀର୍ଷ ସ୍ଥାନକୁ ଅଧିକ ଦୃଢ଼ କରିଛି। ରୟାଲ୍ସ ୧୬ ପଏଣ୍ଟ୍‌ ପାଇଥିବାବେଳେ କେଏଲ୍ ରାହୁଲଙ୍କ ସୁପର୍ ଜାଏଣ୍ଟ୍‌ସ ନବମରୁ ଚତୁର୍ଥ ପରାଜୟ ବରଣ କରିଛି। ମ୍ୟାଚ୍‌ ବି‌ଜୟୀ ପାଳି ପାଇଁ ଅଧିନାୟକ ସଞ୍ଜୁ ସାମସନ୍‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

Advertisment

ଲକ୍ଷ୍ନୌ ଦେଇଥିବା ୧୯୭ ରନ୍ ବିଜୟ ଲକ୍ଷ୍ୟ ଅଟଳ ବିହାରୀ ଷ୍ଟାଡିୟମ୍‌ରେ ସହଜ ହେବନି ବୋଲି କୁହାଯାଉଥିଲେ ମଧ୍ୟ ସାମସନ୍ (୩୩ ବଲରୁ ୭୧* ରନ୍, ୭ ଚୌକା, ୪ ଛକା) ଓ ଧ୍ରୁବ ଜୁରେଲ (୩୪ ବଲରୁ ୫୨* ରନ, ୫ ଚୌକା, ୨ ଛକା)ଙ୍କ ଶତକୀୟ ଭାଗୀଦାରି ଏହାକୁ ସମ୍ଭବ କରି ଦେଖାଇଥିଲା। ଓପନିଂରେ ଜୟସ୍ବାଲ-ବଟଲର୍ ୬୦ ରନ୍ ଭାଗୀଦାରି କରିବା ପରେ ରୟାଲ୍ସ ହଠାତ୍‌ ୭୮/୩ରେ ସଂଘର୍ଷ କରିଥିଲା। କିନ୍ତୁ ସାମସନ୍-ଜୁରେଲ ଯୋଡ଼ି ୬୨ ବଲ୍‌ରେ ୧୨୧* ରନ୍ ଯୋଡ଼ି ଦଳର ବିଜୟ ଧାରାକୁ ଜାରି ରଖିଥିଲେ। ଗୋଟିଏ ଓଭର ପୂର୍ବରୁ ରାଜସ୍ଥାନ ୩ ୱିକେଟ୍‌ ହରାଇ ୧୯୯ ରନ୍ ସଂଗ୍ରହ କରି ନେଇଥିଲା। ୧୯ତମ ଓଭର ଶେଷ ଦୁଇ ବଲ୍‌କୁ ସଂଜୁ ସାମସନ୍ ମିଡ୍ ୱିକେଟ୍ ଦେଇ ଚୌକା ଓ ଫାଇନ୍ ଲେଗ୍ ଉପରେ ଛକା ମାରି ମ୍ୟାଚ୍‌ ଶେ‌ଷ କରିଥ‌ିଲେ।

ପୂର୍ବରୁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମ୍‌ସନ୍ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲେ। ଟ୍ରେଣ୍ଟ ବୋଲ୍ଟ ଓ ସନ୍ଦୀପ ଶର୍ମା ଦୁଇ ବିପଜ୍ଜନକ ବିଦେଶୀ ବ୍ୟାଟର୍‌ କ୍ବିଣ୍ଟନ୍ ଡି’କକ୍ (୬) ଓ ମାର୍କସ ଷ୍ଟୋଇନିସ୍ (୦)ଙ୍କୁ ୧୧ ରନ୍ ଭିତରେ ପ୍ୟାଭିଲିୟନ ଫେରାଇ ତାଙ୍କ ସମ୍ମାନ ବି ରଖିଥିଲେ। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ପରବର୍ତ୍ତୀ ୱିକେଟ୍ ପାଇଁ ରାଜସ୍ଥାନକୁ ୫୫ ବଲ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ତା ଭିତରେ ଏହି ଦଳର ବୋଲରମାନେ ପ୍ରଭାବହୀନ ବୋଲିଂ କରି ୧୧୫ ରନ୍ ଖର୍ଚ୍ଚ କରିଥିଲେ। ଲକ୍ଷ୍ନୌ ଅଧିନାୟକ କେଏଲ୍ ରାହୁଲ (୭୬ ରନ୍ , ୪୮ ବଲ୍, ୮ ଚୌକା, ୨ ଛକା) ଓ ଦୀପକ ହୁଡା (୫୦ ରନ୍, ୩୧ ବଳ୍‌, ୭ ଚୌକା) ଶତକୀୟ ଭାଗୀଦାରି କରି କେବଳ ରାଜସ୍ଥାନ ବୋଲର୍‌ଙ୍କୁ ନୟାନ୍ତ କରି ନଥିଲେ, ବରଂ ନିଜ ଦଳକୁ ବିପଦରୁ ବାହାରକୁ ନେଇ ଆସିଥିଲେ। ସେଥିପାଇଁ ଲକ୍ଷ୍ନୌ ୨୦୦ ରନ୍ ଟପିବାର ଆଶା ସଂଚାର ହୋଇଥିଲା।

ତେବେ ନିକୋଲାସ୍ ପୂରନ ସ୍ବଭାବ ବିପରୀତ ବ୍ୟାଟିଂ କରି ୧୧ ବଲ୍‌ରୁ ୧୧ ରନ୍ କରିଥିଲେ। ସେହିଭଳି ଆୟୁଷ ବଡ଼ୋନୀ (୧୮ ରନ୍, ୧୩ ବଲ୍), କ୍ରୁନାଲ ପାଣ୍ଡ୍ୟା (୧୫ ରନ୍, ୧୧ ବଲ୍)ଙ୍କୁ ମଧ୍ୟ ରାଜସ୍ଥାନ ବୋଲର ହାତଖୋଲା ସଟ୍ ଖେଳିବାର ସୁଯୋଗ ଦେଇ ନଥିଲେ। ଫଳରେ ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ଦ୍ବିଶତକଠାରୁ ୪ ରନ୍‌ ଦୂରରେ ଅଟକି ଯାଇଥିଲା।

ସଂକ୍ଷିପ୍ତ ସ୍କୋର୍: ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ୨୦ ଓଭରରେ ୧୯୬/୫ (କେଏଲ୍ ରାହୁଲ ୭୬, ଦୀପକ ହୁଡା ୫୦, ଆୟୁଷ ବଡୋନୀ ୧୮*, ସନ୍ଦୀପ ଶର୍ମା ୨/୩୧, ଆର୍. ଅଶ୍ବିନ ୧/୩୯, ଟ୍ରେଣ୍ଟ୍ ବୋଲ୍ଟ ୧/୪୧)। ରାଜସ୍ଥାନ ରୟାଲ୍ସ ୧୯ ଓଭରରେ ୧୯୯/୩ (ସଞ୍ଜୁ ସାମସନ-୭୧*, ଧ୍ରୁବ ଜୁରେଲ-୫୨*, ଜୋସ ବଟଲର୍‌-୩୪, ଯଶସ୍ବୀ ଜୟସ୍ବାଲ-୨୪, ମାର୍କସ ଷ୍ଟୋଇନିସ୍‌-୧/୩, ଅମିତ ମିଶ୍ରା-୧/୨୦, ୟାଶ ଠାକୁର-୧/୫୦)।