କୋଲକାତା: ଆଜିଠୁ ଆରମ୍ଭ ହେଉଛି ଆଇପିଏଲ ମହାଯୁଦ୍ଧ । କୋଲକାତା ଇଡେନ୍ ଗାର୍ଡେନ୍ସରେ ଖେଳାଯିବ ଆଇପିଏଲର ଉଦଘାଟନୀ ମ୍ୟାଚ୍ । ଏଥିପାଇଁ କ୍ରିକେଟ୍ ପ୍ରେମୀଙ୍କ ମନରେ ଅନେକ ଉତ୍ସାହ ଥିବାବେଳେ ମ୍ୟାଚ୍ କେତେବେଳେ ଆରମ୍ଭ ହେବ ତାକୁ ଅପେକ୍ଷା କରିଛନ୍ତି । ଘଣ୍ଟା କଣ୍ଟାର ସମୟ ଠିକ୍ ସାଢେ ୭ଟାରେ ଆରମ୍ଭ ହେବ ଚଳିତ ସିଜିନର ପ୍ରଥମ ମ୍ୟାଚ୍ । ଆଇପିଏଲ ପ୍ରଥମ ମ୍ୟାଚରେ ଗତଥରର ଚାମ୍ପିୟନ କେକେଆର ସହ ରୟାଲ ଚ୍ୟାଲେଞ୍ଜ ବେଙ୍ଗଲୁରୁ ମଧ୍ୟରେ ମୁକାବିଲା ହେବାକୁ ଥିବା ବେଳେ ଉଭୟ ଟିମର ପ୍ରଶଂସକ ମ୍ୟାଚକୁ ଉପଭୋଗ କରିବାକୁ ଅପେକ୍ଷା କରିଛନ୍ତି ।
ମାତ୍ର ମ୍ୟାଚ୍ ଆରମ୍ଭରୁ ଆଇପିଏଲକୁ ନାଲି ଆଖି ଦେଖାଇଲାଣି ବର୍ଷା । ଷ୍ଟାଡିୟମ ଆକାଶରେ କଳା ବାଦଲ ଘୋଟିଥିବା ଦେଖିବାକୁ ମିଳିଲାଣି । ଖରାପ ପାଗ ପାଇଁ ପ୍ରଥମ ମ୍ୟାଚ୍ ବାଧାପ୍ରାପ୍ତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
7 days forecast of #Capital City pic.twitter.com/TG5OgjlJCK
— IMD Kolkata (@ImdKolkata) March 21, 2025
ଆଇଏମଡିର ସୂଚନା ଅନୁସାରେ କୋଲକାତା ଏବଂ ଆଖପାଖ ଅଞ୍ଚଳରେ ବର୍ଷା ଓ ଘଡଘଡିର ପୂର୍ବାନୁମାନ କରାଯାଇଛି । ପାଣିପାଗ ଖରାପ ଥିବାରୁ ଆଇପିଏଲ ଉଦଘାଟନୀ ମ୍ୟାଚରେ ବର୍ଷା ଗ୍ରହଣ ଲଗାଇପାରେ । ୨୦ରୁ ୨୨ ତାରଇକ ଭିତରେ କୋଲକାତା ସମେତ ରାଜ୍ୟର ଅନେକ ସ୍ଥାନରେ ବର୍ଷା, ବିଜୁଳି, ଘଡଘଡି ସହ ପ୍ରବଳ ପବନ ହେବାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ଏଥିସହ ସ୍ଥାନେ ସ୍ଥାନେ ମଧ୍ୟମ ଏବଂ ଅତି ପ୍ରବଳ ବର୍ଷାର ମଧ୍ୟ ପୂର୍ବାନୁମାନ କରିଥିଲା ଏହି ସୂଚନା ପରେ ଆଜି ଆଇପିଏଲ ଉଦଘାଟନୀ ମ୍ୟାଚରେ ଦର୍ଶକଙ୍କ ଭିଡ କମ୍ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
ତେବେ ଆଜି ଆଇପିଏଲ ଉଦଘାଟନୀ ମ୍ୟାଚରେ ବଲିଉଡର ବଡ ବଡ କଳାକାର ଓ କଣ୍ଠଶିଳ୍ପୀ ଯୋଗଦେବେ । ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ସଂଧ୍ୟା ୬ଟାରୁ ଆରମ୍ଭ ହେବ ଏବଂ ଠିକ୍ ସାଢେ ୭ଟାରେ ମ୍ୟାଚ୍ ଆରମ୍ଭ ହେବାର ଯୋଜନା ରହିଛି । ମାତ୍ର ବର୍ଷା କଣ କରୁଛି ତା ଉପରେ ନଜର ।