ଆଇପିଏଲ୍‌: ଫର୍ମାଟ୍‌ରେ ପରିବର୍ତନ, ଦୁଇଟି ଗ୍ରୁପ୍‌ରେ ୧୦ ଦଳ

ପ୍ରତି ଗ୍ରୁପ୍‌ରେ ୫ ଦଳ, ପ୍ରଦର୍ଶନ ଭିତ୍ତିରେ ଗ୍ରୁପ୍‌ ନିର୍ଣ୍ଣୟ
ପ୍ରତି ଦଳ ଖେଳିବେ ୧୪ ଲିଗ୍‌ ମ୍ୟାଚ୍‌
ନିଜ ଗ୍ରୁପ୍‌ର ଦଳ ସହ ୨ ଲେଖାଏଁ, ନିଜ ଧାଡ଼ିର ଅନ୍ୟ ଗ୍ରୁପ୍‌ ଦଳ ସହ ୨, ଅବଶିଷ୍ଟ ଦଳଙ୍କ ସହ ଥରେ ଲେଖାଏଁ

ମୁମ୍ବାଇ : ଆସନ୍ତାମାସ ୨୬ ତାରିଖରୁ ଆରମ୍ଭ ହେବ ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣ। ଏହି ସଂସ୍କରଣ ମୁମ୍ବାଇର ୩ ଏବଂ ପୁଣେର ଗୋଟିଏ ଭେନ୍ୟୁରେ ଆୟୋଜିତ ହେବ। ଲିଗ୍‌ ପର୍ଯ୍ୟାୟରେ ମୋଟ ୭୦ ମ୍ୟାଚ୍‌ ସ୍ଥାନ ପାଇଛି। ସେଥିରୁ ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ ଓ ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ୨୦ ଲେଖାଏଁ ଏବଂ ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ ଓ ପୁଣେର ଏମ୍‌ସିଏ ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ୧୫ ଲେଖାଏଁ ମ୍ୟାଚ୍‌ ଖେଳାଯିବ। ଲିଗ୍‌ ପର୍ଯ୍ୟାୟ ପରେ ଏବଂ ଫାଇନାଲ୍‌ ପୂର୍ବରୁ ୪ଟି ପ୍ଲେଅଫ୍‌ ମ୍ୟାଚ୍‌ ‌ଖେଳାଯିବ। ଫାଇନାଲ୍‌ ମ୍ୟାଚ୍‌ ମେ’ ୨୯ ତାରିଖରେ ଖେଳାଯିବ। ପ୍ରତି ଷ୍ଟାଡିୟମ୍‌କୁ ପ୍ରାୟ ୪୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯିବ ବୋଲି ବିସିସିଆଇ କହିଛି।

ତେବେ ପୂର୍ବ ତୁଳନାରେ ଆଗାମୀ ସଂସ୍କରଣ ପାଇଁ ଆଇପିଏଲ୍‌ ଫର୍ମାଟ୍‌ରେ ପରିବର୍ତନ କରାଯାଇଛି। ଅବଶ୍ୟ ପରିବର୍ତିତ ଫର୍ମାଟ୍‌ ୨୦୧୧ ସଂସ୍କରଣ ଭଳି ବୋଲି କୁହାଯାଇଛି। ପରିବର୍ତିତ ଫର୍ମାଟ୍‌ ଅନୁଯାୟୀ ପଞ୍ଚଦଶ ସଂସ୍କରଣରେ ଅଂଶଗ୍ରହଣ କରୁଥିବା ମୋଟ ୧୦ ଦଳକୁ ସମାନ ଭାବେ ଦୁଇଟି ଗ୍ରୁପ୍‌ରେ ଭାଗ କରାଯାଇଛି। ଆଇପିଏଲ୍‌‌ରେ (ବିଜେତା ଏବଂ ଫାଇନାଲ୍‌ ପ୍ରବେଶ ସଂଖ୍ୟା) ପ୍ରଦର୍ଶନକୁ ଭିତ୍ତିକରି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଶୁକ୍ରବାର ଗ୍ରୁପ୍‌ ପ୍ରସ୍ତୁତ କରିଛି। ପ୍ରତି ଗ୍ରୁପ୍‌ରେ ୫ ଲେଖାଏଁ ଦଳ ସାମିଲ ହୋଇଛନ୍ତି। ଗ୍ରୁପ୍‌-ଏ’ରେ ମାନ୍ୟତା ଅନୁଯାୟୀ ମୁମ୍ବାଇ ଇଣ୍ଡିଆନ୍‌ସ (୧), କୋଲ୍‌କାତା ନାଇଟ୍‌ ରାଇଡର୍ସ (୩), ରାଜସ୍ଥାନ ରୟାଲ୍‌ସ (୫), ଦିଲ୍ଲୀ କ୍ୟାପିଟାଲ୍‌ସ (୭), ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ (୯) ସ୍ଥାନ ପାଇଥିଲା ବେଳେ ଗ୍ରୁପ୍‌-ବି’ରେ ଚେନ୍ନାଇ ସୁପର କିଙ୍ଗ୍‌ସ (୨), ସନ୍‌ରାଇଜର୍ସ ହାଇଦ୍ରାବାଦ (୪), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୬), ପଞ୍ଜାବ କିଙ୍ଗ୍‌ସ (୮), ଗୁଜରାଟ ଟାଇଟାନ୍‌ସ (୧୦) ରହିଛନ୍ତି। ଲିଗ୍‌ ପର୍ଯ୍ୟାୟରେ ପ୍ରତି ଦଳ ୧୪ ଲେଖାଏଁ ମ୍ୟାଚ୍‌ ଖେଳିବେ। ସେଥିମଧ୍ୟରୁ ନିଜ ଗ୍ରୁପ୍‌ର ଅନ୍ୟ ୪ ଦଳ ବ୍ୟତୀତ ଗ୍ରୁପିଂର ସମାନ ଧାଡ଼ିରେ ରହିଥିବା ଅନ୍ୟ ଗ୍ରୁପ୍‌ର ଦଳ ସହ ୨ ଲେଖାଏଁ ମ୍ୟାଚ୍‌ ଖେଳିବେ। ଏହାବାଦ୍‌ ଅନ୍ୟ ଗ୍ରୁପ୍‌ର ଅବଶିଷ୍ଟ ୪ ଦଳ ସହିିତ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳି ଲିଗ୍‌ ପର୍ଯ୍ୟାୟ ଶେଷ କରିବେ। ସେହିପରି ପ୍ରତି ଦଳ ୱାଙ୍ଖ୍‌ଡେ ଓ ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ୪ ଲେଖାଏଁ ମ୍ୟାଚ୍‌ ଏବଂ ବ୍ରାବର୍ଣ୍ଣ ଓ ଏମ୍‌ସିଏ (ପୁଣେ) ଷ୍ଟାଡିୟମ୍‌ରେ ୩ ଲେଖାଏଁ ମ୍ୟାଚ୍‌ ଖେଳିବେ। ପ୍ଲେଅଫ୍‌ ମ୍ୟାଚ୍‌ ପାଇଁ ଭେନ୍ୟୁ ପରେ ସ୍ଥିର କରାଯିବ ବୋଲି ଶୁକ୍ରବାର ଆଇପିଏଲ୍‌ ଅଧ୍ୟକ୍ଷ ବ୍ରିଜେଶ ପଟେଲ ସ୍ପଷ୍ଟ କରିଛନ୍ତି।

କେଉଁ ଦଳ କେମିତି ୧୪ ଲିଗ୍‌ ମ୍ୟାଚ୍‌ ଖେଳିବେ ସେନେଇ ଏଠାରେ ଗୋଟିଏ ଉଦାହରଣ ଦିଆଯାଉଛି। ମନେକର ଗ୍ରୁପ୍‌-ଏ’ରେ ମୁମ୍ବାଇ ଇଣ୍ଡିଆନ୍‌ସ ନିଜ ଗ୍ରୁପ୍‌ର ୪ ଦଳ କୋଲ୍‌କାତା, ରାଜସ୍ଥାନ, ଦିଲ୍ଲୀ ଓ ଲକ୍ଷ୍ନୌ ସହ ୨ ଲେଖାଏଁ ମ୍ୟାଚ୍‌ ଖେଳିବ। ଏହି ଦଳ ମଧ୍ୟ ନିଜ ଧାଡ଼ିର ପ୍ରତିଦ୍ବନ୍ଦ୍ବୀ ଚେନ୍ନାଇ ସହ ୨ ମ୍ୟାଚ୍‌ ଖେଳିବ। ମୋଟ ୧୦ ମ୍ୟାଚ୍‌ ପରେ ଅବଶିଷ୍ଟ ୪ ମ୍ୟାଚ୍‌ ଅନ୍ୟ ଗ୍ରୁପ୍‌ର ଅବଶିଷ୍ଟ ୪ ଦଳ ସହ (ଗୋଟିଏ ଲେଖାଏଁ) ଖେଳିବ।

ସମ୍ବନ୍ଧିତ ଖବର