ନୂଆଦିଲ୍ଲୀ : ମହାମାରୀ କରୋନା ଲାଗି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)କୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା। ସଂପ୍ରତି କରୋନାର ପ୍ରକୋପ ଦେଶବ୍ୟାପୀ ଜାରି ରହିଥିବାରୁ ଏହା ଉପରେ ଆଉଥରେ ନିଷ୍ପତ୍ତି ହୋଇପାରେ। ଆମେ ବର୍ତ୍ତମାନ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଆଇପିଏଲ୍ ସ୍ଥଗିତ ରଖିଛୁ। ଏବେ ଲକ୍ଡାଉନ୍ ସମୟକୁ ପୁଣି ଏପ୍ରିଲ ଶେଷ ପର୍ଯ୍ୟନ୍ତ ବଢ଼ାଗଲାଣି। କରୋନା ଉପରେ ସରକାର କ’ଣ ନିଷ୍ପତ୍ତି ନେଉଛନ୍ତି ତା’ ଉପରେ ଆମେ ନଜର ରଖିଛୁ। ତାପରେ କ’ଣ ନିଷ୍ପତ୍ତି ନେବୁ ଚିନ୍ତା କରିବୁ। ଯଦି ଲକ୍ଡାଉନ୍ ଅବଧି ବଢ଼ିବଢ଼ି ଚାଲେ ତାହାଲେ ଆମେ ଆଇପିଏଲ୍କୁ ସ୍ଥଗିତ ରଖିବାକୁ ବାଧ୍ୟ ହେବୁ ବୋଲି ବିସିସିଆଇର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ଗୁରୁବାର ଓଡ଼ିଶା ପ୍ରଥମ ରାଜ୍ୟ ଭାବରେ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଲକ୍ଡାଉନ୍ ବୃଦ୍ଧି କରିଥିଲା। ଏହା ପରେ ପଞ୍ଜାବ, ତେଲେଙ୍ଗାନା ଏବଂ ମହାରାଷ୍ଟ୍ର ଭଳି ଅନେକ ରାଜ୍ୟ ମଧ୍ୟ ଏହାକୁ ବୃଦ୍ଧି କରିଛନ୍ତି। ତେଣୁ ଆଇପିଏଲ୍ ପାଇଁ କିଛି ଯୋଜନା କରିବା ପୂର୍ବରୁ ଆମେ ସରକାରଙ୍କ କରୋନା ନିଷ୍ପତ୍ତିକୁ ଅପେକ୍ଷା କରିଛୁ ବୋଲି ବିସିସିଆଇ କହିଛି।
ଆଇପିଏଲ୍ ନହେଲେ ଭାରତୀୟ ଦଳକୁ ଧୋନିଙ୍କ ପ୍ରତ୍ୟାବର୍ତ୍ତନ ଅସମ୍ଭବ ହୋଇଯିବ: ଶ୍ରୀକାନ୍ତ
ନୂଆଦିଲ୍ଲୀ : ଯଦି ଚଳିତ ବର୍ଷର ଆଇପିଏଲ୍ ଖେଳାନଯାଏ ତାହେଲେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଭାରତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ଅସମ୍ଭବ ହୋଇଯିବ ବୋଲି ପୂର୍ବତନ ଚୟନ ସମିତି ଅଧ୍ୟକ୍ଷ କୃଷ୍ଣମଚାରି ଶ୍ରୀକାନ୍ତ ଶନିବାର ଏକ ସାକ୍ଷାତକାରରେ କହିଛନ୍ତି। ଧୋନି ଶେଷଥର ପାଇଁ ଭାରତ ପକ୍ଷରୁ ଦିନିକିଆ ବିଶ୍ବକପ୍ର ସେମି ଫାଇନାଲ୍ରେ ଖେଳିଥିଲେ। ତେବେ ଧୋନିଙ୍କ ଭଳି ଜଣେ ସଫଳ ଖେଳାଳି ହୋଇଥିଲେ ବି, ବ୍ୟକ୍ତିଗତ ସ୍ବାର୍ଥ ଅପେକ୍ଷା ଦଳୀୟ ସ୍ବାର୍ଥ ପ୍ରଥମେ ଆସିବ ବୋଲି ଶ୍ରୀକାନ୍ତ କହିଛନ୍ତି।
ଶ୍ରୀକାନ୍ତଙ୍କ ମତରେ କେଏଲ୍ ରାହୁଲ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ ଭାବେ ଦଳ ସହ ରହିବେ। କାରଣ ଋଷଭ ପନ୍ତଙ୍କ ସ୍ଥାନକୁ ନେଇ ସେ ମଧ୍ୟ ଦ୍ବନ୍ଦ୍ବରେ ଅଛନ୍ତି। କିନ୍ତୁ ପନ୍ତଙ୍କ ପାଖରେ ପ୍ରତିଭା ଭରପୂର ଥିବା ଶ୍ରୀକାନ୍ତ ସ୍ବୀକାର କରିଛନ୍ତି। ତେଣୁ ପନ୍ତଙ୍କୁ ଦଳରେ ନିଆଗଲେ ଭୂଲ ହେବନାହିଁ ବୋଲି ସେ କହିଛନ୍ତି। କିନ୍ତୁ ଆଇପିଏଲ୍ ଖେଳାନଗଲେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାରେ ଧୋନିଙ୍କୁ କଷ୍ଟକର ହୋଇଯିବ। ନିକଟ ଅତୀତରେ ଭାରତୀୟ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ଆଇପିଏଲ୍ ଧୋନିଙ୍କ ପାଇଁ ପରୀକ୍ଷାର ସମୟ ବୋଲି କହିଥିଲେ। ଯଦିଓ ଧୋନି ଶାରୀରିକ ଭାବେ ଦକ୍ଷ ଅଛନ୍ତି ଏବଂ ସେ ଜଣେ କିମ୍ବଦନ୍ତୀ ପାଲଟି ଯାଇଛନ୍ତି। ଏପରିକି ଶ୍ରୀକାନ୍ତ ମଧ୍ୟ ତାଙ୍କର ଜଣେ ବଡ଼ ପ୍ରଶଂସକ। କିନ୍ତୁ ବିଶ୍ବକପ୍ ଦଳ ପାଇଁ ତାଙ୍କର ଚୟନ ବଡ଼ ପ୍ରଶ୍ନ ହୋଇଯାଇଛି। ଏପରିସ୍ଥଳେ କୌଣସି ବ୍ୟକ୍ତିକୁ ବାଦ୍ ଦେଇ ପ୍ରଥମେ ଭାରତୀୟ ଦଳକୁ ପ୍ରାଧାନ୍ୟ ଦିଆଯିବା ଉଚିତ୍ ବୋଲି ଶ୍ରୀକାନ୍ତ ତାଙ୍କ ପ୍ରତିକ୍ରିୟାରେ କହିଥିଲେ।
ସୋମବାର ଆଲୋଚନା ପରେ ଆଇପିଏଲ୍ ଚିତ୍ର ସ୍ପଷ୍ଟ ହେବ: ଗାଙ୍ଗୁଲି
ନୂଆଦିଲ୍ଲୀ : ଆଇପିଏଲ୍ର ତ୍ରୟୋଦଶତମ ସଂସ୍କରଣକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କରୋନା ଭୂତାଣୁ ସଂକ୍ରାମକଙ୍କ ସଂଖ୍ୟା ବଢିଚାଲିଥିବାରୁ ଏହି ପ୍ରତିଯୋଗିତାକୁ ବତ୍ତର୍ମାନ ସ୍ଥିତିରେ ଆୟୋଜନ କରିବା ଅସମ୍ଭବ ହୋଇପଡ଼ିଛି। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଏହାକୁ ସ୍ବୀକାର କରିବା ସହ ସ୍ଥିତି ଉପରେ ନଜର ରଖାଯାଉଥିବା ସେ ଏକ ସାକ୍ଷାତକାରରେ କହିଛନ୍ତି। ଏଭଳି ସମୟରେ କିଛି କହିବା ସମ୍ଭବ ନୁହେଁ। ବିମାନବନ୍ଦର ବନ୍ଦ ହୋଇଯାଇଛି। ଲୋକମାନେ ଘରେ ରହୁଛନ୍ତି। କାର୍ଯ୍ୟାଳୟରେ ତାଲା ପଡ଼ିଛି। କେହି ବି କୁଆଡ଼େ ଯାଇପାରୁନାହାନ୍ତି। ଏଭଳି ପରିସ୍ଥିତି ମେ’ ମାସ ପର୍ଯ୍ୟନ୍ତ ଚାଲିପାରେ ବୋଲି ଅନୁମାନ କରାଯାଉଛି। ଏଥିଯୋଗୁଁ କୌଣସି ପ୍ରକାରର କ୍ରୀଡ଼ା ପାଇଁ ଏହା ପ୍ରକୃତ ସମୟ ନୁହେଁ। ତେଣୁ ସୋମବାର ବିସିସିଆଇର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ଆଇପିଏଲ୍ ଚିତ୍ର ସ୍ପଷ୍ଟ ହେବ ବୋଲି ସେ ସଙ୍କେତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/IPL.png)