ଆଇପିଏଲ୍ କୀର୍ତ୍ତିମାନ: ରେକର୍ଡ ୩୭ ପାଳିରେ ୨୦୦+ ସ୍କୋର୍‌

ଏଥର ସବୁଠୁ ଅଧିକ ଛକା ଓ ଚୌକା ବର୍ଷା ହୋଇଛି

ନୂଆଦିଲ୍ଲୀ: ଆଇପିଏଲ୍‌ର ଷୋଡ଼ଶ ସଂସ୍କରଣରେ ଆଉ ଦୁଇଟି ମ୍ୟାଚ୍‌ ବାକି ରହିଲା। ବର୍ତ୍ତମାନସୁଦ୍ଧା ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ପ୍ରଚୁର ରନ୍‌ ସଂଗ୍ରହ ହୋଇଥିଲା ବେଳେ ଏକାଧିକ ଚମତ୍କାର ବୋଲିଂ ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିଛି। ଏଥିମଧ୍ୟରେ ଅନେକ କୀର୍ତ୍ତିମାନ ଭାଙ୍ଗିଥିଲା ବେଳେ କିଛି ନୂଆ କୀର୍ତ୍ତିମାନ ପ୍ରତିଷ୍ଠା ହୋଇଛି। ଚଳିତ ଆଇପିଏଲ୍‌ର ସେଭଳି କିଛି ପରିସଂଖ୍ୟନ ଏଠାରେ ଦିଆଗଲା।

-ଚେପକ୍‌ରେ ଖେଳାଯାଇଥିବା ଏଲିମିନେଟରରେ ଆକାଶ ମାଧୱାଲ ଟ୍ବେଣ୍ଟି-୨୦ର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ଏଥିସହିତ ଏକ ପ୍ଲେ ଅଫ୍‌ ମ୍ୟାଚ୍‌ରେ ୫ ୱିକେଟ୍‌ ନେବାରେ ସେ ପ୍ରଥମ ବୋଲର ହୋଇଥିଲେ। ଅବଶ୍ୟ ଏହାପରେ ମୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଦ୍ବିିତୀୟ କ୍ବାଲିଫାୟାରରେ ୫ ୱିକେଟ୍‌ ଦଖଲ କରି ଏହି ତାଲିକାରେ ଯୋଡ଼ି ହୋଇଥିଲେ।

-ମାଧୱାଲ୍‌ଙ୍କ ୫/୫ କେବଳ ଆଇପିଏଲ୍‌ରେ ଜଣେ ବୋଲରଙ୍କ ଶ୍ରେଷ୍ଠ ପ୍ରଦର୍ଶନ ନୁହେଁ, ବରଂ ଗୁଜରାଟ ଟାଇଟନ୍ସ ବିପକ୍ଷରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ। ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଉମ୍ରାନ ମଲ୍ଲିକ (୫/୨୫) ୱାଙ୍ଖଡେ ଷ୍ଟାଡିୟମ୍‌ରେ ଗତ ବର୍ଷ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ।

-ଉଭୟ ଅନିଲ କୁମ୍ବଲେ ଓ ମାଧୱାଲ୍‌ ଆଇପିଏଲ୍‌ରେ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇବାରେ ଯୁଗ୍ମ ଅଧିକାରୀ ହୋଇଛନ୍ତି। ଆର୍‌ସିବି ପାଇଁ କୁମ୍ବଲେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୨୦୦୯ରେ ୫/୫ ସଫଳତା ପାଇଥିଲେ।

-ଚଳିତ ଆଇପିଏଲ୍‌ରେ ମାଧୱାଲ୍‌ ତୃତୀୟ ଏବଂ ମୋହିତ ଶର୍ମା ଚତୁର୍ଥ ବୋଲର ଭାବେ ୫ ୱିକେଟ୍‌ ସଫଳତା ପାଇଛନ୍ତି। ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ର ମାର୍କ ଉଡ୍‌ (୫/୧୪) ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏବଂ ସନରାଇଜର୍ସ ହାଇଦ୍ରାବାଦର ଭୁବନେଶ୍ବର କୁମାର (୫/୩୦) ଗୁଜରାଟ ଟାଇଟନ୍ସ ବିପକ୍ଷରେ ଏହି ସଫଳତା ପାଇଥିଲେ।

-ମାଧୱାଲ୍‌ଙ୍କ ପରେ ଅବଶ୍ୟ ମୋହିତ ଶର୍ମା ପ୍ଲେଅଫ୍‌ରେ ୫ ୱିକେଟ୍‌ ଦଖଲ କରିବାରେ ଦ୍ବିତୀୟ ବୋଲର ହୋଇଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳୁଥିବା ମୋହିତ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍‌ରେ ୧୦ ରନ୍‌ରେ ୫ ୱିକେଟ୍‌ ନେଇଥିଲେ। ଏହା ମଧ୍ୟ ଆଇପିଏଲ୍‌ରେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଥିଲା।

-ଏହି ସଂସ୍କରଣରେ ସବୁଠୁ ଅଧିକ ୩୭ ଥର ୨୦୦ କିମ୍ବା ଏହାଠୁ ଅଧିକ ରନ୍‌ ସଂଗୃହୀତ ହୋଇଛି। ସେଥିମଧ୍ୟରୁ ୮ ଥର ପଶ୍ଚାତଧାବନ ବେଳେ ସଂଗୃହୀତ ହୋଇଥିଲା। ଏହା ମଧ୍ୟ ଏକ କୀର୍ତ୍ତିମାନ। ସେଥିରୁ ମୁମ୍ବାଇ ୪ ଥର ଏବଂ କୋଲକାତା, ଲକ୍ଷ୍ନୌ, ପଞ୍ଜାବ ଓ ହାଇଦ୍ରାବାଦ ଥରେ ଲେଖାଏଁ ଏହି ସଂଖ୍ୟା ଛୁଇଁଛନ୍ତି।

-୧୬ଟି ମ୍ୟାଚ୍‌ରେ ମୋଟ ୪୦୦ରୁ ଅଧିକ ରନ୍‌ ରେକର୍ଡ କରାଯାଇଛି। ସେଥିରୁ ୪ ଥର ମୁମ୍ବାଇରେ, ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା ଓ ମୋହାଲିରେ ଦୁଇଥର ଲେଖାଏଁ ଏବଂ ଜୟପୁର ଓ ଧର୍ମଶାଳାରେ ଥରେ ଲେଖାଏଁ ୪୦୦ ରୁ ଅଧିକ ରନ୍‌ ଦେଖିବାକୁ ମିଳିଛି।

-୧୨ଟି ମ୍ୟାଚ୍‌ରେ ଉଭୟ ଦଳ ୨୦୦ରୁ ଅଧିକ ରନ୍‌ ସ୍କୋର କରିଥିଲେ। ଏହା ଗତବର୍ଷ (୫)ର କୀର୍ତ୍ତିମାନଠୁ ଢେର୍‌ ଆଗକୁ ଚାଲିଯାଇଛି।

-ପର୍ପଲ କ୍ୟାପ୍‌ ବିଜେତା ମହମ୍ମଦ ସାମି ୨୮ ୱିକେଟ୍‌ ନେଇଥିଲା ବେଳେ ସେଥିରେ ଦୁଇଟି ୪ ୱିକେଟ୍‌ ସଫଳତା ସାମିଲ ଅଛି।

-ରସିଦ୍‌ ଖାନ୍‌ ୨୭ ୱିକେଟ୍‌ ସହ ବୋଲରଙ୍କ ତାଲିକାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି।

-୭ ଜଣ ବ୍ୟାଟର ୫୦୦ରୁ ଅଧିକ ରନ୍‌ ସ୍କୋର କରିଥିଲେ ବି ସୂର୍ଯ୍ୟକୁମାର ଯାଦବ (୫୪୪)ଙ୍କ ଷ୍ଟ୍ରାଇକ୍‌ରେଟ୍‌ (୧୮୩.୭୮) ସର୍ବୋଚ୍ଚ ରହିଛି। ତାଙ୍କ ସ୍କୋର୍‌ ମଧ୍ୟରେ ଗୋଟିଏ ଶତକ ଓ ୪ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ।

-ଜଣେ କେକେଆର୍‌ ବ୍ୟାଟର ଭାବେ ରିଙ୍କୁ ସିଂହ ସର୍ବାଧିକ ୨୯ ଛକା ମାରିଛନ୍ତି। ସେଥିମଧ୍ୟରୁ ପଶ୍ଚାତଧାବନ ସମୟରେ ୨୨ ଛକା ଆସିଥିଲା।

-ଡ‌ୁପ୍ଲେସିସ୍‌ ଏହି ସଂସ୍କରଣରେ ୮ ଅର୍ଦ୍ଧଶତକ ମାରିଥିଲା ବେଳେ କୋହଲି ଦୁଇ ଶତକ ଓ ୬ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଉଭୟ ସବୁଠୁ ଅଧିକ ୮ ଥର ୫୦ରୁ ଅଧିକ ରନ୍‌ ଭାଗୀଦାରି କରିଛନ୍ତି।

-ଚେନ୍ନାଇ ସୁପର କିଙ୍ଗ୍‌ସର ୨୩୫ ହେଉଛି କୌଣସି ଦଳର ସର୍ବାଧିକ ସ୍କୋର୍‌। ଏହା ପଛକୁ ପଛ ଗୁଜରାଟ ଟାଇଟନ୍ସର ୨୩୩/୩, ମୁମ୍ବାଇ ଇଣ୍ଡିଆନ୍ସର ୨୧୮/୫ ଏବଂ କେକେଆର୍‌ର ଅହମଦାବାଦରେ ୨୦୭/୭ ସ୍କୋର ରହିଛି।

-ମୁମ୍ବାଇ ପ୍ରଥମ ଦଳ ଭାବେ ୬ ଥର ୨୦୦ରୁ ଅଧିକ ସ୍କୋର କରିଛି। ପଞ୍ଜାବ ବିପକ୍ଷରେ ଦୁଇଥର ଏବଂ ରାଜସ୍ଥାନ, ବାଙ୍ଗାଲୋର, ଗୁଜରାଟ ଓ ହାଇଦ୍ରାବଦ ବିପକ୍ଷରେ ଥରେ ଲେଖାଏଁ ୨୦୦+ ରନ୍‌ କରିଛି।

-୬ଟି ୨୦୦+ ରନ୍‌ ମଧ୍ୟରୁ ୪ ଥର ମୁମ୍ବାଇ ଇଣ୍ଡିଆନ୍ସ ପଛରେ ବ୍ୟାଟିଂ କରି ବିଜୟୀ ହୋଇଛି। ଯେକୌଣସି ଆଇପିଏଲ୍‌ ସଂସ୍କରଣରେ କୌଣସି ଦଳ ପାଇଁ ଏହା ଏକ କୀର୍ତ୍ତିମାନ।

-ୱାଙ୍ଖଡେ ଷ୍ଟାଡିୟମ୍‌ରେ ପଞ୍ଜାବ (୨୦୧/୬), ରାଜସ୍ଥାନ (୨୧୪/୪), ଆର୍‌ସିବି (୨୦୦/୪), ଗୁଜରାଟ (୨୧୮/୫), ହାଇଦ୍ରାବାଦ (୨୦୧/୨) ବିପକ୍ଷରେ ମୁମ୍ବାଇ ସଂଗ୍ରହ କରିଥିବା ୫ ଥର ୨୦୦+ ରନ୍‌ କୌଣସି ଷ୍ଟାଡିୟମ୍‌ରେ ପ୍ରଥମ ଘଟଣା।

-ଶୁବମନ ଗିଲ୍‌ (୧୦୧), ବିରାଟ କୋହଲି (୧୦୦), କାମେରନ୍‌ ଗ୍ରିନ୍‌ (୧୦୦*) ସନରାଇଜର୍ସ ହାଇଦ୍ରାବଦ ବିପକ୍ଷରେ ଶତକ କରି କୀର୍ତ୍ତିମାନ ରଚିଛନ୍ତି। ହାଇଦ୍ରାବାଦ ପ୍ରଥମ ଦଳ ଯାହା ବିପକ୍ଷରେ ଗତ ତିନିଟି ସଂସ୍କରଣରେ ଶତକ ଅର୍ଜନ ହୋଇଛି।

-ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ୧୨ ଶତକ ଅର୍ଜନ ହୋଇଛି। ଶୁବମନ ଗିଲ୍‌ ୩ ଥର, ବିରାଟ କୋହଲି ଦୁଇଥର ଏବଂ ହାରି ବ୍ରୁକ୍‌, ଭେଙ୍କଟେଶ ଆୟର, ଯଶସ୍ବୀ ଜୟସ୍ବାଲ୍‌, ସୂର୍ଯ୍ୟକୁମାର ଯାଦବ, ପ୍ରଭସିମ୍ରନ ସିଂହ, ହେନରିକ୍‌ କ୍ଲାସେଁ, କାମେରନ୍‌ ଗ୍ରିନ୍‌ ଥରେ ଲେଖାଏଁ ଶତକ ହାସଲ କରିଛନ୍ତି।

-କ୍ରିସ୍‌ ଗେଲ୍‌ (୬) ଙ୍କୁ ପଛରେ ପକାଇ ବିରାଟ କୋହଲି ସବୁଠୁ ଅଧିକ ୭ ଥର ଆଇପିଏଲ୍‌ ଶତକ ଅର୍ଜନ କରିଛନ୍ତି।

-ବର୍ତ୍ତମାନ ସୁଦ୍ଧା ୧୧୨୪ ଛକା ମରାଯାଇଛି, ଯାହାକି ଗୋଟିଏ ସଂସ୍କରଣରେ ସର୍ବାଧିକ। ଗତ ବର୍ଷ ୧୦୬୨ ଛକା ମରାଯାଇଥିଲା।

-ମୋଟ୍‌ ୩୨୯୮ ବାଉଣ୍ଡରି (୨୧୭୪ ଚୌକା ଓ ୧୧୨୪ ଛକା) ମରାଯାଇଥିଲା ବେଳେ ଗୋଟିଏ ସଂସ୍କରଣରେ ଏହା ମଧ୍ୟ ଏକ କୀର୍ତ୍ତିମାନ। ପୂର୍ବରୁ ୩୦୭୯ (୨୦୧୭ ଚୌକା ଓ ୧୦୬୨ ଛକା) ବାଉଣ୍ଡରି ଏହି ତାଲିକାର ଆଗରେ ଥିଲା।

-ବିରାଟ କୋହଲି ଓ ଫାଫ୍‌ ଡୁପ୍ଲେସିସ୍‌ଙ୍କ ମଧ୍ୟରେ ମୋଟ୍‌ ୯୩୯ ରନ୍‌ର ଭାଗୀଦାରି ହୋଇଛି। ସେଥିମଧ୍ୟରୁ ତିନିଥର ୧୦୦+ ଓ ୫ ଥର ୫୦+ ପ୍ରଥମ ୱିକେଟ୍‌ ଭାଗୀଦାରିରେ ସଂଗ୍ରହ ହୋଇଥିଲା। ଆଇପିଏଲ୍‌ ଇତିହାସରେ ପ୍ରଥମ ୱିକେଟ୍‌ରେ ଏପରି ଭାଗୀଦାରି ହେବାରେ ଏହା ଏକ କୀର୍ତ୍ତିମାନ। ଏଥିପୂର୍ବରୁ ୨୦୧୬ରେ କୋହଲି ଓ ଏବି ଡିଭିଲିୟର୍ସ ୯୩୯ ରନ୍‌ ଭାଗୀଦାରି କରିଥିଲେ। ୧୩ ପାଳି ମଧ୍ୟରେ ଉଭୟଙ୍କ ମଧ୍ୟରେ ଗୋଟିଏ ଶତକୀୟ ଓ ୫ ଅର୍ଦ୍ଧଶତକୀୟ ଭାଗୀଦାରି ସାମିଲ ଥିଲା।

ସମ୍ବନ୍ଧିତ ଖବର