ସରିଲା ଆଇପିଏଲ୍ ନିଲାମ: ୩୦ ଲକ୍ଷରେ ସଚିନଙ୍କ ପୁଅ ଅର୍ଜୁନଙ୍କୁ କିଣିଲା ମୁମ୍ବାଇ, ଈଶାନ୍ କିଶନ୍ ସବୁଠୁ ମହଙ୍ଗା ଖେଳାଳି

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)- ୨୦୨୨ ପାଇଁ ରବିବାର ନିଲାମ ଶେଷ ହୋଇଯାଇଛି। ଚଳିତ ମାସ ୧୨ ତାରିଖ ଠାରୁ ବେଙ୍ଗାଲୁରୁ ଠାରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ଏହି ନିଲାମରେ ୨୦୪ ଖେଳାଳିଙ୍କୁ କିଣା ଯାଇଛି। ଏମାନଙ୍କ ମଧ୍ୟରୁ ୧୩୭ ଜଣ ଭାରତୀୟ ଓ ୬୭ ବିଦେଶୀ ଖେଳାଳି ଅଛନ୍ତି। ଏହି ୨୦୪ ଖେଳାଳିଙ୍କୁ କିଣିବା ପାଇଁ ଆଇପିଏଲ ଦଳମାନେ ୫୫୧ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।

ନିଲାମରେ ମୁମ୍ଵାଇର ବାମହାତୀ ବ୍ୟାଟର ଈଶାନ୍ କିଶନ୍ ସବୁଠାରୁ ଦାମୀ ଖେଳାଳି ଭାବେ ୧୫ କୋଟି ୨୫ ଲକ୍ଷରେ ବିକ୍ରି ହୋଇଛନ୍ତି। ତାଙ୍କୁ ତାଙ୍କ ପୂର୍ବ ଦଳ ମୁମ୍ବାଇ ଇଣ୍ଡିଆନ୍ସ ହିଁ ଏତେ ଅଧିକ ଅର୍ଥ ଦେଇ ଦଳରେ ନେଇଛି। ଦ୍ରୁତ ବୋଲର ଦୀପକ ଚାହରଙ୍କୁ ୧୪ କୋଟି ଟଙ୍କା ବିନିମୟରେ ଚେନ୍ନାଇ ସୁପର କିଙ୍ଗ୍ସ କିଣିଛି। ଶ୍ରେୟସ୍ ଆୟାରଙ୍କୁ ୧୨ କୋଟି ୨୫ ଲକ୍ଷରେ କୋଲକାତା ନାଇଟ୍ ରାଇଡର୍ସ କିଣିଛି। ଦ୍ଵିତୀୟ ଦିନ ସର୍ବାଧିକ ଦରରେ ବିକ୍ରି ହୋଇଛନ୍ତି ଲିୟାମ୍ ଲିଭିଂଷ୍ଟୋନ୍। ଲିଭିଂଷ୍ଟୋନଙ୍କୁ ପଞ୍ଜାବ କିଙ୍ଗ୍ସ ୧୧ କୋଟି ୫୦ ଲକ୍ଷରେ କିଣିଛି।

Photo: Instagram

ଭାରତର ଅନ୍-କ୍ୟାପ୍ଡ ଖେଳାଳି ଶାହରୁଖ ଖାନ ଓ ରାହୁଲ ତେଓ୍ଵାତିଆ ୯ କୋଟି ଲେଖାଏଁରେ ବିକ୍ରି ହୋଇଛନ୍ତି। ମହାନ କ୍ରିକେଟର ସଚ୍ଚିନଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ଵାଇ ଇଣ୍ଡିଆନ୍ସ ୩୦ ଲକ୍ଷରେ କିଣିଛି। ୨୦୨୧ ରେ ବି ଅର୍ଜୁନ ମୁମ୍ଵାଇ ଇଣ୍ଡିଆନ୍ସ ଦଳର ସଦସ୍ୟ ଥିଲେ। ପ୍ରସିଦ୍ଧ ଖେଳାଳିଙ୍କ ମଧ୍ୟରୁ ସୁରେଶ ରୈନା, ଆରୋନ୍ ଫିଞ୍ଚ୍, ଇଓନ୍ ମୋର୍ଗାନ୍ ଓ ଚେତେଶ୍ଵର ପୁଜାରାଙ୍କୁ କୌଣସି ଦଳ କିଣି ନାହାନ୍ତି। ଗତବର୍ଷ ୯ କୋଟି ୨୫ ଲକ୍ଷରେ ବିକ୍ରି ହୋଇଥିବା କ୍ରିଷ୍ଣାପ୍ପା ଗୌତମଙ୍କୁ କେକେଆର୍ ଏବର୍ଷ ମାତ୍ର ୫୦ ଲକ୍ଷ ବିନିମୟରେ ଦଳରେ ନେଇଛି।

ସମ୍ବନ୍ଧିତ ଖବର