ବେଙ୍ଗାଲୁରୁ: ଆଇପିଏଲ୍ର ଦୁଇ ଚର୍ଚ୍ଚିତ ଦଳ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ଏଥର ସଫଳତାର ନୂଆ ସ୍ତର ଛୁଇଁବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଉଭୟ ନିଜର ଦୀର୍ଘ ପ୍ରତୀକ୍ଷିତ ଟ୍ରଫି ବିଜୟ ସ୍ବପ୍ନ ଚଳିତ ବର୍ଷ ହିଁ ସାକାର କରିବା ଲକ୍ଷ୍ୟରେ ରହିଛନ୍ତି।
ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର କାଇଲ ଜାମିସନଙ୍କ ଭଳି ଖେଳାଳିଙ୍କୁ ଦଳରେ ସାମିଲ କରିଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ପାଇଁ ପ୍ରଥମ ଥର ଲାଗି ସ୍ବପ୍ନର ଆଇପିଏଲ୍ ଟ୍ରଫି ଜିତିବା ଲାଗି ଆଉ ଏକ ସୁଯୋଗ ଉପନୀତ ହୋଇଛି। ବହୁ ପ୍ରତିଭାବାନ ଓ ମହାନ ଖେଳାଳିଙ୍କ ଉପସ୍ଥିତି ସତ୍ତ୍ବେ ସଠିକ୍ ସନ୍ତୁଳନର ସୂତ୍ର ନପାଇ ଏପର୍ଯ୍ୟନ୍ତ ଥରେ ହେଲେ ବି ବିଜେତା ହୋଇନଥିବା ବିରାଟ କୋହଲିଙ୍କ ଦଳ ଏଥର ଟ୍ରଫି ମରୁଡ଼ି ଦୂର କରିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। କୋହଲି ଓ ଏବି ଡି’ଭିଲିୟର୍ସଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ରହିବା ଅତୀତରେ ଏହି ଦଳ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି। ତେବେ ଏଥର ମ୍ୟାକ୍ସୱେଲ୍ ଓ ଅନ୍ୟ କେତେକ ଦକ୍ଷ ବ୍ୟାଟର୍ଙ୍କ ଉପସ୍ଥିତି ପାଇଁ ଏହି ବୋଝ ଉଭୟଙ୍କ ଉପରୁ ଦୂର ହେବ ଏବଂ ସେମାନେ ମୁକ୍ତ ଓ ସ୍ବାଭାବିକ ଭାବେ କ୍ରିକେଟ୍ ଖେଳି ଆର୍ସିବିକୁ ପ୍ରତୀକ୍ଷିତ ବିଜୟ ମୁକୁଟ ଉପହାର ଦେଇପାରିବେ ବୋଲି କୁହାଯାଉଛି। ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ୧୯୪.୫୪ ଷ୍ଟ୍ରାଇକ୍ ରେଟ୍ ରଖିଥିବା ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ମହମ୍ମଦ ଆଝାରୁଦ୍ଦିନ, ନ୍ୟୁଜିଲାଣ୍ଡର ଫିନ୍ ଆଲେନ୍, ସଚିନ ବେବି, ଡାନିଏଲ୍ କ୍ରିଷ୍ଟିଆନ ଏବଂ ୱାସିଂଟନ୍ ସୁନ୍ଦର ଏବେ ଆରସିବି ବ୍ୟାଟିଂର ପ୍ରମୁଖ ଅସ୍ତ୍ର। ଲେଗ୍ ସ୍ପିନର ୟୁଝବେନ୍ଦ୍ର ଚହଲ ଓ ଅଷ୍ଟ୍ରେଲୀୟ ଆଦାମ ଜାମ୍ପା ସ୍ପିନ୍ ବିଭାଗରେ ଭଲ ବିକଳ୍ପ ହୋଇପାରିବେ। ଆରସିବିର ଦ୍ରୁତ ବୋଲିଂ ବାହିନୀ କିନ୍ତୁ ତୁଳନାତ୍ମକ ଭାବେ ଅନଭିଜ୍ଞ। ମହମ୍ମଦ ସିରାଜ, ନଭଦୀପ ସୈନିଙ୍କର ସେତେଟା ଅଭିଜ୍ଞତା ନାହିଁ। ଟ୍ବେଣ୍ଟି-୨୦ରେ ଜାମିସନ୍ ସଂଘର୍ଷ କରିବାର ଢେର ଉଦାହରଣ ରହିଛି। ତାଙ୍କର ମଧ୍ୟ ଭାରତରେ ଖେଳିବାର ଆଦୌ ଅଭିଜ୍ଞତା ନାହିଁ। ଯାହା ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ। ହର୍ଷଲ ପଟେଲ, କେନ୍ ରିଚାର୍ଡସନ୍ ଓ କ୍ରିଷ୍ଟିଆନ ମଧ୍ୟମ ଗତିରେ ବୋଲିଂ କରନ୍ତି। ଏଥିରୁ ପ୍ରତିପକ୍ଷ ଫାଇଦା ନେବାକୁ ନିଶ୍ଚିତ ଚେଷ୍ଟା କରିବେ। ମ୍ୟାକ୍ସୱେଲ ଗତଋତୁରେ ପୂରା ବିଫଳ ହୋଇଥିଲେ। ତାଙ୍କ ଉପରେ ବି ଭରସା କରାଯାଇ ନପାରେ।
ଦଳ: ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲିୟର୍ସ, ଦେବଦତ୍ତ ପଡ଼ିକଲ, ୟୁଝବେନ୍ଦ୍ର ଚହଲ, ମହମ୍ମଦ ସିରାଜ, କେନ୍ ରିଚାର୍ଡସନ୍, ୱାସିଂଟନ ସୁନ୍ଦର, ପବନ ଦେଶପାଣ୍ଡେ, ଫିନ୍ ଆଲେନ, ଶାହାବାଜ ଅହମ୍ମଦ, ନଭଦୀପ ସୈନି, ଆଦାମ ଜାମ୍ପା, କାଇଲ ଜାମିସନ୍, ଗ୍ଲେନ୍ ମ୍ୟାକ୍ସୱେଲ, ରଜତ ପତିଦାର, ସଚିନ ବେବି, ମହମ୍ମଦ ଆଝାରୁଦ୍ଦିନ, ଡାନିଏଲ୍ କ୍ରିଷ୍ଟିଆନ୍, କେଏସ୍ ଭରତ, ସୂୟାଶ ପ୍ରଭୂଦେଶାଇ, ଡାନିଏଲ୍ ସାମ୍ସ, ହର୍ଷଲ ପଟେଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/4fsh4sf6h46sf54h56sf4h65fs456sfh.jpg)