କୋଲକାତା: ଦେଢ଼ ଦଶନ୍ଧି ଧରି ଭାରତୀୟ କ୍ରିକେଟ୍ର ଅନ୍ୟତମ ପରିଚୟ ପାଲଟିଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ଆଉ ଏକ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବ। ଦୁଇ ମାସରୁ ଊର୍ଧ୍ବ ସମୟ ଚାଲିବାକୁ ଥିବା ଏହି ଲୋଭନୀୟ ଲିଗ୍ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରୁ ଆରମ୍ଭ ହୋଇ ସେହିଠାରେ ମେ’ ୨୫ ତାରିଖରେ ଶେଷ ହେବ। ଶନିବାର ପ୍ରଥମ ମ୍ୟାଚ୍ରେ ଗତ ଥରର ବିଜେତା କୋଲକାତା ନାଇଟ୍ ରାଇଡର୍ସ ଭେଟିବ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ। ୨୦୦୮ ମସିହାର ପ୍ରଥମ ସଂସ୍କରଣ ପରଠାରୁ ଏହି ଦୁଇ ଦଳ ପ୍ରଥମ ଥର ଏକ ଉଦ୍ଘାଟନୀ ମ୍ୟାଚ୍ରେ ମୁକାବିଲା କରିବାକୁ ଯାଉଛନ୍ତି।
ଏକ ହଜାରରୁ ଊର୍ଧ୍ବ ମ୍ୟାଚ୍ ଖେଳାଯାଇଛି, ଅନେକ ରୋମାଞ୍ଚ ଛାଡ଼ିଯାଇଛି। ପ୍ରଶଂସକଙ୍କ ପାଇଁ କିନ୍ତୁ କିଛି ବି ଯଥେଷ୍ଟ ହୋଇନାହିଁ। ଏବେ ବି ସେମାନଙ୍କ ଆକର୍ଷଣର କେନ୍ଦ୍ରରେ ରହିଛି ଆଇପିଏଲ୍। ଟ୍ବେଣ୍ଟି-୨୦ କ୍ରିକେଟ୍ର ଏହି ଧନି ଲିଗ୍ ମଧ୍ୟ ବିଶ୍ବର ସବୁ ଦେଶର ଖେଳାଳିଙ୍କ ପାଇଁ ସ୍ବପ୍ନର ପ୍ରତିଯୋଗିତା ପାଲଟିଛି। ଏପରିକି ଏକ ଅନ୍ତର୍ଜାତୀୟ ମ୍ୟାଚ୍ ତୁଳନାରେ ବି ପ୍ରଶଂସକମାନେ ଦ୍ରୁତ ବେଗରେ ଟିକେଟ୍ କିଣି ନେଇଛନ୍ତି। ଅତୀତରେ ଅନେକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ରେ ଏକାଠି ହୋଇଥିବା କେକେଆର୍-ଆର୍ସିବି ଶନିବାର ମଧ୍ୟ ବିଜୟରୁ ନୂଆ ଋତୁ ଆରମ୍ଭ କରିବାକୁ ଆଶା ରଖିଛନ୍ତି। ଗତ ଋତୁରେ ଏକ ରନ୍ରେ ବି ଫଳାଫଳ ଦେଇଥିଲା ଏମାନଙ୍କ ମୁକାବିଲା। କେକେଆର୍ ଗତ ସଂସ୍କରଣର ବିଜେତା ଭାବେ ଘରୋଇ ଗ୍ରାଉଣ୍ଡ୍ରେ ଖେଳୁଥିବାରୁ ପ୍ରଶଂସକଙ୍କ ଉପସ୍ଥିତିର ଫାଇଦାରେ ରହିବ।
ନୋ ବଲ୍ ଓ ୱାଇଡ୍ ପାଇଁ ଉନ୍ନତ ଟେକ୍ନୋଲୋଜି
ଆଇପିଏଲ୍ର ନିଷ୍ପତ୍ତିଗୁଡ଼ିକ ଯେଭଳି ୧୦୦ ପ୍ରତିଶତ ଠିକ୍ ହେବ ସେ ନେଇ ବିସିସିଆଇ ନୂଆ ତଥା ଉନ୍ନତ ଟେକ୍ନୋଲୋଜି ବ୍ୟବହାର କରିବାକୁ ଯାଉଛି। ନୋ ବଲ୍ ଓ ୱାଇଡ୍ ନିଷ୍ପତ୍ତି ପାଇଁ ସର୍ଟ ବଲ୍ର ବିଚାର ପାଇଁ ଏହି ନୂତନ ପଦ୍ଧତି ପ୍ରୟୋଗ ହେବ। ବର୍ତ୍ତମାନ ବୋଲରଙ୍କୁ ଓଭର ପିଛା ୨ଟି ବାଉଁସର ଅନୁମତି ରହିଛି। ତୃତୀୟଟିକୁ ନୋ ବଲ୍ କରିଦିଆଯାଉଛି। ବ୍ୟାଟର୍ଙ୍କ ମୁଣ୍ଡ ଉପରେ ଯାଉଥିବା ବଲ୍କୁ ୱାଇଡ୍ ବିବେଚନା କରାଯାଉଛି। ନୂଆ ପଦ୍ଧତିରେ କେବଳ ଖେଳାଳିଙ୍କ ଅଣ୍ଟା ଉଚ୍ଚା ନୁହେଁ କାନ୍ଧ ଓ ମୁଣ୍ଡ ପର୍ଯ୍ୟନ୍ତ ବି ମପାଯିବାର ବ୍ୟବସ୍ଥା ହୋଇଛି। ବ୍ୟାଟର୍ ନିଜ ପପିଂ କ୍ରିଜ୍ରେ ଛିଡ଼ା ହୋଇଥିବା ବେଳେ ଏହି ମାପକୁ ମୌଳିକ ଭାବେ ନିଆଯିବ। ଡାଟାକୁ ହକ୍-ଆଇ ବ୍ୟବହାର ପାଇଁ ପୂର୍ବରୁ ବ୍ୟବସ୍ଥା କରାଯାଇଥିବ। ତୃ୍ତୀୟ ଅମ୍ପାୟାରକୁ ଏହା ସହାୟତା କରିବ।
ଅନ୍ୟପକ୍ଷରେ ଆଇପିଏଲ୍-୨୦୨୫ ପାଇଁ ମୋଟ ୭ ଜଣ ନୂଆ ଅମ୍ପାୟାରଙ୍କୁ ସାମିଲ କରାଯାଇଛି। ସେମାନେ ହେଲେ-ସ୍ବରୂପାନନ୍ଦ କନ୍ନୁର, ଅଭିଜିତ ଭଟ୍ଟାଚାର୍ଯ୍ୟ, ପରାଶର ଯୋଶୀ, ଅନିଶ ସହସ୍ରବୁଦ୍ଧେ, କେୟୁର କେଲକର, କୌଶିକ ଗାନ୍ଧୀ ଓ ଅଭିଜିତ ବେଙ୍ଗରି। ଭେଟେରାନ୍ ଅମ୍ପାୟାର୍ ଏସ୍ ରବି ଓ ସିକେ ନନ୍ଦନ ୨୦୨୫ ଆଇପିଏଲ୍ ପାଇଁ ଅମ୍ପାୟାରଙ୍କ ମାର୍ଗଦର୍ଶକ ନିଯୁକ୍ତ ହୋଇଛନ୍ତି। ସେହିଭଳି ମାଇକେଲ୍ ଗଫ୍, କ୍ରିସ୍ ଗଫାନି, ଆଡ୍ରିଆନ୍ ହୋଲ୍ଡଷ୍ଟକ୍ ତିନି ଜଣ ଏଥର ଅନ୍ତର୍ଜାତୀୟ ଅମ୍ପାୟାର୍ ନିଯୁକ୍ତ ଅଛନ୍ତି। ୨୦୨୪ ସଂସ୍କରଣରେ ଅମ୍ପାୟାରିଂ କରିଥିବା ଶ୍ରୀଲଙ୍କା ଅଫ୍ସ୍ପିନର୍ କୁମାର ଧର୍ମସେନା ଓ ଭାରତୀୟ ଅମ୍ପାୟାର୍ ଅନିଲ ଚୌଧୁରୀ ଏଥର ଭାଷ୍ୟକାର ଭୂମିକାରେ ନିଜରକୁ ଆସିବେ।
ଧୋନି, ରୋହିତ, ବିରାଟଙ୍କ ଶେଷ ଆଇପିଏଲ୍
ଆଇପିଏଲ୍ର ଅଷ୍ଟାଦଶ ସଂସ୍କରଣ ଭାରତୀୟ କ୍ରିକେଟ୍ର ତିନି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପାଇଁ ବିଦାୟୀ ବର୍ଷ ହେବ ବୋଲି କେତେକ ଆକଳନ କରିଛନ୍ତି। ୩୭ ବର୍ଷୀୟ ରୋହିତ ୫ ଥର ମୁମ୍ବାଇ ଇଣ୍ଡିଆନ୍ସକୁ ବିଜେତା କରାଇଥିବାବେଳେ ମାହି ମଧ୍ୟ ସମାନ ୫ ଥର ବିଜେତା ହୋଇଛନ୍ତି ସିଏସ୍କେ ପାଇଁ। ଉଭୟଙ୍କଠାରୁ ବ୍ୟାଟିଂରେ ଢେର୍ ଆଗରେ ଥିବା ବିରାଟ କୋହଲିଙ୍କ ପାଇଁ କିନ୍ତୁ ଆଇପିଏଲ୍ ମୁକୁଟର ସ୍ବପ୍ନ ଅଧୁରା ରହିଯାଇଛି। ଖେଳାଳି କି ଅଧିନାୟକ ଭାବେ ସେ ଏହି ପ୍ରତିଯୋଗିତାର ଟ୍ରଫି ଛୁଇଁ ପାରିନାହାନ୍ତି। ବିଦେଶ ଖେଳାଳିଙ୍କ ଭିତରେ ଫାପ୍ ଡୁ ପ୍ଲେସିସ୍, ସୁନିଲ ନାରାୟଣ, ଆନ୍ଦ୍ରେ ରସେଲଙ୍କ ପାଇଁ ମଧ୍ୟ ସମାନ ଭାବେ ବିଦାୟୀ ସଂସ୍କରଣ ହୋଇପାରେ।
ଅଷ୍ଟାଦଶ ସଂସ୍କରଣରେ ଟ୍ରଫି ଜିତିବାର ଭାଗ୍ୟ ଫିଟିବ ବୋଲି ପୁନଃ ଆଶା ରଖିଥିବା ଆର୍ସିବି ଉପରେ ବି ସମସ୍ତଙ୍କ ନଜର ରହିବ। ଗତ ଋତୁରେ କେକେଆର୍ ପାଇଁ ଦ୍ବିତୀୟ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଫିଲ୍ ସଲ୍ଟ ଏଥର ଆର୍ସିବି ଶିବିରରେ ରହିଛନ୍ତି। ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବାଧୀନ କେକେଆର୍ ଅନଭିଜ୍ଞ ରଜତ ପଟିଦାରଙ୍କ ଆର୍ସିବିର ଆହ୍ବାନକୁ କିଭଳି ପ୍ରତିହତ କରିବ ତାହାର ଯୋଜନା ପ୍ରସ୍ତୁତ କରିଛି। ବର୍ଷା କିନ୍ତୁ ଶନିବାର ମ୍ୟାଚ୍କୁ ପ୍ରଭାବିତ କରିବ ବୋଲି କିଛିଟା ଧମକ ଦେଇଛି। ମ୍ୟାଚ୍ ଦୃଷ୍ଟି କୋଣରୁ କିନ୍ତୁ ବିରାଟ କୋହଲି ଓ ରିଙ୍କୁ ସିଂହଙ୍କ ଉପରେ ନଜର ରହିବ। ବରୁଣ ଚକ୍ରବର୍ତ୍ତୀ ଓ ସୁନିଲ ନାରାୟଣଙ୍କୁ ବିରାଟ କୋହଲି କିଭଳି ଖେଳୁଛନ୍ତି ମଧ୍ୟ ଚର୍ଚ୍ଚାରେ ରହିଛି। ବରୁଣ ଓ ସୁନିଲଙ୍କ ମିଳିତ ୮ ଓଭର କେକେଆର୍ ପାଇଁ ନିଶ୍ଚିତ ନିର୍ଣ୍ଣାୟକ ହେବ। ଇଡେନ୍ ଗାର୍ଡେନ୍ସ ପିଚ୍ ଗତ ଋତୁରେ ରନ୍ ବର୍ଷା କରିଥିଲା। ୬ ଥର ୨୦୦ରୁ ଊର୍ଧ୍ବ ରନ୍ ଦେଖିବାକୁ ମିଳିଥିବା ବେଳେ ଏହା ଭିତରେ ବି ୨୬୨ ରନ୍ର ସଫଳ ପଶ୍ଚାତ୍ଧାବନ ସାମିଲ ରହିଛି। ଶନିବାର କିନ୍ତୁ ବର୍ଷା ଆଶଙ୍କା ରହିଥିବାରୁ ପ୍ରଶଂସକ ପ୍ରଥମରୁ ନିରାଶାରେ ଫେରିବା ବିପଦ ରହିଛି।
କେକେଆର୍ ସମ୍ଭାବ୍ୟ: ସୁନିଲ ନାରାୟଣ, କ୍ବିଣ୍ଟନ୍ ଡି’କକ୍ (ୱିକେଟ୍ରକ୍ଷକ), ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଅଙ୍ଗକ୍ରିସ୍ ରଘୁବଂଶୀ, ଭେଙ୍କଟେଶ ଆୟର, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ ସିଂହ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ସ୍ପେନ୍ସର ଜନ୍ସନ/ଅନରିକ୍ ନର୍ଖିୟା, ବୈଭବ ଅରୋରା।
ଆର୍ସିବି ସମ୍ଭାବ୍ୟ: ଫିଲ୍ ସଲ୍ଟ, ବିରାଟ କୋହଲି, ଦେବଦତ୍ତ ପଡ଼ିକଲ, ରଜତ ପଟିଦାର (ଅଧିନାୟକ), ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜିତେଶ ଶର୍ମା (ୱିକେଟ୍ରକ୍ଷକ), ଟିମ୍ ଡେଭିଡ୍, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ଜୋସ୍ ହାଜେଲଉଡ୍, ୟଶ୍ ଦୟାଲ, ସ୍ବପ୍ନୀଲ ସିଂହ/ମୋହିତ ରାଠି/ରସିକ୍ ସଲାମ।