୫୫୧ କୋଟିରେ ବିକ୍ରି ହେଲେ ୨୦୪ ଖେଳାଳି, ରାଇନାଙ୍କୁ ପ୍ରଥମ ଥର କେହି କିଣିଲେନି

୧୩୭ ଭାରତୀୟ, ୬୭ ବିଦେଶୀ, ଦ୍ବିତୀୟ ଦିନରେ ୧୩୦ ଖେଳାଳି ନିଲାମ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ବସିଥିବା ଖେଳାଳି ହାଟ ରବିବାର ଶେଷ ହୋଇଛି। ଦୁଇ ଦିନରେ ଆଇପିଏଲ୍‌ର ୧୦ ଫ୍ରାଞ୍ଚାଇଜ ୫୫୧ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ କରି ୨୦୪ ଜଣ ଖେଳାଳିଙ୍କୁ କିଣିଛନ୍ତି। ସେଥିମଧ୍ୟରେ ରହିଛନ୍ତି ୧୦୭ ଅନ୍ତର୍ଜାତୀୟ ଏବଂ ୯୭ ଅଣଅନ୍ତର୍ଜାତୀୟ କ୍ରିକେଟର୍। ୧୩୭ ଭାରତୀୟ ଏବଂ ୬୭ ବିଦେଶୀ ଖେଳାଳି। ୧୦୮ ଖେଳାଳି ୧ କୋଟିରୁ ଅଧିକ ଟଙ୍କା‌ରେ ବିକ୍ରି ହୋଇଛନ୍ତି।
ଶନିବାର ପ୍ରଥମ ଦିନରେ ୭୪ ଖେଳାଳି ନିଲାମ ହୋଇଥିଲେ। ରବିବାର ତା’ଠାରୁ ଯଥେଷ୍ଟ ଅଧିକ ଅର୍ଥାତ୍ ୧୩୦ଜଣ ଖେଳାଳି ବିକ୍ରି ହୋଇଛନ୍ତି। ପ୍ରଥମ ଦିନରେ ୧୫.୫ କୋଟିରେ ମୁମ୍ବାଇ ଇଣ୍ଡିଆନ୍ସକୁ ଯାଇଥିବା ଝାଡ଼ଖଣ୍ଡର ୱିକେଟ୍ ରକ୍ଷକ ଈଶାନ କିଶନ ଏବର୍ଷ ନିଲାମର ସବୁଠାରୁ ଦାମୀ ଖେଳାଳି ପଦ ବଜାୟ ରଖିଛନ୍ତି। ତେବେ ଇଂଲଣ୍ଡର ଲିଆମ ଲିଭିଂଷ୍ଟୋନ୍ ପ୍ରଥମ ଦିନରେ ଯୁଗ୍ମ ଭାବେ ସବୁଠୁ ଦାମୀ ବିଦେଶୀ ଖେଳାଳିର ମାନ୍ୟତା ଲାଭ କରିଥିବା ୱେଷ୍ଟଇଣ୍ଡିଜର ନିକୋଲାସ ପୂରନ ଏବଂ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗାଙ୍କୁ ପଛରେ ପକାଇ ଦେଇଛନ୍ତି। ଆଜି ପଞ୍ଜାବ କ୍ୟାପିଟାଲ୍ସ ତାଙ୍କୁ ୧୧.୫୦ କୋଟି ଟଙ୍କାରେ କିଣି ନେଇଛି। ଫଳରେ ଲିଭିଂଷ୍ଟୋନ୍ ସବୁଠୁ ଦାମୀ ବିଦେଶୀ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। କିଂବଦନ୍ତି ତାରକା ସୁରେଶ ରାଇନା, ଈଶାନ୍ତ ଶର୍ମା, ଅରୋନ ଫିଞ୍ଚ୍, ଇଅନ ମୋର୍ଗାନଙ୍କୁ କୌଣସି ଦଳ ନକିଣିବା ତାଙ୍କ ପ୍ରଶଂସଙ୍କ ନିରାଶ କରିଛି। କ୍ରିକେଟ୍ ପଣ୍ଡିତ ବି ଚକିତ ହୋଇଛନ୍ତି। ସେହିଭଳି ୧୯ ବର୍ଷରୁ କମ୍ ବିଶ୍ବକପ୍ ଜିତିଥିବା ଭାରତୀୟ ଦଳର ଦୁଇଜଣ ଖେଳାଳି ରାତାରାତି କୋଟି ପତି ପାଲଟି ଯାଇଛନ୍ତି। ୧୧ ଖେଳାଳି ୧୦ କୋଟି କିମ୍ବା ତା’ଠାରୁ ଅଧିକ ଦରରେ ବିକ୍ରି ହେବା ଆଇପିଏଲ୍‌ର କ୍ରମବର୍ଦ୍ଧନଶୀଳ ବ୍ରାଣ୍ଡ ଭାଲ୍ୟୁକୁ ପୁଣି ଥରେ ଦର୍ଶାଇଛି।
ରାଇନାଙ୍କୁ ପ୍ରଥମ ଥର କେହି କିଣିଲେନି

ଏଥରର ଆଇପିଏଲ୍ ନିଲାମରେ ଏକ ନୂଆ କଥା ଦେଖିବାକୁ ମିଳିଥିଲା। ୨୦୦୮ ମସିହାରେ ଏହି ଚର୍ଚ୍ଚିତ ତଥା ଲୋକପ୍ରିୟ ଟ୍ବେଣ୍ଟି-୨୦ ଲିଗ୍ ଆରମ୍ଭ ହେବା ପରଠାରୁ ପ୍ରଥମ ଥର ଲାଗି ଉତ୍ତର ପ୍ରଦେଶର ବାମହାତୀ ବ୍ୟାଟର୍‌ ସୁରେଶ ରାଇନା ବିକ୍ରି ହୋଇ ନଥିଲେ। ଆଇପିଏଲ୍‌ର ଅନ୍ୟତମ ସଫଳ ତଥା କିଂବଦନ୍ତି ତାରକାର ମାନ୍ୟତା ଲାଭ କରିଥିବା ରାଇନା ଚେନ୍ନାଇ ସୁପରକିଙ୍ଗ୍ସ ବ୍ୟାଟିଂକ୍ରମର ମେରୁଦଣ୍ଡ ଥିଲେ। ୨୦୧୬ ଏବଂ ୨୦୧୭ ଋତୁ ଛାଡ଼ିକରି (ଯେବେ ଚେନ୍ନାଇ ସୁପରକିଙ୍ଗ୍ସ ଆଇପିଏଲ୍‌ରୁ ବାସନ୍ଦ ହୋଇଥିଲା) ରାଇନା ପ୍ରତିଟି ଋତୁରେ ଚେନ୍ନାଇର ପ୍ରତିନିଧିତ୍ବ କରିଥିଲେ। ଆଇପିଏଲ୍‌ରେ ୨୦୫ ମ୍ୟାଚ୍ ଖେଳି ୫୫୨୮ ରନ୍ କରିଛନ୍ତି ସେ। ସେଥିମଧ୍ୟରେ ରହିଛି ଗୋଟିଏ ଶତକ ଏବଂ ୩୯ ଅର୍ଦ୍ଧଶତକ। ଆଇପିଏଲ୍‌ର ସର୍ବାଧିକ ରନ୍ ହାସଲକାରୀଙ୍କ ମଧ୍ୟରେ ସଂପ୍ରତି ବିରାଟ କୋହଲି (୬୨୮୩), ଶିଖର ଧାୱନ (୫୭୮୪) ଓ ରୋହିତ ଶର୍ମା (୫୬୧୧)ଙ୍କ ପରେ ମିଷ୍ଟର ଆଇପିଏଲ୍ ଭାବେ ପରିଚିତ ରାଇନା ଚତୁର୍ଥ ସ୍ଥାନରେ ରହିଛନ୍ତି। ପ୍ରଥମ ଖେଳାଳି ଭାବେ ଆଇପିଏଲ୍‌ରେ ୫,୦୦୦ ରନ୍ ପୂରଣ, ସର୍ବାଧିକ କ୍ୟାଚ୍ (୧୦୯), ଚେନ୍ନାଇ ପାଇଁ ସର୍ବାଧିକ ଅର୍ଦ୍ଧଶତକ (୩୩), ସର୍ବାଧିକ ବାଉଣ୍ଡରି (୪୨୫) ମାରିବାର କୀର୍ତ୍ତିମାନ ରାଇନାଙ୍କ ନାଁରେ ରହିଛି। ଚେନ୍ନାଇ ପାଇଁ ଦ୍ବିତୀୟ ସର୍ବାଧିକ ଛକା (୧୮୫) ମାରିଛନ୍ତି ଏହି ୩୫ ବର୍ଷୀୟ ବିସ୍ଫୋରକ ବ୍ୟାଟର୍। ବ୍ୟକ୍ତିଗତ କାରଣ ପାଇଁ ଗତବର୍ଷର ଆଇପିଏଲ୍ ଖେଳିନଥିଲେ ରାଇନା। ୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବା ପରେ ସେ ମଧ୍ୟ ଘରୋଇ କ୍ରିକେଟ୍‌ରେ ସକ୍ରିୟ ନଥିଲେ।

ସମ୍ବନ୍ଧିତ ଖବର