କୋଚି: ଆଜି କେରଳର କୋଚିରେ ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍’ର (ଆଇପିଏଲ୍) ‘ମିନି-ଅକ୍ସନ୍’ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ବର୍ଷ ନିଲାମ ପାଇଁ ୯୯୧ଜଣ ଖେଳାଳିଙ୍କୁ ପଞ୍ଜିକୃତ କରାଯାଇଥିବା ବେଳେ ଚୂଡ଼ାନ୍ତ ତାଲିକାରେ ମାତ୍ର ୪୦୫ଜଣ ଖେଳାଳିଙ୍କ ନାମ ରହିଛି। ପ୍ରଥମ ପର୍ଯ୍ୟାୟରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକଙ୍କ ଜଲୱା ଦେଖିବାକୁ ମିଳିଛି। ବ୍ରୁକଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୧୩.୨୫କୋଟିରେ କିଣିଛି। ଏହା ସହିତ ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୮.୨୫କୋଟିରେ କିଣିଥିବା ଜଣାପଡ଼ିିଛି। ବ୍ରୁକ ଓ ମୟଙ୍କଙ୍କ ବେସ୍ ପ୍ରାଇସ୍ ଯଥାକ୍ରମେ ୧.୫କୋଟି ଓ ୧କୋଟି ଥିବା ବେଳେ ଢ଼େର ଅଧିକ ଟଙ୍କାରେ ଦୁଇ ଖେଳାଳି ବିକ୍ରି ହୋଇଛନ୍ତି।
ଏମାନଙ୍କ ବ୍ୟତୀତ ଭାରତୀୟ କ୍ରିକେଟର ଆଜିଙ୍କ୍ୟ ରାହାଣେଙ୍କୁ ଚେନ୍ନାଇ ସୁପର କିଙ୍ଗସ ୫୦ଲକ୍ଷରେ ଓ ନ୍ୟୁଜିଲ୍ୟାଣ୍ଡ କ୍ରିକେଟର କେନ୍ ୱିଲିୟମସନ୍ସଙ୍କୁ ଗୁଜରାଟ ଟାଇଟାନ୍ସ ୨କୋଟିରେ କିଣିଥିବା ଜଣାପଡ଼ିଛି। ଦୁହିଁଙ୍କ ବେସ୍ ପ୍ରାଇସ୍ ଯେତିକି ଥିଲା, ସେତିକି ଟଙ୍କାରେ ସେମାନଙ୍କୁ କିଣାଯାଇଛି। ପ୍ରଥମ ରାଉଣ୍ଡରେ ଯେଉଁ ଖେଳାଳି ବିକ୍ରି ହୋଇପାରିନାହାନ୍ତି, ସେମାନେ ହେଲେ-ଇଂଲଣ୍ଡର ପୂର୍ବ ଅଧିନାୟକ ଜୋ ରୁଟ, ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ରିଲି ରୋସୋ।
‘ଆଇପିଏଲ୍’ ନିୟମ ଅନୁସାରେ, ପ୍ରତି ସ୍କ୍ବାଡ୍ରେ ଭାରତୀୟ ଖେଳାଳିଙ୍କ ସଂଖ୍ୟା ୧୭ରୁ ୨୫ ମଧ୍ୟରେ ରହିବ। ଏଥିରୁ କମ୍ ନୁହେଁ, କି ଅଧିକ ନୁହେଁ। ସେହିପରି, ଗୋଟିଏ ସ୍କ୍ବାଡ୍ ସର୍ବାଧିକ ୮ଜଣ ବିଦେଶୀ ଖେଳାଳି ଖରିଦ କରିପାରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ନିଲାମି ହୋଇ ପାରି ନ ଥିବା କୌଣସି ଖେଳାଳିଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯିବ।