ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ପାଇଁ ଅନୁଷ୍ଠିତ ନିଲାମୀ ପ୍ରକ୍ରିୟାରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପେଟ୍ କମିନ୍ସଙ୍କୁ କୋଲକାତା ନାଇଟ ରାଇଡର୍ସ (କେକେଆର୍) ୧୫.୫ କୋଟିରେ କିଣିବା ପରେ ସେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ଦାମୀ ଖେଳାଳି ପାଲଟି ଯାଇଛନ୍ତି । ଅନ୍ୟ ପକ୍ଷରେ ଭାରତୀୟ ଖେଳାଳି ରାହୁଲ୍ ତ୍ରିପାଠୀଙ୍କ ୬୦ ଲକ୍ଷ ଟଙ୍କାରେ କେକେଆର୍ କିଣିବା ପରେ ସେ ସବୁଠାରୁ ଶସ୍ତା ଖେଳାଳି ବିବେଚିତ ହୋଇଛନ୍ତି।
ଆଜି କୋଲକାତାର ଏକ ପଞ୍ଚତାରକା ହେଟେଲରେ ଅନୁଷ୍ଠିତ ନିଲାମୀ ଆରମ୍ଭରୁ ହିଁ କେକେଆରର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଲିନଙ୍କୁ ୨୦୧୯ର ଚାମ୍ପିଅନ ଦଳ ମୁମ୍ବାଇ ଇଣ୍ଡିଆନ୍ସ ୨ କୋଟି ଟଙ୍କାରେ କିଣିଥିଲା। ସେହିଭଳି ଇଂଲଣ୍ଡ ଟିମ୍ କ୍ୟାପଟେନ୍ ଇୟନ ମୋର୍ଗାନଙ୍କୁ ୫.୨୫ କୋଟି ଟଙ୍କାରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ।
ଭାରତୀୟ କ୍ରିକେଟର ରବିନ ଉଥପ୍ପାଙ୍କୁ ୩ କୋଟି ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ । ସେହିପରି ଜେସନ ରୟଙ୍କୁ ୧.୫୦ କୋଟି ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିବା ବେଳେ ଅଷ୍ଟ୍ରେଲିଆ ଖେଳାଳି ଆରୋନ ଫିଞ୍ଚଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୪.୪ କୋଟି ଟଙ୍କାରେ କିଣିଛି।
ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କୁ ୧୦.୭୫ କୋଟି ଟଙ୍କାରେ କିଙ୍ଗସ ଏକାଦଶ ପଞ୍ଜାବ କିଣି ଥିବା ବେଳେ କ୍ରିସ୍ ଓ୍ଵକ୍ସଙ୍କୁ ଦିଲ୍ଲୀ କ୍ୟାପିଟାଲ୍୧.୫ କୋଟି ଟଙ୍କାରେ କିଣିଛି। ଇଂଲଣ୍ଡର ଅଲରାଉଣ୍ଡର ସାମ କୁରାନଙ୍କୁ ୫.୫ କୋଟିରେ କିଣିଛି ଚେନ୍ନାଇ ସୁପର କିଙ୍ଗସ ।
୨୦୨୦ ଆଇପିଏଲ୍ ଲାଗି ଅନୁଷ୍ଠିତ ନିଲାମୀରେ ଚଳିତ ଥର ୩୩୨ ଜଣ ଖେଳାଳି ପଞ୍ଜିକୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୮୬ ଜଣ ଭାରତୀୟ ଥିବା ବେଳେ ୧୪୩ ଜଣ ବିଦେଶୀ ଖେଳାଳି ଥିଲେ । ତେବେ ଏହି ନିଲାମୀରେ ମାତ୍ର ୭୩ ଜଣ ଖେଳାଳିଙ୍କ ବିକ୍ରି ଲାଗି ସୁଯୋଗ ରହିଛି ଏବଂ ସେଥିମଧ୍ୟରୁ ୨୯ଜଣ ବିଦେଶୀ ଖେଳାଳି ଏହି ସୁଯୋଗ ହାସଲ କରିବେ।