ଜେଦା: ଭେଟେରାନ୍‌ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଆଇପିଏଲ୍‌ ନିଲାମର ଦ୍ବିତୀୟ ଦିନରେ ସବୁଠୁ ଚର୍ଚ୍ଚିତ ଖେଳାଳି ହୋଇଯାଇଛନ୍ତି। ତାଙ୍କ ମୂଲ୍ୟରେ ୧୫୬ ପ୍ରତିଶତ ବୃଦ୍ଧି ହେବା ସହ ୧୦.୭୫ କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ସହିତ ସେ ଯୋଡ଼ି ହୋଇଛନ୍ତି। ଆଇପିଏଲ୍‌ରେ ସବୁଠୁ ଅଧିକ ସମୟ ସନରାଇଜର୍ସ ହାଇଦ୍ରାବାଦ୍‌ ପକ୍ଷରୁ ଖେଳିଥିଲା ବେଳେ ୨୦୨୨ ନିଲାମରେ ତାଙ୍କୁ ଏହି ଦଳ ୪.୨ କୋଟି ଟଙ୍କାରେ କିଣିଥିଲା। ହେଲେ ଏଥର ତାଙ୍କୁ ନେବା ପାଇଁ ବଡ଼ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବା ସହ ଦ୍ବିତୀୟ ଦିନର ସବୁଠୁ ଦାମୀ ଖେଳାଳି ଭାବେ ସେ ବିକ୍ରି ହୋଇଛନ୍ତି। ଏହାବ୍ୟତୀତ ଅନେକ ରୋମାଞ୍ଚିତ ଘଟଣା ମଧ୍ୟ ଏହି ଦିନ ଦେଖିବାକୁ ମିଳିଥିଲା। ଅନେକ ପୁରୁଖା ଖେଳାଳି ଦଳ ବଦଳାଇଥିଲା ବେଳେ ନବାଗତଙ୍କୁ ନେବା ପାଇଁ ଫ୍ରାଞ୍ଚାଇଜ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା।

Advertisment

ପ୍ରଥମ ଦିନରେ ନିଲାମର ‌ସବୁ ରେକର୍ଡ ଭାଙ୍ଗିବା ପରେ ଦ୍ବିତୀୟ ଦିନ ମଧ୍ୟ ରୋମାଞ୍ଚଭରା ହୋଇଥିଲା। ନିଲାମ ଆରମ୍ଭରୁ ଦୁଇ ନ୍ୟୁଜିଲାଣ୍ଡ ଭେଟେରାନ୍‌ କେନ୍‌ ୱିଲିୟମସନ୍‌ ଓ ଗ୍ଲେନ୍‌ ଫିଲିପ୍ସଙ୍କୁ କେହି କିଣିବାକୁ ଆଗ୍ରହ ନଦେଖାଇବାରୁ ‘ଅନ୍‌ସୋଲ୍ଡ’ ରହିଯାଇଥିଲେ। କିନ୍ତୁ ଆର୍‌ସିବି ତାହାର ଅଧିନାୟକ ଫାଫ୍‌ ଡୁପ୍ଲେସିସ୍‌ଙ୍କୁ ଆରମ୍ଭରୁ ଛାଡ଼ି ଦେଇଥିଲା। ଫାଫ୍‌ଙ୍କୁ ମୂଳ ଦର ୨ କୋଟି ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ ନେଇଥିଲା ବେଳେ ଆର୍‌ସିବି ତାହାର ଆର୍‌ଟିଏମ୍‌ କାର୍ଡ ଖେଳି ନଥିଲା। ପରେ ଭାରତୀୟ ଖେଳାଳି ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସ’, ଶାର୍ଦ୍ଦୁଳ ଠାକୁର ମଧ୍ୟ ‘ଅନ୍‌ସୋଲ୍ଡ’ ହୋଇଯାଇଥିଲେ। ୨୦୨୩ ନିଲାମର ସବୁଠୁ ଦାମୀ (୧୮.୫ କୋଟି) ଖେଳାଳି ସାମ୍‌ କରନ୍‌ କିନ୍ତୁ ଏଥର ସବୁଠୁ କମ୍‌ ୨.୪୦ କୋଟି ଟଙ୍କାରେ ସିଏସ୍‌କେ ଦଳକୁ ଫେରିଛନ୍ତି। ସେହିପରି କେକେଆର୍‌ ଅଧିନାୟକ ନୀତୀଶ ରାଣା (୪.୨୦ କୋଟି) ଏଥର ରାଜସ୍ଥାନ ରୟାଲ୍ସ ପଟରୁ ଖେଳିବାକୁ ଯାଉଛନ୍ତି। ସିଏସ୍‌କେ ଓ ଧୋନିଙ୍କ ନିର୍ଭରଯୋଗ୍ୟ ବୋଲର ତୁଷାର ଦେଶପାଣ୍ଡେଙ୍କୁ ନେବା ପାଇଁ ରାଜସ୍ଥାନ ସହିତ ୬.୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଲଢ଼େଇ କରିଥିଲା। କିନ୍ତୁ ଶେଷରେ ସିଏସ୍‌କେ ହାର୍‌ ମାନିବା ସହ ଆର୍‌ଟିଏମ୍‌ ମଧ୍ୟ ବ୍ୟବହାର କରି ନଥିଲା। 

ସର୍ଫରାଜ ପୁଣି ଅଲୋଡ଼ା, କରନଙ୍କ ଦର ୧୬.୧୦ କୋଟି କମିଲା
ଡୁପ୍ଲେସିସ୍‌, ଦୀପକ, ନୀତୀଶ, ଈଶାନ୍ତଙ୍କ ଦଳ ବଦଳିଲା

ସନରାଇଜର୍ସ ହାଇଦ୍ରାବାଦ୍‌ର ଭେଟେରାନ୍‌ ବୋଲର ଭୁବନେଶ୍ବର କୁମାରଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଓ ‌ଏଲ୍‌ଏସ୍‌ଜି ଲଢ଼ିଥିଲେ। ଏଲ୍‌ଏସ୍‌ଜି ୧୦.୨୫ କୋଟିରେ ତାଙ୍କୁ ଦଳରେ ସାମିଲ କରିବାକୁ ଯାଉଥିବା ବେଳେ ଶେଷ ମୁହୂର୍ତ୍ତରେ ହଠାତ୍‌ ଆର୍‌ସିବି ୧୦.୭୫ କୋଟି ଟଙ୍କା ନିଲାମ ଡାକିବାରୁ ଗୋଏଙ୍କାଙ୍କ ଦମ୍‌ ସେତିକିରେ ଶେଷ ହୋଇଥିଲା। ଠିକ୍‌ ସେମିତି ସିଏସ୍‌କେର ଅନ୍ୟତମ ପ୍ରମୁଖ ବୋଲର ଦୀପକ ଚହରଙ୍କୁ ନେବା ପାଇଁ ମୁମ୍ବାଇ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ୨ କୋଟି ମୂଳ ଦରରୁ ତାଙ୍କ ମୂଲ୍ୟ ୭.୭୫ କୋଟି ପହଞ୍ଚିବା ପରେ ପଞ୍ଜାବ ହଟିଯାଇଥିଲା ଓ ସିଏସ୍‌କେ ୮ କୋଟିରେ ପ୍ରବେଶ କରିଥିଲା। ତଥାପି ମୁମ୍ବାଇ ୯.୨୫ କୋଟି ଟଙ୍କାରେ ଦୀପକଙ୍କୁ ଦଳରେ ନେବାରେ ସଫଳ ହୋଇଥିଲା। ସବୁଠୁ ବଡ଼ ରୋମାଞ୍ଚକ ଘଟଣା ଘଟିଥିଲା ଆଫଗାନିସ୍ତାନର ରହସ୍ୟମୟୀ ସ୍ପିନର ଆଲ୍ଲା ଘଜନଫର୍‌ଙ୍କ କ୍ଷେତ୍ରରେ। ୭୫ ଲକ୍ଷ ମୂଳ ଦର ଥିବା ବେଳେ କେକେଆର୍‌ ପ୍ରଥମ ‌ନିଲାମ ଡାକିଥିଲା।

ପରେ ଆର୍‌ସିବି ଓ ମୁମ୍ବାଇ ଦୌଡ଼ରେ ସାମିଲ ‌ହୋଇଥିଲେ।  ତିନି ଫ୍ରାଞ୍ଚାଇଜ୍‌ଙ୍କ ମଧ୍ୟରେ ଟକ୍କର ହେବା ପରେ ଶେଷରେ ମୁମ୍ବାଇ ୪.୮୦ କୋଟି ଟଙ୍କାରେ ତାଙ୍କୁ ପାଇଥିଲା। ଘଜନଫର୍‌ ଗତବର୍ଷ କେକେଆର୍‌ରେ ଥିଲେ ମଧ୍ୟ ଗୋଟିଏ ବି ମ୍ୟାଚ୍‌ ଖେଳି ନଥିଲେ। ଅନ୍ୟତମ ସଫଳ ଭାରତୀୟ ବୋଲର ଈଶାନ୍ତ ଶର୍ମା ତାଙ୍କ ମୂଳ ଦର ୭୫ ଲକ୍ଷ ଟଙ୍କାରେ ଗୁଜରାଟ ଟାଇଟନ୍ସକୁ ଯାଇଛନ୍ତି। ୨୩ ବର୍ଷୀୟ ପ୍ରିୟାଂଶ ଆର୍ଯ୍ୟଙ୍କୁ ୩୦ ଲକ୍ଷ ଟଙ୍କା ମୂଳ ଦର ବଦଳରେ ପଞ୍ଜାବ ୩.୪୦ କୋଟି ଟଙ୍କାରେ କିଣିଛି। ଚଳିତ ରଣଜୀ ଋତୁରେ ଗୋଟିଏ ପାଳିରେ ‘ପରଫେକ୍ଟ ୧୦’ ୱିକେଟ୍‌ ନେଇଥିବା ଅଂଶୁଲ କାମ୍ବୋଜଙ୍କୁ ନେବା ପାଇଁ ସିଏସ୍‌କେ, ଦିଲ୍ଲୀ, ମୁମ୍ବାଇ ମଧ୍ୟରେ ଟକ୍କର ହୋଇଥିଲେ ମଧ୍ୟ ୩.୪୦ କୋଟି ଟଙ୍କାରେ ଚେନ୍ନାଇ ବାଜି ମାରି ନେଇଥିଲା। କିନ୍ତୁ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ରେ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ସର୍ଫରାଜ ଖାନ୍‌ ଏଥର ମଧ୍ୟ ‘ଅନ୍‌ସୋଲ୍ଡ’ ହୋଇଯାଇଛନ୍ତି। ତେବେ ତାଙ୍କ ସାନଭାଇ ମୁସୀର ଖାନ୍‌ଙ୍କୁ ପଞ୍ଜାବ ମୂଳ ଦର ୩୦ ଲକ୍ଷ ଟଙ୍କାରେ କିଣିଛି।