ଆଇପିଏଲ୍ ନିଲାମ ଗୁରୁବାର: ବିଦେଶୀ ଖେଳାଳିଙ୍କ ଉପରେ ନଜର

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ତ୍ରୟୋଦଶ ସଂସ୍କରଣର ଖେଳାଳି ନିଲାମ ପ୍ରକ୍ରିୟା ଆସନ୍ତା ଗୁରୁବାର କୋଲ୍‌କାତାରେ ଆୟୋଜିତ ହେବ। ୨୦୨୦ ଆଇପିଏଲ୍ ପାଇଁ ୯୭୧ ଜଣ ଖେଳାଳି ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୨ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯାଇଛି। ଯେଉଁଥିରେ ୧୮୬ ଭାରତୀୟ ଥିବା ବେଳେ ୧୪୬ ବିଦେଶୀ ଖେଳାଳି ରହିଛନ୍ତି। ବିଦେଶୀ ଖେଳାଳିଙ୍କ ମଧ୍ୟରେ ଭଲ ଦରରେ କିଣା ହେବା ପାଇଁ ସର୍ବାଗ୍ରେ ଅଷ୍ଟ୍ରେଲିଆର ଅଲ୍‌ରାଉଣ୍ଡର୍ ଗ୍ଲେନ୍ ମାକ୍ସଵେଲ୍ ରହିଛନ୍ତି। ତାଙ୍କ ମୂଳଦର ୨ କୋଟି ଟଙ୍କା ଥିବା ବେଳେ ବ୍ୟାଟିଂ ସହ ବୋଲିଂ କରିବାର କ୍ଷମତା ଥିବାରୁ ତାଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜ୍ ମାଲିକମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବାର ସମ୍ଭାବନା ରହିଛି। ସେହିପରି ଅନ୍ୟତମ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଲିନ୍ ମଧ୍ୟ ଭଲ ଦରରେ କିଣା ହେବା ତାଲିକାରେ ରହିଛନ୍ତି। ତାଙ୍କ ମୂଳଦର ମଧ୍ୟ ୨ କୋଟି ଟଙ୍କା ରହିଥିବା ବେଳେ ୨୦୧୮ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ୯ କୋଟି ୬୦ ଲକ୍ଷ ଟଙ୍କାରେ କିଣିଥିଲା। ଇଂଲଣ୍ଡ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜାସନ୍ ରୟ ଓ ଅଲରାଉଣ୍ଡର୍ ସାମ୍ କରନ୍ ବିଦେଶୀଙ୍କ ମଧ୍ୟରେ ସମସ୍ତଙ୍କ ନଜରରେ ରହିଛନ୍ତି। ରୟଙ୍କ ମୂଳଦର ୧ କୋଟି ୫୦ ଲକ୍ଷ ରହିଥିବା ବେଳେ କରନଙ୍କର ୧ କୋଟି ରହିଛି। ବିଶ୍ବକପ୍‌ରେ ରୟ ୮ ମ୍ୟାଚ୍‌ରୁ ୬୩.୨୮ ହାରରେ ୪୪୩ ରନ୍ କରି ଫ୍ରାଞ୍ଚାଇଜ୍ ମାଲିକଙ୍କ ନଜରରେ ରହିଥିବା ବେଳେ ପୂର୍ବ ଆଇପିଏଲରେ ହ୍ୟାଟ୍ରିକ୍ ଅର୍ଜନ କରିଥିବା କରନ୍ ମଧ୍ୟ ଦାମୀ ଖେଳାଳିଙ୍କ ତାଲିକାରେ ସାମିଲ୍ ହେବାର ସମ୍ଭାବନା ରହିଛି। ଵେଷ୍ଟଇଣ୍ଡିଜ୍‌ର ସିମରନ୍ ହେଟମେୟର୍‌ଙ୍କ ମୂଳଦର ୫୦ ଲକ୍ଷ ରହିଥିବା ବେଳେ ସଂପ୍ରତି ଭାରତ ବିପକ୍ଷ ଦିନିକିଆ ଓ ଟ୍ବେଣ୍ଟି-୨୦ରେ ତାଙ୍କ ପ୍ରଦର୍ଶନ ଭଲ ରହିଥିବାରୁ ସେ ଉଚ୍ଚ ଦରରେ ବିକ୍ରି ହୋଇପାରନ୍ତି। ଦକ୍ଷିଣ ଆଫ୍ରିକାର କିଲର୍ ମିଲର୍ ଭାବେ ପରିଚିତ ବ୍ୟାଟ୍ସମ୍ୟାନ୍ ଡେଭିଡ ମିଲର୍‌ଙ୍କ ୨୦୨୦ ଆଇପିଏଲ୍ ପାଇଁ ମୂଳଦର ୭୫ ଲକ୍ଷ ରହିଛି। ଏକଦା ବିଶ୍ବର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ ଥିବା ମିଲର୍‌ଙ୍କ ପ୍ରଦର୍ଶନରେ ଅବନତି ଘଟିଥିଲେ ହେଁ ତାଙ୍କୁ କିଣିବା ପାଇଁ ମାଲିକମାନେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର