ନୂଆଦିଲ୍ଲୀ: ଆଇପିଏଲ୍ର ମେଗା ଖେଳାଳି ନିଲାମ ରବିବାରଠାରୁ ସାଉଦି ଆରବର ଜେଦା ସହରସ୍ଥିତ ଆବାଦି ଅଲ୍ ଜୋହର୍ ଏରିନାରେ ଅନୁଷ୍ଠିତ ହେବ। ଏହି ମେଗା ନିଲାମ ପାଇଁ ଆସିଥିବା ଆବେଦନଗୁଡ଼ିକରୁ ୫୭୭ ଜଣ ଖେଳାଳିଙ୍କୁ ବଛାଯାଇଛି। ଗତ ସଂସ୍କରଣରେ ଖେଳିଥିବା ଖେଳାଳିଙ୍କ ମଧ୍ୟରୁ ୪୬ ଖେଳାଳିଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ୍ ରିଟେନ୍ କରିଥିଲା ବେଳେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ରାଜସ୍ଥାନ ରୟାଲ୍ସ ସେମାନଙ୍କ ରିଟେନ୍ କୋଟା ପୂରଣ କରିସାରିଛନ୍ତି। ତେଣୁ କେଉଁ ଖେଳାଳି ଏଥର ଗତ ସଂସ୍କରଣର ୨୫ କୋଟି ମୂଲ୍ୟକୁ ଅତିକ୍ରମ କରିପାରୁଛନ୍ତି ତାହାକୁ ଅପେକ୍ଷା କରିବାକୁ ହେବ। ମେଗା ନିଲାମ ଅପରାହ୍ନ ୩.୩୦ ମିନିଟ୍ରୁ ଆରମ୍ଭ ହେବ ଏବଂ ଷ୍ଟାର୍ ସ୍ପୋର୍ଟ୍ସ ଓ ଜିଓ ସିନେମାରେ ଏହାର ସିଧାପ୍ରସାରଣ ଦେଖିହେବ ବୋଲି ସୂଚନା ମିଳିଛି।
ପନ୍ତଙ୍କ ଉପରେ ସମସ୍ତଙ୍କ ନଜର
ଗତବର୍ଷର ମିନି ନିଲାମରେ କେକେଆର୍ ଓ ସନରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍) ଅଷ୍ଟ୍ରେଲିଆର ଦୁଇ ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ (୨୪.୭୫ କୋଟି ଟଙ୍କା) ଓ ପାଟ୍ କମିନ୍ସ (୨୦.୫୦ କୋଟି ଟଙ୍କା) ଙ୍କୁ କିଣିବା ପାଇଁ ପକେଟ୍ ଖାଲି କରିଦେଇଥିଲେ। ଏହାର ଫଳ ମଧ୍ୟ ଦୁଇ ଦଳଙ୍କୁ ମିଳିଥିଲା। କିନ୍ତୁ ଚଳିତ ବର୍ଷ ନିଲାମ ବେଳେ ୨୫ କୋଟି ଟଙ୍କାର ରେଖାକୁ ଡେଇଁଯିବ ବୋଲି ଅନୁମାନ କରାଯାଉଛି। ଏହି ଚାହିଦାରେ ସବୁଠୁ ଆଗରେ ଋଷଭ ପନ୍ତ ଅଛନ୍ତି। ତାଙ୍କୁ କିଣିବା ପାଇଁ ସମସ୍ତ ଦଳ ଚାହିବସିଛନ୍ତି। ଯେତେବେଳେ ଭାରତୀୟ ଖେଳାଳିଙ୍କ କଥା ଆସେ ସେତେବେଳେ ପନ୍ତଙ୍କ ନାମ ଆଗକୁ ଆପେ ଆପେ ଆସିଯାଏ। ପନ୍ତ ମଧ୍ୟ ବହୁତ ଦିନ ପରେ ନିଲାମକୁ ଆସୁଥିବାରୁ ସମସ୍ତଙ୍କ ଆଶା ମଧ୍ୟ ବଢ଼ିଯାଇଛି। ବର୍ତ୍ତମାନସୁଦ୍ଧା ପଞ୍ଜାବ କିଙ୍ଗ୍ସ (୧୧୦.୫ କୋଟି ଟଙ୍କା), ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (୮୩ କୋଟି ଟଙ୍କା), ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (୬୯ କୋଟି ଟଙ୍କା) ପାଖରେ ଅଧିକ ଟଙ୍କା ଥିବାରୁ ପନ୍ତଙ୍କୁ କିଣିବା ପାଇଁ ଏମାନଙ୍କ ମଧ୍ୟରେ ବଡ଼ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିପାରେ। ୨୦୧୬ରୁ ଆଇପିଏଲ୍ ଖେଳୁଥିବା ପନ୍ତ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ନେଇଥିଲେ। କିନ୍ତୁ ଚଳିତ ବର୍ଷ ନିଲାମ ପୂର୍ବରୁ ରିଟେନ୍ସନ୍ ବିଷୟରେ ଆଲୋଚନା ସଫଳ ନହେବାରୁ ତାଙ୍କ ସହିତ ଦଳ ସଂପର୍କ କାଟିଦେଇଛି। ତଥାପି ଦିଲ୍ଲୀ ପାଖରେ ଦୁଇଟି ‘ମ୍ୟାଚ୍ର ଅଧିକାର’ (ଆର୍ଟିଏମ୍) ଥିବାରୁ ପନ୍ତଙ୍କୁ ନୂଆ ନିୟମ ଆଧାରରେ ଦଳ ପୁଣି କିଣିପାରେ।
ନିଲାମ ଉପରେ ପ୍ରଭାବ ପକାଇବ ପରିବର୍ତ୍ତିତ ଆର୍ଟିଏମ୍ ନିୟମ
ଅତୀତରେ ଯେତେବେଳେ ଏହି ନିୟମକୁ ଲାଗୁ କରାଯାଇଥିଲା, ସେତେବେଳେ ଫ୍ରାଞ୍ଚାଇଜ୍ମାନେ କୌଣସି ଖେଳାଳିଙ୍କୁ ପୁଣି ଥରେ ଦଳ ପାଇଁ କିଣିବାକୁ ଚାହିଲେ ପୂର୍ବ ନିଲାମର ଦର ସହିତ ମେଳ ଖୁଆଇବାକୁ ପଡ଼ୁଥିଲା। କିନ୍ତୁ ମେଗା ନିଲାମରେ ଲାଗୁ ହେବାକୁ ଯାଉଥିବା ପରିବର୍ତ୍ତିତ ଆର୍ଟିଏମ୍ ନିୟମ ଅଧୀନରେ, ଯଦି କୌଣସି ଫ୍ରାଞ୍ଚାଇଜ୍ ଆର୍ଟିଏମ୍ କାର୍ଡ ଖେଳିବାକୁ ଚାହେ, ତାହେଲେ ଶେଷ ବିଡ୍ ଡାକିଥିବା ଫ୍ରାଞ୍ଚାଇଜ୍ ପାଖରେ ଅଧିକ ଦର ଡାକିବା ପାଇଁ ଅତିରିକ୍ତ ସୁଯୋଗ ରହିବ। ଯଦି ଏପରି ହୁଏ, ତାହେଲେ ସଂପୃକ୍ତ ଖେଳାଳିଙ୍କ ପାଇଁ ସର୍ବାଧିକ ଡକାଯାଇଥିବା ମୂଲ୍ୟ ସହିତ ମୂଳ ଫ୍ରାଞ୍ଚାଇଜ୍କୁ ମେଳ ଖୁଆଇବାକୁ ପଡ଼ିବ। ଉଦାହରଣ ସ୍ବରୂପ, ପନ୍ତଙ୍କୁ ନେଇ ଶେଷ ଡାକ ଯଦି ୧୮ କୋଟି ଟଙ୍କାରେ ପହଞ୍ଚିଥାଏ, ସେତେବେଳେ ଦିଲ୍ଲୀ ଆର୍ଟିଏମ୍ ବ୍ୟବହାର କରିପାରିବ। ଅନ୍ୟ ଫ୍ରାଞ୍ଚାଇଜ୍ ଯଦି ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ବିଡ୍ ଡାକନ୍ତି, ତାହେଲେ ଦିଲ୍ଲୀକୁ ଏହି ମୂଲ୍ୟ ସହିତ ମେଳ ଖୁଆଇବାକୁ ପଡ଼ିବ।
ପ୍ରଭାବ ପକାଇବ ଇମ୍ପାକ୍ଟ ପ୍ଲେୟର ନିୟମ
ଆଇପିଏଲ୍ର ଗତ ସଂସ୍କରଣରେ ଇମ୍ପାକ୍ଟ ପ୍ଲେୟର ନିୟମ ବଡ଼ ଭୂମିକା ନେଇଥିଲା। ଅଧିକାଂଶ ଇମ୍ପାକ୍ଟ ପ୍ଲେୟର ଖେଳାଳିମାନେ ଭାରତୀୟ ଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଅଣଆନ୍ତର୍ଜାତିକ ଖେଳାଳି ରହିଥିଲେ। ୨୦୨୩ରେ ରାଜସ୍ଥାନ ରୟାଲ୍ସର ଧ୍ରୁବ ଜୁରେଲ୍ ଇମ୍ପାକ୍ଟ ପ୍ଲେୟର ହୋଇ ସଫଳତା ସାଉଁଟିଥିଲା ବେଳେ ୨୦୨୪ରେ ପଞ୍ଜାବ କିଙ୍ଗ୍ସ ଦ୍ବାରା ଶଶାଙ୍କ ସିଂହ ଓ ଆଶୁତୋଷ ଶର୍ମା, ସିଏସ୍କେ ପକ୍ଷରୁ ସମୀର ରିଜ୍ଭୀଙ୍କୁ କିଣିବା ଦିଗରେ ଦଳମାନେ ଗୁରୁତ୍ବ ଦେଇଥିଲେ। ଚଳିତ ବର୍ଷ ସମିର ରିଜ୍ଭୀଙ୍କୁ କିଣିବା ପାଇଁ ମଧ୍ୟ ଏକାଧିକ ଫ୍ରାଞ୍ଚାଇଜ୍ ଲକ୍ଷ୍ୟ ରଖିଛନ୍ତି। ଏମାନଙ୍କ ବ୍ୟତୀତ ଝାଡ଼ଖଣ୍ଡର ୱିକେଟ୍ରକ୍ଷକ ବ୍ୟାଟର୍ ରବିନ୍ ମିଞ୍ଜ, କର୍ଣ୍ଣାଟକ ବ୍ୟାଟର୍ ଅଭିନବ ମନୋହରଙ୍କ ଉପରେ ମଧ୍ୟ ନଜର ରଖାଯାଇଛି।
ସୁଯୋଗ ଅପେକ୍ଷାରେ ଅଣଆନ୍ତର୍ଜାତିକ ଖେଳାଳି
ଫ୍ରାଞ୍ଚାଇଜ୍ମାନେ ନୂଆ ଖେଳାଳି ଖୋଜିବା ଓ ସେମାନଙ୍କୁ ବଡ଼ ମ୍ୟାଚ୍ ପାଇଁ ପ୍ରସ୍ତୁତ କରିବାରେ ପାଣି ଭଳି ଟଙ୍କା ବୁହାଉଛନ୍ତି। ଯେଉଁଥିପାଇଁ ଅଣଆନ୍ତର୍ଜାତିକ ଖେଳାଳିଙ୍କ ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି। ବିଶେଷକରି ଲମ୍ବା ସମୟକୁ ନଜରରେ ରଖି ଫ୍ରାଞ୍ଚାଇଜ୍ମାନେ ଏହି କୌଶଳ ଆପଣାଉଛନ୍ତି। ରିଙ୍କୁ ସିଂହ (କେକେଆର୍) ଓ ତିଳକ ବର୍ମା (ମୁମ୍ବାଇ ଇଣ୍ଡିଆନ୍ସ) ଏହାର ବଡ଼ ଉଦାହରଣ। ଏମାନଙ୍କ ସହିତ ହରପ୍ରୀତ୍ ବ୍ରାର୍, ନେହଲ ୱାଧିରା, ଅଂଶୁଲ କାମ୍ବୋଜ, ରସିକ ସଲାମ, ଅଙ୍ଗକ୍ରିଶ ରଘୁବଂଶୀ ଓ ଗୁର୍ଜାପନୀତ ସିଂହଙ୍କୁ ଦଳରେ ନେବାକୁ ଫ୍ରାଞ୍ଚାଇଜ୍ମାନେ ଯୋଜନା ପ୍ରସ୍ତୁତ କରିସାରିଛନ୍ତି।