ଆଇପିଏଲ୍: ଲକ୍ଷ୍ନୌକୁ ହରାଇ ଦ୍ବିତୀୟରେ ବାଙ୍ଗାଲୋର

ମୁମ୍ବାଇ: ନବାଗତ ଲକ୍ଷ୍ନୌ ସୁପରଜିଆଣ୍ଟ୍ସକୁ ୧୮ ରନ୍‌ରେ ହରାଇ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଚଳିତ ଆଇପିଏଲ୍ ପଏଣ୍ଟ୍‌ ତାଲିକାର ଚତୁର୍ଥରୁ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ପ୍ରଥମ ଟ୍ରଫି ବିଜୟ ଲକ୍ଷ୍ୟରେ ଥିବା‌ ଆର୍‌ସିବି ମଙ୍ଗଳବାର ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଲକ୍ଷ୍ନୌ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ନିର୍ଦ୍ଧାରିତ ୨୦ ଓଭରେ ୮ ୱିକେଟ୍ ହରାଇ ମାତ୍ର ୧୬୩ ରନ୍ କରିପାରିଥିଲା। ଫଳରେ ଆର୍‌ସିବି ସପ୍ତମ ମ୍ୟାଚ୍‌ରୁ ପଞ୍ଚମ ବିଜୟ ପାଇଥିଲା। ଅନ୍ୟପକ୍ଷରେ ଲକ୍ଷ୍ନୌ ସେହି ସପ୍ତମ ମୁକାବିଲାରୁ ତୃତୀୟ ପରାଜୟ ବରଣ କରିଥିଲା। ଅଧିନାୟକ କେଏଲ୍ ରାହୁଲ (୩୦) ଏବଂ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା (୪୨)ଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟର୍ ସମ୍ମାନଜନକ ପାଳି ଖେଳି ନପାରିବା ଲକ୍ଷ୍ନୌ ପରାଜୟର ପ୍ରମୁଖ କାରଣ ଥିଲା। ସେହିଭଳି ଜୋସ୍ ହାଜେଲଉଡ୍‌ଙ୍କୁ ୪ ୱିକେଟ୍ ଦେବା ମଧ୍ୟ ଲକ୍ଷ୍ନୌ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଆର୍‌ସିବିର ଆରମ୍ଭ ଥିଲା ସଂପୂର୍ଣ୍ଣ ବିପର୍ଯ୍ୟସ୍ତଭରା। ଦ୍ବିତୀୟ ଓଭରର ଶେଷ ଦୁଇ ବଲ୍‌ରେ ହିଁ ଏହି ଦଳ ପ୍ରାରମ୍ଭିକ ବ୍ୟାଟର୍‌ ଅନୁଜ ରାୱତ (୪) ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି (୦)ଙ୍କୁ ହରାଇ ଘୋର ସଙ୍କଟରେ ପଡ଼ିଥିଲା। କୋହଲି ଆଇପିଏଲ୍‌ ଇତିହାସରେ ଚତୁର୍ଥ ଥର ଲାଗି ପ୍ରଥମ ବଲ୍‌ରେ ଆଉଟ୍ ହୋଇଥିଲେ। ତାଙ୍କୁ ପ୍ରଥମ ବଲ୍‌ରେ ଆଉଟ୍‌ କରିବାରେ ଦୁଷ୍ମନ୍ତ ଚାମିରା ଚତୁର୍ଥ ବୋଲର ରହିଥିଲେ। ତାଙ୍କ ପୂର୍ବରୁ ଆଶିଷ ନେହରା (୨୦୦୮), ସନ୍ଦୀପ ଶର୍ମା (୨୦୧୪) ଏବଂ ନାଥନ କୁଲଟର ନାଇଲ (୨୦୧୭) କୋହଲିଙ୍କୁ ପ୍ରଥମ ବଲ୍‌ରେ ଶିକାର କରିଥିଲେ। ତା’ ସହ ଚଳିତ ଋତୁରେ ତାଙ୍କ ଶୋଚନୀୟ ପ୍ରଦର୍ଶନ ଜାରି ରହିଥିଲା। ଏଥର କୋହଲି ୭ ପାଳି ଖେଳି ବିନା ଅର୍ଦ୍ଧଶତକରେ ମାତ୍ର ୧୧୯ ରନ୍ କରିଛନ୍ତି। କୋହଲି ଏହା ପୂର୍ବରୁ ୨୦୦୮ରେ ମୁମ୍ବାଇ ଇଣ୍ଡିଆନ୍ସ, ୨୦୧୪ରେ ପଞ୍ଜାବ କିଙ୍ଗ୍ସ ଏବଂ ୨୦୧୭ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ସମ୍ମୁଖୀନ ହୋଇଥିବା ପ୍ରଥମ ବଲ୍‌ରେ ଆଉଟ୍ ହୋଇଥିଲେ। ଯାହା ତାଙ୍କ ପ୍ରଶଂସକଙ୍କୁ ବିସ୍ମିତ ଓ ବ୍ୟଥିତ କରିଛି। ତେବେ ଅଧିନାୟକ ତଥା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଫାଫ୍ ଡୁ’ପ୍ଲେସିସ୍‌ଙ୍କ ଦାୟିତ୍ବବାନ ହେଲେ ଦ୍ରୁତ ପାଳି ବଳରେ ଆର୍‌ସିବି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୧ ରନ୍‌ର ସମ୍ମାନଜନକ ସ୍କୋର କରିନେଇଥିଲା। ତେବେ ଶେଷ ଓଭରରେ ଆଉଟ୍ ହୋଇ ପ୍ରଥମ ଆଇପିଏଲ୍ ଶତକରୁ ବଞ୍ଚିତ ହୋଇଥିଲେ ସେ। ତେବେ ଡୁ’ପ୍ଲେସିସ୍‌ଙ୍କର ୯୬ ରନ୍‌ର ପାଳି ଥିଲା ତାଙ୍କ ଆଇପିଏଲ୍ ଜୀବନର ଯୁଗ୍ମ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର। ଅନ୍ୟମାନଙ୍କ ମଧ୍ୟରେ ଶାହବାଜ ଅହମ୍ମଦ ୨୬, ଗ୍ଲେନ୍ ମ୍ୟାକ୍ସୱେଲ୍ ୨୩ ଏବଂ ଦୀନେଶ କାର୍ତ୍ତିକ ୮ ବଲ୍‌ରୁ ୧୩ ରନ୍ କରିଥିଲେ।

ସମ୍ବନ୍ଧିତ ଖବର